ଧାର୍ମିକ ନୁହେଁ, ମାନବିକତା ଆଧାରରେ ମିଳିବ ନାଗରିକତା: ଧର୍ମେନ୍ଦ୍ର

ବାରଣାସୀରେ ବିଜେପିର ସିଏଏ ଜନଜାଗରଣ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନ(ସିଏଏ) ନାଗରିକତା‌ ନେବାର ଆଇନ ନୁହେଁ, ନାଗରିକତା ପ୍ରଦାନ କରିବାର ଆଇନ। ସିଏଏ ଧାର୍ମିକ ନୁହେଁ, ବରଂ ମାନବିକତା ଆଧାରରେ ନାଗରିକତା ଦେବାର ଆଇନ୍ ଅଟେ। ରବିବାର ଉତ୍ତରପ୍ରଦେଶର ବାରଣାସୀରେ ବିଜେପିର ସିଏଏ ଜନଜାଗରଣ ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶବ୍ୟାପୀ ବିଜେପିର ଜନଜାଗରଣ ଅଭିଯାନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ବାରଣାସୀର ଦାୟିତ୍ବ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ। ଏହି ଦଳୀୟ ଜନଜାଗରଣ ଅଭିଯାନ ଅବସରରେ ଶ୍ରୀ ପ୍ରଧାନ ସେଠାକାର ବିଶିଷ୍ଟ ଲୋକମାନଙ୍କୁ ଭେଟି ସିଏଏ ଉପରେ ସଚେତନତା କରିଥିଲେ। ଏହା ଉପରେ ହେଉଥିବା ଅପପ୍ରଚାର ସମ୍ପର୍କରେ ଆଲୋକପାତ କରିବା ସହ ସିଏଏ ପାଇଁ ସମର୍ଥନ ଲୋଡ଼ିଥିଲେ।

ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଏହି ଆଇନରେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ରୂପେ ନିର୍ଯାତନାର ଶିକାର ହୋଇ ଭାରତକୁ ଆସିଥିବା ସେହି ଦେଶର ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବ। ଏହି ଆଇନ ଜରିଆରେ କାହାର ନାଗରିକତା ଛିନ୍ନ କରାଯିବାର ବ୍ୟବସ୍ଥା ନାହିଁ। ଏହା ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉ ନାହିଁ। ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ତିନିଟି ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଇସ୍‌ଲାମିକ୍ ରିପବ୍ଲିକ୍ ଘୋଷିତ ରାଜ୍ୟଗୁଡ଼ିକରୁ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ପାର୍ସି, ଜୈନ, ବୌଦ୍ଧ ଓ ଖ୍ରିଷ୍ଟିଆନ୍‌ ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ବ ଦେବାରେ ସିଏଏ ଏକ ମାଧ୍ୟମ ହେବ। ସମ୍ବିଧାନର ଧାରା ୧୪କୁ ସିଏଏ ଉଲ୍ଲଂଘନ କରୁ ନାହିଁ। କାରଣ ସମ୍ବିଧାନର ଧାରା ୧୪ରେ ଭାରତୀୟ ନାଗରିକଙ୍କ ସମ୍ପର୍କରେ ଲେଖାଯାଇଛି। ନରେନ୍ଦ୍ର ମୋଦୀଙ୍କ ସିଏଏ ଏକ ସାହାସିକ ପଦକ୍ଷେପ। ଯଦି କଂଗ୍ରେସ ଧର୍ମ ଆଧାରରେ ଦେଶର ବିଭାଜନ କରି ନ ଥା’ନ୍ତା, ତେବେ ଏହି ଆଇନ୍‌ର ଆବଶ୍ୟକ ପଡ଼ି ନ ଥା’ନ୍ତା। ବିରୋଧୀ ଦଳ ବିଶେଷ ଭାବେ କଂଗ୍ରେସ ଦଳ ଅସହିଷ୍ଣୁ ହୋଇ ସିଏଏର ଅପପ୍ରଚାର କରି ଦେଶରେ ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛି ବୋଲି ଶ୍ରୀ ପ୍ରଧାନ ଆରୋପ ଲଗାଇଥିଲେ। କିନ୍ତୁ ନାଗରିକତା ସଂ‌ଶୋଧନ ଆଇନ ବା ସିଏଏ ଏକ ଐତିହାସିକ ପଦକ୍ଷେପ ଏବଂ ଏହା ଦ୍ବାରା ବିଜେପି ତା’ର ଦାୟିତ୍ବ ପୂରଣ କରିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର