ବିଜେଡି ବିଧାୟକ ଦଳ ବୈଠକ, ସବୁ ପ୍ରସଙ୍ଗ ପାଇଁ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

୨୫ରେ ରାଜ୍ୟପାଳଙ୍କ ଅଭିଭାଷଣ, ୨୮ରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ, ୩୦ଟି କାର୍ଯ୍ୟ ଦିବସ, ୩ଟି ବେସରକାରୀ

ଭୁବନେଶ୍ବର : ଆସନ୍ତା ୨୫ ତାରିଖରୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ଅଧିବେଶନ କାଳରେ ବିରୋଧୀ ଯେତେ ସବୁ ଗଠନମୂଳକ ପ୍ରସଙ୍ଗ ଗୃହରେ ଉଠାଇବେ ସେସବୁ ଆଲୋଚନା କରିବାକୁ ବିଜେଡି ପ୍ରସ୍ତୁତ। ଆଜି ବିଜେଡି ବିଧାୟକ ଦଳ ବୈଠକ ପରେ ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ରବିବାର ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ବିଧାନସଭାର ଆସନ୍ତା ବଜେଟ ଅଧିବେଶନ ବହୁ ଗୁରୁତ୍ବ ରଖୁଛି। ୨୦୧୯ ନିର୍ବାଚନ ବେଳେ ରାଜ୍ୟବାସୀଙ୍କୁ ନିର୍ବାଚନୀ ଇସ୍ତାହାର ଜରିଆରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ଯେପରି ଅକ୍ଷରେ ଅକ୍ଷରେ ପାଳନ ହେବ ସେଥିପାଇଁ ପଦକ୍ଷେପ ନିଆଯିବ। ଏହାସହିତ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମଧ୍ୟ ଆଶା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବଜେଟ ଅଧିବେଶନ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆସନ୍ତା ୨୫ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୦ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି। ସେଥିରେ ୩ଟି ସରକାରୀ ଓ ୩ଟି ବେସରକାରୀ ଦିବସ ରହିଛି। ବିଧାନସଭା ଆରମ୍ଭହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ। ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୨୬ ତାରିଖରେ ବିଧାସନଭା ଉପବାଚସ୍ପତି ପଦ ପାଇଁ ଘୋଷଣା ହେବା ସହ ୨୭ ତାରିଖରେ ଉପବାଚସ୍ପତିଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଗୁରୁତ୍ବପୂର୍ଣ୍ଣ ଅଧିବେଶନରେ ଅନେକ ସରକାରୀ ବିଲ ଆଗତ ହେବାର ସମ୍ଭାବନା ରହିଛି। କିନ୍ତୁ ଏଯାଏଁ କୌଣସି ବିଲ ବିଧାନସଭା ସଚିବାଳୟକୁ ଆସିନାହିଁ।

ଆସନ୍ତା ୨୮ ତାରିଖ ଦିନ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବ। ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରି ବିଲ ଗୃହରେ ପାରିତ କରାଯିବ। ଶ୍ରୀ ଆରୁଖ କହିଥିଲେ, ମୁଖ୍ୟମନ୍ତ୍ରୀ ପଞ୍ଚମପାଳିରେ ରାଜ୍ୟବାସୀଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତିସବୁ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରାଯାଇଛି। ତାକୁ ପାଳନ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଅଧିବେଶନ ସମୟରେ ବିଜେଡିର ସବୁ ବିଧାୟକ ଗୃହରେ ଉପସ୍ଥିତ ରହିବାକୁ ଗୃହର ନେତା ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଦଳ ବୈଠକରେ ମୋଟ ୯୬ ଜଣ ବିଧାୟକ ଓ ବିଧାୟିକା ଉପସ୍ଥିତ ଥିଲେ ବୋଲି ଶ୍ରୀ ଆରୁଖ କହିଥିଲେ।

ସମ୍ବନ୍ଧିତ ଖବର