ରାସ୍ତାରେ ଗାଡି ଅଟକାଇବାରୁ ନିର୍ବାଚନ ଅଧିକାରୀଙ୍କୁ ବିଜେପି ନେତାଙ୍କ ନାଲିଆଖି! ଦେଖନ୍ତୁ ଭିଡିଓ

ହିଞ୍ଜିଳି : ପ୍ରଚାର ଆରମ୍ଭରୁ ନିର୍ବାଚନ ଅଧିକାରୀ ତଥା ସରକାରୀ ବାବୁଙ୍କୁ ନେତାଙ୍କ ନାଲିଆଖି । ହିଞ୍ଜିଳି ଆସନରୁ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ନିର୍ବାଚନ ଅଧିକାରୀ ତଥା ସରକାରୀ ବାବୁଙ୍କୁ ନାଲିଆଖି ଦେଖାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ବିଜେପି ପ୍ରାର୍ଥୀ ପୀତାମ୍ବର ଡ୍ୟୁଟିରେ ଥିବା ଅଧିକାରୀଙ୍କୁ କାହିଁକି ଗାଡି ଅଟକାଉଛ ବୋଲି କୈଫୟତ ମାଗୁଥିବାର ଦେଖିବାକୁ ମିଳିଛି।

ଆଜି ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳି ଯାଉଥିବା ବେଳେ ରାସ୍ତାରେ ତାଙ୍କର ଗାଡି ଅଟକାଇଥିଲେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ । ଆଉ ଯେଉଁଥିପାଇଁ ତାତି ଉଠିଥିଲେ ପୀତାମ୍ବର । ନିର୍ବାଚନ ଅଧିକାରୀଙ୍କ ସମେତ ପୁଲିସ ଅଧିକାରୀଙ୍କୁ କାହିଁକି ତାଙ୍କ ଗାଡି ଅଟକାଇଲ ବୋଲି ପଚାରିଥିଲେ । ଏହାଛଡା ନିର୍ବାଚନ ଅଧିକାରୀଙ୍କୁ ଶାସକ ଦଳର ଚାମଚା କହିବାକୁ ପଛାଇ ନଥିଲେ ପୀତାମ୍ବର । କେବଳ ବିଜେପିର ଗାଡି ଦେଖି ଅଟକାଇବାକୁ ଆପଣଙ୍କୁ କିଏ କହିଛି? ନିର୍ବାଚନ ଅଧିକାରୀଙ୍କୁ ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ପୀତାମ୍ବର ।

ବିଜେପିର ହିଞ୍ଜିଳି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଓ ପୋଲିସ , ନିର୍ବାଚନ ଅଫିସର ମୁହାଁମୁହିଁ, ଦେଖନ୍ତୁ ଭିଡିଓ ଓ ବିଚାର କରନ୍ତୁ ଭୁଲ୍ କାହାର

Posted by Bindasodia on Thursday, March 28, 2019

ଏହାଛଡା ଆପଣ ଅନ୍ୟ କେତେ ଜଣଙ୍କ ଗାଡି ଅଟକାଇଛ ବୋଲି ପ୍ରଶ୍ନ କରିଥିଲେ ପୀତାମ୍ବର । ମୁଁ କାହାକୁ ମାନେନି । ଡ୍ୟୁଟିରେ ଥିବା ଅଫିସରଙ୍କୁ ପଦ୍ମ ପାର୍ଟିର କହିବା ସହ ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଥିଲେ ପୀତାମ୍ବର । ଏପରିକି ନିଜର ପରିଚୟ ଦେବାକୁ ଯାଇ କହିଥିଲେ ମୁଁ କେବଳ ବିଜେପି ପ୍ରାର୍ଥୀ ନୁହେଁ ମୁଁ ଜଣେ ଓକିଲ ମଧ୍ୟ । ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଓକିଲ ରହିଛି ଓ ଅନେକ ପୁଲିସ ବନ୍ଧୁ ମୋର ଅଛନ୍ତି ବୋଲି କହିଥିଲେ । ଯାହାର ପୂରା ଭିଡିଓ କ୍ୟାମେରାରେ କଏଦ ହୋଇଥିଲା ।

ଗୋଟିଏ ପଟେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ଦିନ ରାତି ଏକ କରି ଦେଇଛନ୍ତି । ଏପରିକି ବିଭିନ୍ନ ପଦକ୍ଷେପ ସ୍ୱରୂପ ନେତା ଓ ଅନ୍ୟ ଗାଡି ଗୁଡିକୁ ଅଟକାଇ ଚେକିଂ କରିବାକୁ ଅଧିକାରୀ ମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଯେତେବେଳେ ଡ୍ୟୁଟିରେ ଥିବା ଅଧିକାରୀ ଏହି କାର୍ଯ୍ୟ କରୁଛନ୍ତି ସେତେବେଳେ ତାଙ୍କୁ ପ୍ରଶ୍ନବାଣର ସାମ୍ନା କରିବାକୁ ପଡୁଛି । ପ୍ରଶ୍ନ ଉଠୁଛି, ଜଣେ ପ୍ରାର୍ଥୀ ହିସାବରେ ପୀତାମ୍ବର ଡ୍ୟୁଟିରେ ଥିବା ଅଫିସରଙ୍କୁ ଏଭଳି ବ୍ୟବହାର କରିବା କେତେଦୂର ସମୀଚନ । ନିର୍ବାଚନ ଅଧିକାରୀଙ୍କୁ ଏଭଳି ନାଲିଆଖି ଦେଖାଇ ପ୍ରାର୍ଥୀ ମାନେ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି । ଏଭଳି କ୍ଷେତ୍ରରେ ଭୁଲ କାହାର । ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ପ୍ରଶ୍ନ କରିବା ଭୁଲ ନା ନେତା ସହଯୋଗ ନ କରିବା ଭୁଲ? ସ୍ୱଚ୍ଛ ନିର୍ବାଚନ ପାଇଁ ପୋଲିସ ଅଧିକାରୀଙ୍କୁ ନେତାଙ୍କୁ ସହଯୋଗ କରିବାରେ ଅସୁବିଧା କେଉଁଠି ଥିଲା ତାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରଶ୍ନର ପାହାଡ ଛିଡା ହୋଇଛି ।

ସମ୍ବନ୍ଧିତ ଖବର