ଇଭିଏମ୍ ଭାଙ୍ଗି ବିଜେପି ପ୍ରାର୍ଥୀ ଗିରଫ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହିଂସାକାଣ୍ଡ

ସୁନ୍ଦରଗଡରେ ଯୋଗେଶଙ୍କ ୨ ଭାଇ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ
ବିଧାୟିକା ରାଧାରାଣୀଙ୍କ ସୁରକ୍ଷା କର୍ମୀଙ୍କୁ ମାଡ଼
ପୋଲସରାରେ ୫ ଆହତ, ମୁଣ୍ଡମରାଇରେ ଏଜେଣ୍ଟଙ୍କୁ ଆକ୍ରମଣ
ସୋହେଲାରେ ଛୁରା ମାଡ଼ରେ ଯୁବକ ଆହତ

ବ୍ରହ୍ମପୁର/ ବରଗଡ/ ସୁନ୍ଦରଗଡ଼/ଝାରସୁଗୁଡ଼ା/ସୋହେଲା : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହିଂସାକାଣ୍ଡ ଘଟିଛି। ଇଭିଏମ୍ ଭାଙ୍ଗି ଗଞ୍ଜାମ ଜିଲ୍ଲା ସୋରଡାର ବିଜେପି ପ୍ରାର୍ଥୀ ଗିରଫ ହୋଇଥିବା ବେଳେ ସୁନ୍ଦରଗଡରେ ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷା କର୍ମୀଙ୍କୁ ମା଼ଡ଼ ମାରିବା କାରଣରୁ ସେ ଗୁରୁତର ଆହତ ହୋଇଥିବା ବେଳେ ସୋହେଲାରେ ଛୁରାମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ଏହା ବ୍ୟତୀତ ଆଜି ନିର୍ବାଚନ ହୋଇଥିବା ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ହୋଇଥିବା ଖବର ମିଳିଛି।

ବୁଥ୍ ଭିତରେ ଅନଧିକାର ପ୍ରବେଶ ଓ ଇଭିଏମ୍ କଣ୍ଟ୍ରୋଲ ୟୁନିଟକୁ ଭାଙ୍ଗି ଅଡ଼ୁଆରେ ପଡ଼ିଛନ୍ତି ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ। ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ନୀଳମଣିଙ୍କୁ ସୋରଡ଼ା ଥାନାରେ ଅଟକ ରଖାଯାଇଥିଲା ଓ ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏହି ଘଟଣାକୁ କେନ୍ଦ୍ର କରି ବିଜେପି ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେବା ସହ ଥାନା ସମ୍ମୁଖରେ ସେମାନେ ମେଳି ବାନ୍ଧିଛନ୍ତି।

ଆଜି ଅପରାହ୍ନ ସାଢେ ୫ଟାରେ ସୋରଡ଼ା ବ୍ଲକ ହୁକୁମା ପଞ୍ଚାୟତ ରେଣ୍ଟି ଠାରେ ଥିବା ୧୮୨ ନମ୍ବର ବୁଥରେ ରିଗିଂ ହେଉଥିବା ଅଭି‌ଯୋଗ ଆଣି ନୀଳମଣି ସେଠାରେ ସମର୍ଥକଙ୍କ ସହ ପହଞ୍ଚିଥିଲେ। ଏହି ସମୟରେ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ନୀଳମଣିଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନୀଳମଣି ବୁଥରେ ଥିବା ଇଭିଏମର କଣ୍ଟ୍ରୋଲ୍ ୟୁନିଟକୁ ଭାଙ୍ଗି ଦେଇଥିଲେ। ସଂଗେ ସଂଗେ ପୁଲିସ ସେଠାରେ ପହଞ୍ଚି ତାଙ୍କୁ କାବୁ କରିବା ସହ ଥାନାକୁ ଆଣିଥିଲା।

ସେହିଭଳି ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୨ଟି ନିର୍ବାଚନୀ ହିଂସା ଅଞ୍ଚଳବାସୀଙ୍କୁ ଆତଙ୍କିତ କରିଛି। ଗତକାଲି ଅପରାହ୍ନ ୩ଟାରେ ସାମ୍ବାଦିକ ସୁଧାକର ପାଣ୍ଡେଙ୍କୁ ଆକ୍ରମଣ ହୋଇଥିଲା। ସେ ଅଘଟଣକୁ ମାତ୍ର ୭ ଘଣ୍ଟା ନଯାଉଣୁ ରାତି ସାଢ଼େ ୧୦ଟାରେ ପୂର୍ବତନ ବିଧାୟକ ତଥା ସୁନ୍ଦରଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଯୋଗେଶ କୁମାର ସିଂହଙ୍କ ବଡ଼ ଭାଇ ନରେଶ ପ୍ରତାପ ସିଂହ ଓ ସାନ ରିତେଶ ସିଂହଙ୍କ ସମେତ ରାକେଶ ଅଗ୍ରୱାଲ, ସୁମନ୍ତ ପଟେଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ରାଏବଗା ଠାରେ ରଣଜିତ ମଗଧା ଓ ଅନ୍ୟ ୨୦ରୁ ସମର୍ଥକ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ରରେ ଏମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ବିଜେପି ସମର୍ଥକ ବୋଲି କୁହାଯାଉଛି। ତେବେ ଏହାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି। ସମସ୍ତ ଆହତଙ୍କୁ ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଼ଏଯାଏ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇପାରି ନାହିଁ।

ଅଭିଯୋଗ ଅନୁସାରେ, ୧୭ ତାରିଖ ରାତି ସାଢ଼େ ୯ଟାରେ ଯୋଗେଶଙ୍କ ସାନ ଭାଇ ରିତେଶଙ୍କ ମୋବାଇଲ୍‌କୁ ରାଏବଗାର କିଛି ବ୍ୟକ୍ତି କଲ୍‌ କରି ରଣଜିତ ମଗଧା ଓ କିଛି ବାହାର ବ୍ୟକ୍ତି ବିଜେପି ପ୍ରାର୍ଥିନୀ କୁସୁମ ଟେଟେଙ୍କୁ ଭୋଟ ଦେବାକୁ ଧମକଚମକ ଦେଉଥିବା ସୂଚନା ଦେଇଥିଲେ। ଏହି ସୂଚନାକ୍ରମେ ଯୋଗେଶଙ୍କ ୨ ଭାଇ ନରେଶ ଓ ରିତେଶଙ୍କ ସହ ବନଜାରିବରର ସୁମନ୍ତ ପଟେଲ ଓ ରାକେଶ ଅଗ୍ରୱାଲ ୨ଟି ବାଇକ୍‌ରେ ରାତି ସାଢ଼େ ୧୦ଟାରେ ରାଏବଗା ପହଞ୍ଚିଥିଲେ। ଗାଁ ମୁଣ୍ଡରେ ଏମାନଙ୍କୁ ଦେଖି ରଣଜିତ ମଗଧା ଓ ଅନ୍ୟ ୨୦ରୁ ଅଧିକ ସମର୍ଥକ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆ, ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ମାଡ଼ରେ ଗୁରୁତର ହେବା ପରେ ଭୟରେ ଏମାନେ ଚିତ୍କାର କରିବାରୁ ଗାଁ ଲୋକେ ଧାଇଁ ଆସି ଉଦ୍ଧାର କରିଥିଲେ। ପରେ ୪ ଜଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସର୍ଗିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଜେପି ପ୍ରାର୍ଥିନୀ କୁସୁମ ଟେଟେଙ୍କ ସ୍ବାମୀ ଅଜୟ ପଟେଲଙ୍କ ପ୍ରରୋଚନାରେ ଆକ୍ରମଣ କରାଯାଇଥିବା ଯୋଗେଶ ସିଂହ ଅଭିଯୋଗ କରିଥିବା ବେଳେ ଏହାକୁ କୁସୁମ ଟେଟେ ସିଧାସଳଖ ଖଣ୍ଡନ କରିବା ସହ ଘଟଣା ପଛରେ ଭିନ୍ନ ରହସ୍ୟ ରହିଥିବା ପ୍ରକାଶ କରିଛନ୍ତି। ପ୍ରକୃତରେ ଯୋଗେଶଙ୍କ ୨ ଭାଇ ରାଏବଗାକୁ ଟଙ୍କା ବାଣ୍ଟିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ ଓ ‌ସେଥିରୁ ହିଁ ସେମାନଙ୍କ ମଧ୍ୟରେ ମାଡ଼ପିଟ ହୋଇଥିବା ସୂଚନା ମିଳିଛି ବୋଲି ଶ୍ରୀମତୀ ଟେଟେ କହିଥିଲେ।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସୁରକ୍ଷା ଅଧିକାରୀ ରାଧେ କିସାନଙ୍କୁ ଆକ୍ରମଣ ଅଭିେଯାଗ େହାଇଛି। କିସାନ ପୁଲିସରେ ଅଭିଯୋଗ କରିଛନ୍ତି, ଗୁରୁବାର ଅପରାହ୍ନ ସାଢ଼େ ୧୨ଟା ସମୟରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଥିବା ଗଙ୍ଗାନଗର ବୁଥ୍ ନଂ ୧୮୨ରେ ବୁଥ୍‌ ରାଗିଂ ହେଉଥିବା ଖବର ମିଳିଥିଲା। ବିଜେପି ବିଧାୟିକା ପ୍ରାର୍ଥୀ ରାଧାରାଣୀ ପଣ୍ଡା ସେଠାରେ ପହଞ୍ଚିବା ପରେ ଉପସ୍ଥିତ ଥିବା ଅନ୍ୟ ବିରୋଧୀ ଦଳର କର୍ମୀମାନେ ଶ୍ରୀମତୀ ପଣ୍ଡାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ଏହାକୁ ପ୍ରତିରୋଧ କରିବାରୁ ତାଙ୍କୁ ତଳେ ପକାଇ ମାଡ଼ ମାରିଥିଲେ ଏଥିରେ ତାଙ୍କର ମୁଣ୍ଡ ଓ ଆଖିରେ ଗୁରୁତର ଆଘାତ ଲାଗିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଘଟଣାରେ ବିଧାୟିକା ଶ୍ରୀମତୀ ପଣ୍ଡା ସିଧାସଳଖ ବିଜେଡିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ବିଜେଡିର କର୍ମୀମାନେ ତାଙ୍କ ଉପରକୁ ଆକ୍ରମଣ କରିବା ଲାଗି ଉଦ୍ୟମ କରୁଥିଲେ। ତେବେ ବିଜେଡି ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ପ୍ରକାଶ ପାଇ ନଥିବା ସୂଚନା ମିଳିଛି।

ସେହିପରି ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନମଣ୍ଡଳୀ କବିସୂର୍ଯ୍ୟନଗର ଥାନା ରୁମାଗଡ଼ ପଞ୍ଚାୟତ ଭାଟଖାଲି ଗ୍ରାମରେ ହିଂସାକାଣ୍ଡରେ ୩ ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ଶ୍ୟାମସୁନ୍ଦର ସାହୁ, ବିଦେଶୀ କୁମାର ସାହୁ ଓ ରାଜୀବ ବିଷୋୟୀ। ଏନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆହତଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ କାତି ଓ କାଠଫାଳିଆରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଶ୍ୟାମସୁନ୍ଦର ଓ ବିଦେଶୀଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହା ପରେ କବିସୂର୍ଯ୍ୟନଗର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ ଫୋର୍ସ ଗ୍ରାମରେ ମୁତୟନ କରାଯାଇଥିବା ଜଣାପଡ଼ିଛି।

ପୋଲସରାରେ ଆଜି ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟ‌ରେ ସଂଘର୍ଷ ଘଟିଛି। ଓଡ଼ିଆସାହି ପିଲାଖାଇ ବନ୍ଧ ନିକଟରେ ଥିବା ସ୍କୁଲ ବୁଥ ନିକଟରେ ଆଜି ସକାଳେ ବାଟୁ ସାହୁ ନାମକ ଜଣେ ଯୁବକ ବିପକ୍ଷ ଗୋଷ୍ଠୀ ସମର୍ଥକଙ୍କ ଆକ୍ରମଣରେ ଆହତ ହୋଇଥିଲେ। ଏଥିରେ ପ୍ରତିଶୋଧପରାୟଣ ହୋଇ ବାଟୁଙ୍କ ସମର୍ଥକ ମାନେ ରତନି ମନ୍ଦିର ଛକରେ ବିପକ୍ଷ ଗୋଷ୍ଠୀର ଦେଉଳପେଡ଼ି ସାହିର କାହ୍ନୁ ସ୍ବାଇଁ (୩୮)ଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମରେ ଶ୍ରୀକାନ୍ତ ଷଡ଼ଙ୍ଗୀ ନାମକ ଜଣେ ଯୁବକଙ୍କୁ କିଛି ଲୋକ ଆକ୍ରମଣ କରି କୋଠଘରେ ବନ୍ଦ କରି ରଖିଥିଲେ। ପୁଲିସ ପହଞ୍ଚି ଉଦ୍ଧାର କରିଥିଲା। ଶ୍ରୀକାନ୍ତ ନିର୍ଦ୍ଦିଷ୍ଟ ଦଳର ଏଜେଣ୍ଟ ହୋଇ ଆସିଥିଲେ। ନିର୍ବାଚନ ଶେଷ ହେବା ପରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ବରଗଡ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ବଂଜାରୀ ଗ୍ରାମର ବୁଥ ନମ୍ବର ୨୧୯ରେ ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ବିଜେଡି ସମର୍ଥକ ପପୁନ ବେହେରା ଗୁରୁତର ଆହତ ହୋଇଛନ୍ତି। ଛୁରାମାଡ଼ କରିଥିବା ବଂଜାରୀ ଗ୍ରାମର ଯୁବକ ଛୋଟେ ବାଗଙ୍କୁ ବିଜେଡି ସମର୍ଥକ ମାଡ଼ପିଟ କରିଥିଲେ। ଗୁରୁତର ଆହତ ଛୋଟେଙ୍କୁ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ପପୁନ ବେହେରାଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ସୁତ୍ରରୁ ପ୍ରକାଶ। ଏହି ଘଟଣାପରେ ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇ କିଛି ସମୟ ଧରି ଭୋଟ ଗ୍ରହଣ ବନ୍ଦ ରହିଥିଲା। ପରେ ଥାନା ଆଇଆଇସି ନିର୍ମଳ ମହାପାତ୍ର ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ଭୋଟ ଗ୍ରହଣ ସ୍ୱାଭାବିକ ହୋଇଥିଲା।

୧୭ ତାରିଖ ରାତି ପ୍ରାୟ ୨ଟା ‌ବେ‌ଳେ ବରଗଡ ଜିଲ୍ଲା ଖୁଣ୍ଟପାଲି ଗାଁରେ ଉ‌େତ୍ତଜନା ପ୍ରକାଶ ପାଇଛି। ଆକ୍ରମଣରେ ମାଧବ ବୁଡ଼େକ, ପ୍ରଦୀପ ବୁଡ଼େକ ଏବଂ ସୁନୀଲ ବୁଡ଼େକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ରାତାରାତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ବରଗଡ଼ ସଦର ଗଂଗାଧର ନଗରଠାରେ ଦୁଇଟି ଦଳର ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଦୁଇଥର ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା। ତୃତୀୟ ଥର ଉତ୍ତେଜନା ପ୍ରକାଶ ପାଇବାରୁ ବ୍ୟାପକ ପୁଲିସ୍‌ ଫୋର୍ସ ପହଂଚି ଲାଠି ଚାଳନା କରି ଭିଡ଼କୁ ଘଉଡ଼ାଇଥିଲା। ସେହିପରି ଅମ୍ବାଭୋନା ବ୍ଲକ ଭୁକ୍ତାଠାରେ ବିଜେପି ନେତା ତାରାଚାନ୍ଦ ପଟେଲଙ୍କୁ ୧୮ ତାରିଖ ସଂଧ୍ୟା ପ୍ରାୟ ୬ଟା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର