ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ: ମୁହଁରେ କପଡ଼ା ବାନ୍ଧି ନେଇଗଲେ, ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଲେ

ମାଲକାନଗିରି : ନିର୍ବାଚନ ପ୍ରଚାରର ଉଷ୍ମତା ଭିତରେ ମାଲକାନଗିରି ଜିଲ୍ଲାରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ବିଜେପିର ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଛି। ତେବେ, ସେ ଅପହର୍ତ୍ତାଙ୍କ କବଳରୁ ଖସି ଆସିବାକୁ ସକ୍ଷମ ହୋଇଛନ୍ତି।

ସୂଚନା ଅନୁଯାୟୀ, କୋରୁକୋଣ୍ଡା ଜୋନ୍‌-୨ ଜିଲ୍ଲା ପରିଷଦ ଆସନରୁ ପ୍ରଦୀପ ମାଡ଼କାମୀ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଗତ ୨୧ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ ହୋଇଥିଲା। ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ନିର୍ବାଚନ ନ ଲଢ଼ିବାକୁ ଧମକାଇଥିଲେ। କିନ୍ତୁ ପ୍ରଦୀପ ଏହି ଧମକକୁ ବେଖାତିର କରିଥିଲେ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନଥିଲେ। ଗତକାଲି ପ୍ରଦୀପ ବାଲିମେଳାସ୍ଥିତ ପେଟ୍ରୋଲ ପମ୍ପରେ ନିଜ ମଟରସାଇକେଲରେ ପେଟ୍ରୋଲ ପକାଇ ଫେରିବା ସମୟରେ ଗୋଟିଏ ଗ୍ୟାରେଜ ନିକଟରେ ପୁଣି ତିନି ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଗୋଟିଏ ଗାଡ଼ିରେ ଜୋରଜବରଦସ୍ତ ବସାଇ ମୁହଁରେ କପଡ଼ା ବାନ୍ଧି ‌େଦଇଥିଲେ। ଚିତ୍ରକୋଣ୍ଡା ନେଇ ପ୍ରଚାର ନ କରିବାକୁ ଡରାଇଥିଲେ। ଏପରିକି ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯିବ ବୋଲି ଚେତାବନୀ ଦେଇଥିଲେ। ପ୍ରଦୀପ କୌଣସି ପ୍ରକାର ଦୁର୍ବୃତ୍ତଙ୍କ କବଳରୁ ଖସି ଆସିବା ପରେ ବାଲିମେଳା ପହଞ୍ଚିଥିଲେ। ତୁରନ୍ତ ବାଲିମେଳା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର