ଧାମନଗରରେ ୯୦୦୦ ଭୋଟ୍‌ରେ ଜିତୁଛି ବିଜେପି, ସରକାରୀ ଘୋଷଣାକୁ ଅପେକ୍ଷା

ଭଦ୍ରକ: ଧାମନଗର ଉପନିର୍ବାଚନରେ ପୁଣି ଥରେ ପଦ୍ମ ଫୁଟିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ଧାମନଗରବାସୀ ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ଏଠାକାର ମତଦାତାମାନେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅଧିକ ଭୋଟ ଦେଇ ବିଜୟୀ କରାଉଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁସେଠୀଙ୍କୁ ୮୦,୧୧୧ ଖଣ୍ଡ ଭୋଟ୍‌ ମିଳିଥିଲା। ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି)ଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଔପଚାରିକ ଭାବେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧାମନଗର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। କିନ୍ତୁ ନିର୍ବାଚନ ଆୟୋଗଙ୍କ ଘୋଷଣା ପରେ ପ୍ରକୃତ ଖବର ଜଣାପଡ଼ିବ।

ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପକ୍ଷରେ ଜନାଦେଶ ଆସିଥିଲା। ଅର୍ଥାତ ଭୋଟଗଣତିର ବିଭିନ୍ନ ରାଉଣ୍ଡରେ ବିଜେପିକୁ ଅଧିକ ଭୋଟ୍‌ ମିଳୁଥିବାର ପରିଲକ୍ଷିତ ହେଉଥିଲା ଏବଂ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ଆଗୁଆ ଥିବା ଜଣାପଡ଼ିଛି। ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଭଦ୍ରକରୁ ଭୁବନେଶ୍ବର ଯାଏଁ ବିଜେପିର କର୍ମୀମାନେ ଉତ୍ସାହିତ ଦେଖାଯାଇଛନ୍ତି। ନାଚ, ଗୀତ, ମିଠା ବାଣ୍ଟିବା କାମରେ ବ୍ୟସ୍ତ ରହୁଛନ୍ତି।

ସମ୍ବନ୍ଧିତ ଖବର