ଭବାନୀପାଟଣା: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍ଏସି ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭୟଭୀତ କରାଉଛନ୍ତି। ଏମିତିକି ପ୍ରାର୍ଥିପତ୍ର ପ୍ରତ୍ୟାହାର ନିମନ୍ତେ ଚାପ ପକାଉଥିବା ଅଭିଯୋଗ ନେଇ ବିଜେପି ପ୍ରାର୍ଥୀମାନେ କଳାହାଣ୍ଡି ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଜୁନାଗଡ଼ ପୌର ନିର୍ବାଚନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବିଜେଡି ପକ୍ଷରୁ ବାରମ୍ବାର ଚାପ ପକାଯାଉଛି। ଜୁନାଗଡ଼ର ଏକ ହୋଟେଲରେ ନିୟମିତ ବୈଠକ କରି ମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କୁ ଭୟଭୀତ କରିବା ପାଇଁ ନିର୍ଦେଶ ଦେଉଥିବା ଅଭିଯୋଗ କରିଛନ୍ତି। ମନ୍ତ୍ରୀଙ୍କ ନିର୍ଦେଶରେ ବିଳମ୍ବିତ ରାତିରେ ବିଜେପି ପ୍ରାର୍ଥୀଙ୍କ ଘରକୁ ବିଜେଡି ଲୋକେ ଯାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଭୟଭୀତ କରୁଛନ୍ତି। ୨ ଦିନ ମଧ୍ୟରେ ୧୦ ନଂ ୱାର୍ଡର ବିଜେପି ପ୍ରାର୍ଥୀ ବଂଶୀ ମଶ୍ରା ଏବଂ ୱାର୍ଡ ନଂ ୧୨ର ପ୍ରାର୍ଥୀ ବାସୁଦେବ ତାଣ୍ଡିଙ୍କୁ ପ୍ରତ୍ୟାହାର ପାଇଁ ଭୟଭୀତ କରୁଛନ୍ତି।
ତେଣୁ ସୁରକ୍ଷା ଦାବି କରି ପୁଲିସ ଏସ୍ପି ଡ. ଶ୍ରବଣା ବିବେକ ଏମ୍ଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ମୁକେଶ ଅଗ୍ରୱାଲ, କାଳିନ୍ଦୀ ପାଣିଗ୍ରାହୀ, ସମସ୍ତ କାଉନ୍ସିଲର ପ୍ରାର୍ଥୀ ସାମିଲ ଥିଲେ। ତୁରନ୍ତ ଏକ ଟିମ୍ ପଠାଇ ପଦକ୍ଷେପ ନିଆଯିବ ବୋଲି ଏସ୍ପି କହିଛନ୍ତି।