ବୀରମହାରାଜପୁର ବିଧାନସଭା ‌କ୍ଷେତ୍ର: ବିଜେପିରୁ ରଘୁ ଜଗଦଲା, ପ୍ରାର୍ଥୀ ସ୍ପଷ୍ଟ କଲାନି ବିଜେଡି ଓ କଂଗ୍ରେସ

ଜନସାଧାରଣଙ୍କ ନିର୍ଦ୍ଦେଶରେ କାମ କରିବି: ରଘୁନାଥ ଜଗଦଲା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ୬୪ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ତରଫରୁ ପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି। ଏଠାରୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୨୦୧୯ରେ ଦଳୀୟ ପ୍ରାର୍ଥୀ ହୋଇଥିବା ଇଂ ରଘୁନାଥ ଜଗଦଲା ପୁଣି  ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଫଳରେ ବିଜେପି ମହଲରେ ଉତ୍ସାହ ଖେଳି ଯାଇଛି।

ଦଳିୟ ଟିକେଟ୍ ପାଇବାପରେ ସମ୍ବାଦକୁ ଶ୍ରୀ ଜଗଦଲା ପ୍ରତିକ୍ରିୟାରେ କହିଛନ୍ତି ମୋ’ର ରାଜନୈତିକ ଗୁରୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ସଭାପତି ଜେପି ନଡ୍ଡା, ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧନ୍ୟବାଦ ଜଣାଉଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ କରିବାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୁରଣ କରିବା ସହିତ ଡବଲ ଇଞ୍ଜିନ ସରକାର ହେବ। ଏହା ମୋ ଅଞ୍ଚଳର ଜନସାଧାରଣଙ୍କ ଆଶୀର୍ବାଦରୁ ସମ୍ଭବ ହେବାକୁ ଯାଉଛି। ମୋ ନିର୍ବାଚନ ମଣ୍ଡଳୀ ଏକ କୃଷିପ୍ରଧାନ ଅଞ୍ଚଳ। ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ଅଞ୍ଚଳରେ ଜଳସେଚନ, ଗମନାଗମନ, ସ୍ବାସ୍ଥ୍ୟ ସମାସ୍ୟା ଓ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିବି। ଜନସାଧାରଣଙ୍କ ସହଯୋଗ କାମନା କରୁଛି। ସେମାନେ ଯାହା ନିର୍ଦ୍ଦେଶ ଦେବେ ସେମାନଙ୍କ ହିସାବରେ କାର୍ଯ୍ୟ କରିବି। ଏଥିପାଇଁ ମୋ ଦଳର ନେତା କର୍ମୀ ଓ ସମସ୍ତ ଜନସାଧାରଣ ସହଯୋଗ କାମନା କରୁଛି।

ଏଠାରେ ସୂଚାଇ ଦିଆଯାଇପାରେ ୨୦୧୯ରେ ରଘୁନାଥ ଜଗଦଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୫୨,୧୪୫ ଖଣ୍ଡ ଭୋଟ ପାଇ ପଦ୍ମନାଭ ବେହେରାଙ୍କ ଠାରୁ ପରାସ୍ତ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ହାରିବା ପରେ ମଧ୍ୟ ରଘୁନାଥ ଜଗଦଲା ଦଳୀୟ କାର୍ଯ୍ୟକ୍ରମରେ ସବୁବେଳେ ସାମିଲ ହୋଇ କାର୍ଯ୍ୟ କରି ଆସୁଥିବାରୁ ତାଙ୍କୁ ଦଳ ଟିକଟ୍ ଦେଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର