ଶ୍ରୀମନ୍ଦିରରେ ସମ୍ବିତ : କହିଲେ, ବିକାଶ ହେବ ମୁଖ୍ୟ ପ୍ରସଙ୍ଗ

ପୁରୀ : ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର। ବିରୋଧୀ ଦଳ ପକ୍ଷରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ କିଏ ହେବ ତାହା ଏଯାବତ୍‌ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆଜିଠୁ ସମ୍ବିତ ଆନୁଷ୍ଠାନିକ ଭାବେ ତାଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ରୋଡ୍‌ ସୋ, ଦେବଦେବୀ ପୀଠ ଦର୍ଶନ ସହ ଲୋକଙ୍କ ସହ ମିଶିଛନ୍ତି। ସମ୍ବିତଙ୍କ ରୋଡ଼ ସୋ’କୁ ନେଇ ଦଳୀୟ କର୍ମୀ ଓ ନେତାମାନେ ଉତ୍ସାହିତ ରହିଛନ୍ତି। ହେଲେ ଏହା କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡି।

ପୁରୀ ଲୋକସଭା ଆସନ ପାଇଁ ବିଜେଡି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବା ବେଳେ ବିଜେପି ସମ୍ବିତଙ୍କ ନାମ ଘୋଷଣା କରିଛି। ଦଳୀୟ ପ୍ରାର୍ଥୀ ଭାବେ ନାମ ଘୋଷଣା ହେବା ପରେ ଆଜି ରଣକ୍ଷେତ୍ରକୁ ଓହ୍ଲାଇ ସମ୍ବିତ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ବିକାଶର ପ୍ରସଙ୍ଗ ଗଣମାଧ୍ୟମ ଆଗରେ ଥୋଇଛନ୍ତି। ପିପିଲିରେ ପହଞ୍ଚିବା ପରେ ତାଙ୍କୁ ଦଳର ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବଂ ତାଙ୍କର ସମର୍ଥକମାନେ ଉତ୍ତରାଛକଠାରୁ ଏକ ବାଇକ୍ ରୢାଲିରେ ପାଛୋଟି ଆଣିଥିଲେ। ସେଠାରେ ସାମିଲ୍‌ ହୋଇଥିଲେ ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର। ସମର୍ଥକ କମ୍‌ ଥିଲେ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ସମ୍ବିତଙ୍କୁ। ସମ୍ବିତ ସେଠାରୁ ସାକ୍ଷୀଗୋପାଳ ମନ୍ଦିର ଏବଂ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ଦର୍ଶନ କରିଥିଲେ। ଲୋକଙ୍କ ସହ କଥା ହେବା ବେଳେ ସେ କହିଥିଲେ, ପୁରୀ ଏକ ମାମୁଲି ସ୍ଥାନ ନୁହେଁ। ଏହା ଏକ ସ୍ବତନ୍ତ୍ର ସ୍ଥାନ। ଏହାର ବିକାଶ ବି ସ୍ବତନ୍ତ୍ର ଭାବେ ହେବା କଥା। ଯାହା ହୋଇନାହିଁ। ମୋଦୀ ସରକାର ପୁରୀର ବିକାଶ ପାଇଁ ସ୍ବତନ୍ତ୍ର ଚିତ୍ର ପ୍ରସ୍ତୁତ କରିଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦେଖି ବିକାଶ ହେବ। ପୁରୀ ହେବ ଦେଶର ଅନ୍ୟତମ ବିକଶିତ ନିର୍ବାଚନ ମଣ୍ଡଳୀ ବୋଲି ସେ କହିଥିଲେ। ପୁରୀ ଆସିବା ବାଟରେ ହରେକୃଷ୍ଣପୁରଠାରେ ତାଙ୍କୁ ବିଜେପିର ସମର୍ଥକ ଓ କର୍ମକର୍ତ୍ତା ସ୍ବାଗତ କରିଥିଲେ। ସେଠାରୁ ସମ୍ବିତ ଏକ ବିରାଟ‌ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଏବଂ ବାହାରକୁ ଆସି ତାଙ୍କର ବିକାଶ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର