କେନ୍ଦ୍ରୀୟ ଯୋଜନା ହଡପ ନେଇ ବ୍ଲକ ଓ ମ୍ୟୁନିସିପାଲିଟି ଘେରାଉ କରିବ ବିଜେପି

ଭୁବନେଶ୍ୱର, ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି।

ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନାଁ ବଦଲାଇ ବାହା ବାହା ନେବାକୁ ବସିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ରାଜ୍ୟ ବିଜେପି ଆଗାମୀ ୨୭ ତାରିଖ ଦିନ ରାଜ୍ୟର ସମସ୍ତ ୩୧୪ ବ୍ଲକ, ସମସ୍ତ ଏନଏସି/ମ୍ୟୁନିସପାଲିଟି ଘେରାଉ କରିବା ସହ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଯିବ ବୋଲି ରାଜ୍ୟ ସଭାପତି ତଥା ସାସଂଦ ବସନ୍ତ ପଣ୍ଡା କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପଣ୍ଡା କହିଛନ୍ତି ଯେ, ୨୦୧୧ ଜନଗଣନା ଅନୁଯାୟୀ ଏସ୍‌ଇସିସି ଲିଷ୍ଟ ଅନୁଯାୟୀ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଗରିବ ହିତାଧିକାରୀ ସୂଚୀ ତଦାରଖ କରିବା କଥା । କିନ୍ତୁ ଏହି ସୂଚୀକୁ ଦଳୀୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି । ଗୋଟିଏ ପରିବାରରେ ୨ରୁ ୩ ଜଣଙ୍କ ନାଁରେ ପକ୍କା ଘର ଦିଆଯାଉଛି । କାର୍ଯ୍ୟାଦେଶ ପାଇବା ପାଇଁ ବ୍ୟାପକ ଅର୍ଥ କାରବାର ହେବା ନଜରକୁ ଆସିଛି ।

ସେହିପରି ଏହି କାର୍ଯ୍ୟାଦେଶରେ ପ୍ରଧାନମନ୍ତ୍ରୀ ଆବାସ ବୋଲି ଉଲ୍ଲେଖ ହେବା ଆବଶ୍ୟକ । କାର୍ଯ୍ୟାଦେଶକୁ ପଂଚାୟତ/ବ୍ଲକରେ ଦିଆ ନଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଣ୍ଟାଯିବା ପାଇଁ ସ୍ଥଗିତ ରଖାଯାଉଛି। ଏହା ଫଳରେ ସମୟାନୁଯାୟୀ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।

ରାଜ୍ୟର ସମୁଦାୟ ୨୦ ଲକ୍ଷ ପକ୍କାଘରରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଆଉ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହାଉସିଂଙ୍ଗ ଫର ଅଲ୍‌ ୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବେ ମୋଦୀ ସରକାର।

ବିଗତ ୩ ବର୍ଷର ରାଜ୍ୟସରକାରଙ୍କ ବଜେଟରେ ବିଜୁ ପକ୍କା ଘର ପାଇଁ ଟଙ୍କାଟିଏ ବି ନାହିଁ।

କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ନେଇ ସାଧାରଣ ଲୋକଙ୍କୁ ସଚେତନ କରିବ ବିଜେପି।

ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବ ବିଜେପି।

ସମ୍ବନ୍ଧିତ ଖବର