ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନକୁ ଓଡ଼ିଶା ବିଜେପି ବଡ଼ ଆଡ଼ମ୍ବରରେ ପାଳନ କରିଛି। ସାରା ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହୋଇଥିବାବେଳେ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବ। ସେବା ପକ୍ଷ ପାଳନ ଉପଲକ୍ଷେ ଆଜି ପ୍ରଥମ ଦିନରେ ‘ସେବା ଦିବସ’ ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ‘ମା’ପାଇଁ ଗଛଟିଏ ଅଭିଯାନ’ ଶୁଭାରମ୍ଭ କରାଯାଇଛି । ସେହିପରି ମୋଦୀଙ୍କ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନୀ, ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର, ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳେ ଭୁବନେଶରସ୍ଥିତ ମାଷ୍ଟରକ୍ୟାଣ୍ଟିନ ନିକଟ ସିଟି ବସ୍ଷ୍ଟାଣ୍ଡଠାରେ ସ୍ୱଚ୍ଛଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂହ, ସେବା ପକ୍ଷ ରାଜ୍ୟ ସଂଯୋଜକ ଯତୀନ ମହାନ୍ତି, ସ୍ୱଚ୍ଛ ଭାରତ ଅଭିଯାନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଶତାଧିକ କାର୍ଯ୍ୟକର୍ତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଜନପଥରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ପ୍ରମୁଖ ‘ମା’ ପାଇଁ ଗଛଟିଏ ଅଭିଯାନ’ ଅନ୍ତର୍ଗତ ଗଛ ଲଗାଇଥିଲେ। ରାଜ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମୋଦୀଙ୍କ ଜୀବନ ଉପରେ ଆଧାରିତ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଦ୍ଘାଟନ କରିଥିଲେ। ସାରା ରାଜ୍ୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ବିଭିନ୍ନ ମନ୍ଦିର ଓ ଦେବାଳୟରେ ଦୀପ ଜାଳି ତାଙ୍କର ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି। ରସୁଲଗଡ଼ସ୍ଥିତ ବୀଣାପାଣି ଶିକ୍ଷା ନିକେତନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ‘ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା’ ଆୟୋଜନ କରାଯାଇଥିଲା। ବିଜେପି କୃଷକ ମୋର୍ଚ୍ଚାର ଭୁବନେଶ୍ୱର ଜିଲ୍ଲା ପକ୍ଷରୁ ଜଗନ୍ନାଥପୁର, କୋରଡ଼କଣ୍ଟା, କେଶୁରା ଆଦି ଗ୍ରାମରେ ବୃକ୍ଷରୋପଣ କରାଯାଇଛି।