ସୁନ୍ଦରଗଡ଼: ସବୁ ଗଣିତକୁ ଓଲଟପାଲଟ କରି ସୁନ୍ଦରଗଡ଼ ପୌରାଧ୍ୟକ୍ଷ ଆସନଟିକୁ ବିଜେପି ହାତେଇ ନେଇଛି। ବିଜେପିର ଏ ବିଜୟ ବିଜେଡିକୁ ବଡ଼ ଝଟକା ଦେଇଛି। ଜିଲ୍ଲା ପରିଷଦରେ ଏକପାଖିଆ ବିଜୟ ପରେ ପୌରପରିଷଦ ବି ଅନାୟସରେ ବିଜେଡି ହାତକୁ ଯିବ ବୋଲି ଦଳୀୟ କର୍ମକର୍ତ୍ତା ଭାବି ନେଇଥିଲେ। କିନ୍ତୁ ତାହା ଭୁଲ୍ ପ୍ରମାଣିତ ହୋଇଛି। ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି ସତ, ହେଲେ ସ୍ବାଧୀନ ପ୍ରାର୍ଥୀଙ୍କ ଠାରୁ ମାତ୍ର ୩୫ ଭୋଟ୍ ଅଧିକ ପାଇଛି। ଅଧ୍ୟକ୍ଷ ନିର୍ବାଚନ ପରେ ଏବେ ପୌର ଉପାଧ୍ୟକ୍ଷ ଆସନକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ୧୯ଟି ୱାର୍ଡ ବିଶିଷ୍ଟ ପୌରପରିଷଦରେ ବିଜେଡି ୧୧ଟି ୱାର୍ଡରେ ବିଜୟ ହାସଲ କରିଛି। ତା’ ପଛକୁ ୭ଟିରେ ବିଜେପି ଓ ଗୋଟିଏ ଆସନ ଯାଇଛି ବିଜେଡି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀଙ୍କ ପାଖକୁ। ତେଣୁ ପୌର ଉପାଧ୍ୟକ୍ଷ ଆସନଟି ବିଜେଡି ଖାତାକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ତେବେ ବିଜୟୀ କାଉନସିଲର୍ ହେମନ୍ତ ପାଢ଼ୀ, ଅନୀଲ ମହାପାତ୍ର, ମହମ୍ମଦ ଆଝାର ହୁସେନ, ଶ୍ବେତାଶେଫାଳି ମୁଣ୍ଡୁ, ଚିରସ୍ମିତା ଯୋଶୀ, ଲଲାଟେନ୍ଦୁ ପରିଡ଼ା, ବେଣୁଧର ତାଣ୍ଡିଆ, କୈଳାସ ତନ୍ତୀ, ଦୁଶିଳା ଦଣ୍ଡସେନା, ସୁଶୀଳା ନାଗ, ରଜନୀ ରୋହିଦାଶଙ୍କ ମଧ୍ୟରୁ ଦଳ କାହା ମୁଣ୍ଡରେ ଉପାଧ୍ୟକ୍ଷ ଶିରୋପା ବାନ୍ଧିବ, ତାକୁ ନେଇ ଚର୍ଚ୍ଚା ସରଗରମ। ନିର୍ବାଚନ ପୂର୍ବରୁ ଉପାଧ୍ୟକ୍ଷ ଆଶାୟୀ ତାଲିକାରେ ଦଳର ଲଲାଟେନ୍ଦୁ ପରିଡ଼ା, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ ନଗରପାଳ କାମିନୀ ମହାପାତ୍ରଙ୍କ ପୁଅ ଅନୀଲ ମହାପାତ୍ର ଓ ପୂର୍ବତନ ପୌର ଉପାଧ୍ୟକ୍ଷ ସୁମନ୍ତ ପଣ୍ଡାଙ୍କ ନାମ ଥିଲା।
କିନ୍ତୁ ସୁମନ୍ତ ପଣ୍ଡା ୧୬ ନମ୍ବର ୱାର୍ଡରେ ପ୍ରତିଦ୍ବନ୍ଦ୍ବିତା କରି ବିଜେଡି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ସୁମନ୍ତ ସାହୁଙ୍କ ଠାରୁ ହାରି ଯାଇଛନ୍ତି। ଏବେ ଦୌଡ଼ରେ ୩ ଜଣଙ୍କ ନାମ। ୭ ନମ୍ବର ୱାର୍ଡର କାଉନସିଲର ଭାବେ ବିଜୟୀ ଅନୁସୂଚୀତ ଜାତିର ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆଙ୍କ ନେତୃତ୍ବରେ ସୁନ୍ଦରଗଡ଼ ପୌରପାଳିକା ଦୁଇ ଥର ରାଜ୍ୟରେ ଶ୍ରେଷ୍ଠ ପୁରସ୍କାର ପାଇ ଚର୍ଚ୍ଚାକୁ ଆସିଥିଲା। ତେଣୁ ଏହି ଉପଲବ୍ଧିକୁ ନେଇ ଚଳିତ ଥର ଉପାଧ୍ୟକ୍ଷ ପଦବି ପାଇଁ ସେ ପ୍ରମୁଖ ଦାବିଦାର ବୋଲି କହୁଛନ୍ତି।
ସେହିପରି ୨ ନମ୍ବର ୱାର୍ଡର କାଉନସିଲର ଅନୀଲ ମହାପାତ୍ର ମଧ୍ୟ ପୂର୍ବତନ ପୌରାଧ୍ୟକ୍ଷ କାମିନୀ ମହାପାତ୍ରଙ୍କ ପୁଅ ଭାବେ ଉପାଧ୍ୟକ୍ଷ ଆସନ ପାଇଁ ଦାବି କରିବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ୬ ନମ୍ବର ୱାର୍ଡର କାଉନସିଲର ଲଲାଟେନ୍ଦୁ ପରିଡ଼ା ପ୍ରମୁଖ ଦାବିଦାର ଭାବେ ସାମ୍ନାକୁ ଆସିଛନ୍ତି। ଛାତ୍ର ଜୀବନରୁ ସମାଜସେବା ଓ ରାଜନୀତିକୁ ପ୍ରବେଶ କରିଥିବା ଶ୍ରୀ ପରିଡ଼ା ଦଳର ଜଣେ ପୁରୁଣାକର୍ମୀ, ଜିଲ୍ଲା ବିଜେଡିର ଏକ ଟାଣୁଆ ଚେହେରା। ଏବେ ସେ ଦଳର ଜିଲ୍ଲା ଉପସଭାପତି ଅଛନ୍ତି । ଏହିକ୍ରମରେ ସେ ଗତ ପଞ୍ଚାୟତ ନିର୍ବାଚନରେ ବଡ଼ଗାଁ ବ୍ଲକ୍ ଓ ଲେଫ୍ରିପଡ଼ା ‘କ’ ଜୋନ୍ ଦାୟିତ୍ବରେ ରହି ଦଳକୁ ସଫଳତା ଦେଇଥିଲେ। ଏବେ ବିରୋଧୀ ବିଜେପି ହାତରେ ପୌରାଧ୍ୟକ୍ଷ ଆସନ ଥିବା ବେଳେ ଉପାଧ୍ୟକ୍ଷ ପଦବି ପାଇଁ ଏକ ଶକ୍ତ ଚେହେରାର ଆବଶ୍ୟକତା ରହିଛି। ତେଣୁ ତିନି ଦାବିଦାରଙ୍କ ମଧ୍ୟରୁ ଦଳ ଏକ ନୂଆ ଚେହେରା ଭାବେ ଏଥର ଶ୍ରୀ ପରିଡ଼ାଙ୍କୁ ଉପାଧ୍ୟକ୍ଷ ପଦବି ଦେଇପାରେ ବୋଲି କୁହାଯାଉଛି। ତେବେ ଏ ଚର୍ଚ୍ଚା ମଧ୍ୟରେ ଦଳ କାହାକୁ ଯୋଗ୍ୟ ଭାବିବ, ତାହା ଆଗାମୀ ଦିନରେ ଜଣାପଡ଼ିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)