ବିଜେଡ଼ି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବିଜେଡ଼ି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି । ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ରବିବାର ପଦ୍ମପୁର ଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ବିଜେଡ଼ିର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀମାନଙ୍କ ସହ ବୈଠକ କରିଥିଲେ । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବାସଭବନରେ ଜିଆରଏସ, ଏମବିକେ, ସିଆରପି ଏବଂ ମିଶନ ଶକ୍ତିର ନେତାମାନଙ୍କୁ ଏହି ବୈଠକରେ ଡକାଯାଇଥିଲା ବୋଲି ବିଜେପି ଅଭିଯୋଗ କରିଛି । ରାଜେନ୍ଦ୍ର ଢୋଲକିଆ ଏବଂ ପ୍ରଣବ ପ୍ରକାଶ ଦାସ ସରକାରୀ କର୍ମଚାରୀଙ୍କୁ ଉପନିର୍ବାଚନରେ ବିଜେଡ଼ି ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ । କେଉଁ ପଞ୍ଚାୟତର କେଉଁ ବୁଥରେ କେତେ ଟଙ୍କା ବଣ୍ଟା ହେବ, କେଉଁଠି ଲୋକଙ୍କୁ ବିଜେଡ଼ିକୁ ଭୋଟ ଦେବା ପାଇଁ ପ୍ରଭାବିତ କରାଯିବ, ସେଥିପାଇଁ ସରକାରୀ କର୍ମଚାରୀଙ୍କୁ ବିଜେଡ଼ି ପକ୍ଷରୁ ନିୟୋଜିତ କରାଯାଇଛି ବୋଲି ବିଜେଡ଼ି ଅଭିଯୋଗ କରିଛି ।

ସିଇଓଙ୍କୁ ବୈଠକର ଫୋଟୋ ଦେବା ସହ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ଏହାସହ ରୋହିତ ପୂଜାରୀ ସରକାରୀ ଅଧ୍ୟାପକଙ୍କୁ ନେଇ ବୈଠକ ଉପରେ ମଧ୍ୟ ସିଇଓଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ମାଣ୍ଡୋସିଲ ଡିଗ୍ରୀ କଲେଜର ଇନଚାର୍ଜ ପ୍ରିନ୍ସିପାଲ ବିନୟ ରଞ୍ଜନ ପଣ୍ଡା, ଡାଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ସୁଧୀର ରଥ ଏବଂ ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଦାବି କରିଛି । ୨୪ ଘଣ୍ଟା ଭିତରେ ଏହି ତିନି ଜଣଙ୍କୁ ଗିରଫ କରାନଗଲେ ସିଇଓ ଅଫିସ ଆଗରେ ତମ୍ବୁ ମାରି ଧାରଣା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ସମ୍ବନ୍ଧିତ ଖବର