କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ବିଜେଡି ଚିହ୍ନ ଲଗାଇ ସରକାରୀ ରିଲିଫ୍ ବାଣ୍ଟୁଥିବା ଅଭିଯୋଗ

ଭୁବନେଶ୍ବର: ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ରିଲିଫ୍ ସହାୟତା ପ୍ରଦାନ କଲା ବେଳେ ରିଲିଫ୍ ପ୍ୟାକେଟ୍‌ରେ ବିଜେଡି ଚିହ୍ନ ଶଙ୍ଖ ଲଗାଯାଉଛି ବୋଲି ବିଜେପି ଅଭିଯୋଗ କରିଛି। ଏଥି ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀଙ୍କ ଉପରକୁ ଦଳ ଆଙ୍ଗୁଠି ଉଠାଇଛି। ଜିଲ୍ଲାପାଳଙ୍କ ସହଯୋଗରେ ବିଜେଡି ନେତା ଓ କର୍ମକର୍ତ୍ତା ଏପରି ବେଆଇନ୍ କାମ କରୁଛନ୍ତି ବୋଲି ଅଭିଯୋଗ କରି ବିଜେପି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ବିଜେପି ଉପସଭାତି ସମୀର ମହାନ୍ତି କହିଛନ୍ତି, ‌ଯେଉଁମାନେ ଶାସକ ଦଳକୁ ଭୋଟ୍‌ ଦେଇ ନାହାନ୍ତି ସେମାନଙ୍କୁ ରିଲିଫ୍ ସାମଗ୍ରୀ ମିଳୁ ନାହିଁ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରିଲିଫ୍ ମିଳୁ ନାହିଁ। ରାଜ୍ୟରେ ସମସ୍ତ ରିଲିଫ୍ ବଣ୍ଟନ ପ୍ରକ୍ରିୟା ଏବେ ଶାସକ ଦଳ ନେତାଙ୍କ ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚୌଧୁରୀ ଆଗାମୀ ଦିନରେ ହେବାକୁ ଥିବା ପାଟକୁରା ନିର୍ବାଚନରେ ବିଜେଡି ପାଇଁ କାମ କରିବେ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ପୂର୍ବରୁ ସେ ବିଜୁ ଯୁବ ବାହିନୀର ସିଇଓ ଦାୟିତ୍ବରେ ଥାଇ ବିଜେଡି ପାଇଁ କାମ କରୁଥିଲେ। ଏବେ କେନ୍ଦ୍ରାପଡ଼ାରେ ଶାସକ ଦଳକୁ ସୁହାଇଲା ପରି କାର୍ଯ୍ୟ କରୁଛନ୍ତି। ତେଣୁ ତାଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ସିଇଓଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳରେ ପ୍ରକାଶ ମିଶ୍ର, ଇରାଶିଷ ଆଚାର୍ଯ୍ୟ, ଦିଲ୍ଲୀପ ମଲ୍ଲିକ, ସୁରଥ ବିଶ୍ବାଳ, ଉମାକାନ୍ତ ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର