ପୁଲିସ ସୁରକ୍ଷାରେ ବିଜେଡି ବିପୁଳ କଳା ଟଙ୍କା ବ୍ୟବହାର କରୁଛି: ବିଜେପି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ, ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର : ନିର୍ବାଚନରେ ବିଜେଡି ବିପୁଳ ଅର୍ଥ ଖର୍ଚ୍ଚ କରି ଭୋଟ ହାତେଇବାକୁ ଉଦ୍ୟମ କରୁଛି। ପିପିଲିରେ ଏମିତି ଏକ ଉଦାହରଣ ଆଜି ସମସ୍ତଙ୍କୁ ଆଚମ୍ବିତ କରିଛି। ସରକାରୀ କଳ ଓ ପୁଲିସ ପ୍ରଶାସନକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ବିଜେଡିର ଅଭ୍ୟାସରେ ପରିଣତ ହୋଇଛି। କେବଳ ଅର୍ଥ ବଳ ବିଜେଡି ପାଇଁ ଏକମାତ୍ର ମାଧ୍ୟମ ହୋଇ ରହିଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଅଭିଯୋଗ କରିଥିଲେ ଯେ ପିପିଲି ଜନମତ ବିଜେପି ଆଡକୁ ଢଳିବା ଦେଖି ଶାସକ ବିଜୁ ଜନତା ଦଳ ଛାନିଆ ହୋଇପଡ଼ିଛି। ଆଜି ପିପିଲି ନିର୍ବାଚନମଣ୍ଡଳୀ ହାଟସାହି ଅନ୍ତର୍ଗତ ବାଜପେୟୀ ଛକଠାରେ ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗାଡ଼ିରେ ଥିବା କଳା ବ୍ୟାଗରେ ବିପୁଳ ଟଙ୍କା ସହ ଶାସକ ବିଜେଡିର ଦଳୀୟ ପ୍ରଚାର ସାମଗ୍ରୀ, ଶଙ୍ଖ ଚିହ୍ନ ଥିବା ଟୋପି ଓ ଉତ୍ତରୀୟ ଆଦି ଅନ୍ୟ ଏକ ଗାଡ଼ିକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଗାଡ଼ିରେ ଶାସକ ଦଳର କର୍ମୀ ଥିଲେ। ଦୁର୍ଘଟଣା ପରେ ପୁଲିସର ଉପସ୍ଥିତି ଓ ସହାୟତାରେ ବିଜେଡି କର୍ମୀମାନେ ଦୁର୍ଘଟଣା ହୋଇଥିବା ଗାଡ଼ିରୁ ଅନ୍ୟ ଏକ ଗାଡ଼ିକୁ ଟଙ୍କା ଓ ସାମଗ୍ରୀ ଟ୍ରାନ୍ସଫର୍‌ କରିଥିଲେ। ପୁଲିସ ଏସ୍‌କର୍ଟରେ ଶାସକ ବିଜେଡି ବିପୁଳ କଳା ଟଙ୍କା ନିର୍ବାଚନରେ ବ୍ୟବହାର କରୁଛି, ଯାହାକି ଗଣତନ୍ତ୍ର ପ୍ରତି ଏକ ଉପହାସ। ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଫଟୋ ଓ ନମ୍ବର, ପର୍ଯ୍ୟାପ୍ତ ପରିମାଣ ଅର୍ଥ ଥିବା କଳା ରଙ୍ଗର ବ୍ୟାଗ୍‌ର ଫଟୋ ସହ ଦଳୀୟ ପ୍ରଚାର ପାଇଁ ବ୍ୟବହୃତ ପ୍ରଚାର ସାମଗ୍ରୀର ଫଟୋ ଆଦି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଏକ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି, ସୋନାଲି ସାହୁ ଓ ଆଇନ ସଂଯୋଜକ ଜୟନ୍ତ ଜେନା ସାମିଲ ହୋଇଥିଲେ।

ମୁଖଲଜ୍ଜା ଘୋଡ଼ାଇବାକୁ ବିଜେପିର ମିଥ୍ୟା ଅଭିଯୋଗ: ବିଜେଡି
ଭୁବନେଶ୍ବର : ପିପିଲି ନିର୍ବାଚନରେ କଳା ଟଙ୍କା ବ୍ୟବହାର ନେଇ ବିଜେପି କରିଥିବା ଅଭିଯୋଗର ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ବିଜେପି ପ୍ରାର୍ଥୀଙ୍କ ସହଯୋଗୀ ୫୦ ଲକ୍ଷ ଟଙ୍କା ସହିତ ପୁଲିସ ହାତରେ ଧରା ପଡ଼ିବା ପରେ ଏବେ ମୁଖଲଜ୍ଜା ଘୋଡ଼ାଇବାକୁ ବିଜେପି ମିଥ୍ୟା ଅଭିଯୋଗ ଆଣିଛି। ଏବେ ଦଳର ଏପରି ମିଥ୍ୟା ଅଭିଯୋଗକୁ ସାଧାରଣ ଲୋକ ବିଶ୍ବାସ କରୁ ନ ଥିବା ବେଳେ ଏହାର ଠିକଣା ଜବାବ ଦେବେ।  ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ପୁଲିସ ହାତରେ ଟଙ୍କା ସହିତ ବିଜେପି କର୍ମୀ ଧରା ପଡ଼ିବା ପରେ ସାଧାରଣ ଲୋକଙ୍କ ନଜର ହଟାଇବାକୁ ଏବେ ଦଳ ଆପ୍ରାଣ ଉଦ୍ୟମ ଚଳାଇଛି। ଫଳ ସ୍ବରୂପ ଦଳୀୟ ନେତାମାନେ ଆଜି ବିଜେଡି ବିରୋଧରେ ସମାନ ଅଭିଯୋଗ ଆଣିଛନ୍ତି। ବିନା ପ୍ରମାଣରେ ବିଜେଡି ବିରୋଧରେ ଅଭିଯୋଗ ଲଗାଇବା ରାଜ୍ୟ ବିଜେପିର ଅଭ୍ୟାସ ହୋଇଥିବାରୁ ସାଧାରଣ ଲୋକେ ଆଉ ଏହାକୁ ବିଶ୍ବାସ କରୁ ନାହାନ୍ତି। ଦଳର ଏପରି ମିଥ୍ୟା ଆରୋପ ଯୋଗୁ ବିଜେପିକୁ ଓଡ଼ିଶାବାସୀ ବାରମ୍ବାର ପରାଜୟର ଦ୍ବାର ଦେଖାଉଛନ୍ତି। ନିଜ ଭୁଲ୍‌ ଉପରେ ପରଦା ଢାଙ୍କିବା ପାଇଁ ବିଜେପି ଯେଉଁ ଅଭିଯୋଗ ଆଣିଛି, ତାହାର ଜବାବ ପୁଣି ଥରେ ପିପିଲିରେ ପାଇବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର