ଭୁବନେଶ୍ବର: ବିଧାନସଭାରେ ଅଚଳାବସ୍ଥାକୁ ନେଇ ବିଜେପି ଓ କଂଗ୍ରେସ ପରସ୍ପରକୁ ଦୋଷାରୋପ କରିଛନ୍ତି। କଂଗ୍ରେସର ଆଚରଣକୁ ରାଜ୍ୟବାସୀ କ୍ଷମା ଦେବେନି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ଗୃହ କମିଟି ଗଠନ କରିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛି କଂଗ୍ରେସ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିଧାନସଭା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ, ମର୍ଯ୍ୟାଦାର ସହ ପ୍ରତିବାଦ କରିବାକୁ ବିରୋଧୀ ଦଳର ଅଧିକାର ଅଛି। କିନ୍ତୁ କଂଗ୍ରେସ ସଦସ୍ୟଙ୍କ ଆଚରଣ ଓ ଭାଷଣ ବିଧାନସଭାକୁ ଅପମାନିତ କରୁଛି। ମହିଳା ବାଚସ୍ପତିଙ୍କ ସାମ୍ନାରେ ହୁଇସିଲ୍ ମାରିବା, ଘଣ୍ଟ ବଜାଇବା, ପୋଡିୟମ ଉପରକୁ ଚଢ଼ିବା କି ପ୍ରକାର ପରମ୍ପରା? ଚଳିତ ଅଧିବେଶନର ୧୮ ଦିନ ଭିତରେ ୩୧ ଘଣ୍ଟାର କାର୍ଯ୍ୟ ବି ହୋଇପାରି ନାହିଁ। ଲୋକେ ବିଧାୟକଙ୍କୁ ଯେଉଁ ଭରସାରେ ବିଧାନସଭା ପଠାଇଛନ୍ତି, ତାହା ପୂରଣ ହେଉଛି କି? ସାଧାରଣ ଲୋକଙ୍କ ଟିକସରେ ବିଧାନସଭା ଚାଲେ। ବିଧାୟକମାନେ ସିଟିଂ ଫି’ ବି ନିଅନ୍ତି। କିନ୍ତୁ ଗୃହ ଚାଲିପାରୁନି। ସରକାର ପ୍ରସ୍ତୁତ ଅଛନ୍ତି ଆଲୋଚନା ପାଇଁ। ମହିଳା ବିରୋଧୀ ହିଂସା ରୋକିବା ପାଇଁ ବିଧାନସଭାରେ ବସି ଆଲୋଚନା କରାଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ଗଣେଶ ରାମସିଂହ ଖୁଣ୍ଟିଆ ଓ ବିଧାୟକ ଈରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
କଂଗ୍ରେସର ଆଚରଣକୁ ରାଜ୍ୟବାସୀ କ୍ଷମା ଦେବେନି: ରାଜସ୍ବ ମନ୍ତ୍ରୀ
ଗୃହ କମିଟି ଗଠନ ପାଇଁ ସରକାର ଡରୁଛନ୍ତି କାହିଁକି : କଂଗ୍ରେସ
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଓଡ଼ିଶାର ଜନସାଧାରଣଙ୍କ ସମସ୍ୟାକୁ ବିଧାନସଭାରେ ଉତ୍ଥାପନ କରିବା କଂଗ୍ରେସ ବିଧାୟକଙ୍କ କାମ। ରାଜ୍ୟର ମହିଳାଙ୍କ ପ୍ରତି ଯେଉଁଭଳି ଅତ୍ୟାଚାର ଓ ହିଂସା ବୃଦ୍ଧି ପାଉଛି ତାହାକୁ ନେଇ ପ୍ରଶ୍ନ ଉଠାଇବା ଅପରାଧ କି ? ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ବିଧାୟକ ଦଳର ନେତାଙ୍କ କର୍ତ୍ତବ୍ୟ ହେଉଛି ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଓ ଅତ୍ୟାଚାରକୁ ବିଧାନସଭାରେ ଉଠାଇବା। ରାଜ୍ୟର ମା’ ଭଉଣୀଙ୍କ ସୁରକ୍ଷା ପ୍ରତି ସରକାରଙ୍କ କିଛି ଉତ୍ତରଦାୟିତ୍ବ ଅଛି କି ନାହିଁ ? ମହିଳାଙ୍କ ସୁରକ୍ଷା ପାଇଁ ଆଇନ ଆଣିବା ଦାୟିତ୍ବ ହେଉଛି ସରକାରଙ୍କର। ସରକାର ଏଥିପାଇଁ ଠୋସ୍ ପଦକ୍ଷେପ ନେଉ ନାହାନ୍ତି କାହିଁକି ? ଗୃହ କମିଟି ଗଠନ ପାଇଁ କଂଗ୍ରେସ ଦାବି କରିଆସୁଛି। ମାତ୍ର ସରକାର ଏକଥା ଗ୍ରହଣ କରୁନାହାନ୍ତି। ପୂର୍ବରୁ ମଧ୍ୟ ଗୃହ କମିଟି ଗଠନ କରାଯାଇଛି। ଯଦି କିଛି ଅସୁବିଧା ଅଛି ତାହାକୁ ଦୂର କରିବା ପାଇଁ ସରକାର ବିଧେୟକ ଆଣିପାରିବେ। ଆଉଥରେ ନିର୍ବାଚନ ହେଲେ ଖାତା ଖୋଲିପାରିବେ ନାହିଁ ବୋଲି ଶ୍ରୀ ବାହିନୀପତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅଶୋକ ଦାସ, ରାଜନ ଏକ୍କା, ପ୍ରଫୁଲ୍ଳ ପ୍ରଧାନ, କାଡ୍ରାକ ଆପାଲା ସ୍ବାମୀ, ପବିତ୍ର ସାଉଁନ୍ତା, ସାଗର ଦାସ, ନୀଳମାଧ୍ୟବ ହିକକା, ମଙ୍ଗୁ ଖିଲ ଓ ସତ୍ୟଜିତ ଗମାଙ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/r9oH6xmCjaXtOiJ0RTor.jpg)