ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ସରକାର ଭୁଲିଗଲେଣି ବୋଲି କ୍ଷୋଭ ପ୍ରକାଶ କରି ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ଅବସରରେ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି। ଗାନ୍ଧିଜୀଙ୍କ ହତ୍ୟାକାରୀକୁ ଗୌରବାନ୍ଵିତ କରିବା ଏବଂ ଗାନ୍ଧିଜୀଙ୍କୁ ଭୁଲିଯିବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ନେଇ ଆଜି ଗୃହରେ ବାଦାନୁବାଦ ସୃଷ୍ଟି ହୋଇଥିଲା।
‘ସମ୍ବାଦ’ରେ ପ୍ରକାଶିତ ‘ଗାନ୍ଧୀଙ୍କୁ ଭୁଲିଗଲେ’ ଶୀର୍ଷକ ଖବରକୁ ଉଲ୍ଲେଖ କରି ଶୂନ୍ୟକାଳରେ ଶ୍ରୀ ମିଶ୍ର କହଥିିଲେ ଯେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଆମେ ଭୁଲିଗଲୁଣି। ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ କମିଟିି ଗଠିତ ହୋଇଥିଲା। କିନ୍ତୁ ଏହି କମିଟିର ବୈଠକରେ ଗୃହୀତ ନିଷ୍ପତ୍ତି କାର୍ଯ୍ୟକାରୀ ହେଲା ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଶାସନରେ ଗାନ୍ଧୀଙ୍କ ସହିଦ ଦିବସରେ ହତ୍ୟାକାରୀ ନାଥୁରାମ ଗଡ୍ସେକୁ ପୂଜା କରାଯାଉଛି ଏବଂ ତାଙ୍କ ଫଟୋକୁ ଗୁଳି ମରାଯାଉଛି। କେନ୍ଦ୍ରରେ ଯେଉଁ ଦଳ ଶାସନ କରୁଛି ସେହି ଦଳର ଅନେକ ସଦସ୍ୟ ଗାନ୍ଧିଜୀଙ୍କ ବିଷୟରେ ବିବାଦୀୟ ଟିପ୍ପଣୀ ଦେଉଛନ୍ତି ବୋଲି କଂଗ୍ରେସ ନେତା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।
ତେବେ,ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଶ୍ରୀ ମିଶ୍ରଙ୍କର ଉକ୍ତିର ଦୃଢ ପ୍ରତିବାଦ କରିଥିଲେ। ‘ଗାନ୍ଧିଜୀଙ୍କୁ ହିନ୍ଦୁ ମହାସଭାର ନାଥୁରାମ ଗଡ୍ସେ ହତ୍ୟା କରିଥିଲେ। ତାଙ୍କର ହତ୍ୟା ସହ ରାଷ୍ଟ୍ରୀୟ ସ୍ୱୟଂ ସେବକ ଏବଂ ବିଜେପି କୌଣସି ପ୍ରକାରେ ସଂପୃକ୍ତ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିଜୀଙ୍କୁ ଯଥେଷ୍ଟ ସମ୍ମାନ ଦେଇ ତାଙ୍କର ୧୫୦ତମ ଜୟନ୍ତୀ ପୂର୍ବରୁ ସବୁ ଗରିବଙ୍କ ମୁଣ୍ଡ ଉପରେ ଛାତ ଦେବାକୁ ଘୋଷଣା କରିଛନ୍ତି। ’ କେବଳ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ପାଇଁ ଏମିତି କୁହାଯାଉଛି। ତେରଛା ବାଣ ନ ମାରି ଗୃହରେ ସ୍ୱତନ୍ତ୍ର ଆଲୋଚନା କରାଯାଉ ବୋଲି ଶ୍ରୀ ସେଠୀ କହିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଶ୍ରୀ ସେଠୀଙ୍କୁ ସମର୍ଥନ କରିଥିଲେ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କେତେକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଗୁଡିକ ହେଲା-
(୧) ପ୍ରାଥମିକ ସ୍ତରଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଗାନ୍ଧିଜୀଙ୍କ ଜୀବନାଦର୍ଶ ସ୍ଥାନୀତ ହେବ(୨) ପ୍ରାଥମିକ ଶ୍ରେଣୀଠାରୁ ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯିବ, ( ୩) ଅକ୍ଟୋବର ୨ ତାରିଖ ଦିନ ଛୁଟି ନ କରି ବିଦ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଉ ଏବଂ ଘରୋଇ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ବାଧ୍ୟତାମୂଳକ କରିବା।
(୪) ଗାନ୍ଧୀ ରଚନାବଳିରେ ପୁନଃ ପ୍ରକାଶନ କରାଇ ଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚାଇବା।
(୫) ରାଜ୍ୟରେ ଗାନ୍ଧିଜୀ ଯେଉଁ ସ୍ଥାନକୁ ଯାଇଥିଲେ ସେଠାରେ ଗାନ୍ଧୀ ପ୍ରଦର୍ଶନ ଆୟୋଜନ କରିବା।
(୬) ଭୁବନେଶ୍ୱରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଏକ କେନ୍ଦ୍ର ପ୍ରତିଷ୍ଠା କରିବା।
(୭) ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ସକ୍ରିୟ କରିବା ଏବଂ ଅକ୍ଟୋବର ୨ ତାରିଖ ସୁଦ୍ଧା ଏହା ଦ୍ୱାରା ଗୃହୀତ ନିଷ୍ପତ୍ତି,କାର୍ଯ୍ୟକାରୀ କରିବା ଏବଂ (୮) ୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧାଙ୍କୁ ମାସିକ ୧ ହଜାର ଟଙ୍କା ଭତ୍ତା ପ୍ରଦାନ।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସରକାରଙ୍କୁ ଏସବୁ ପ୍ରସ୍ତାବ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଜୁ ଜନତା ଦଳ ସଭ୍ୟ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ ଭୂପିନ୍ଦର ସିଂହ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁସୃତ ‘ଅହିଂସା’କୁ ଭାରତୀୟ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ଓଡ଼ିଶା ବିଧାନସଭାର ନିବେଦନକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ।
ବିଜେଡ଼ି ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ଯେ,ଗାନ୍ଧିଜୀଙ୍କ ପଦଯାତ୍ରା ସମୟରେ ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ସେ ରହିଥିଲେ,ସେଗୁଡିକୁ ପର୍ଯ୍ୟଟନ ସ୍ଥଳରେ ମାନ୍ୟତା ଦିଆଯାଉ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଗାନ୍ଧୀଙ୍କୁ ସମ୍ମାନ ଦେଇ ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ କରିବାକୁ ଆହ୍ଵାନ ଦେଇଥିଲେ।