ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ନିର୍ବାଚନରେ ଦଳର କ’ଣ ରଣନୀତି ରହିବ ତାହାକୁ ନେଇ କୋର କମିଟି ବୈଠକ ବସିଛି। ତେବେ ଫୋକସ୍ରେ ରହିଛି ନିକଟରେ ହେବାକୁ ଥିବା ବ୍ରଜରାଜନଗର ନିର୍ବାଚନ। ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ବରୀଙ୍କ ସମେତ ସହ ପ୍ରଭାର ବିଜୟପାଲ ସିଂ ତୋମର ଭୁବନେଶ୍ବରରେ ପହଞ୍ଚିଛନ୍ତି।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତିଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡ଼ୁ, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ବିତ ପାତ୍ର ପ୍ରମୁଖ ଆଲୋଚନା କରିଛନ୍ତି। ମାତ୍ର ବ୍ୟସ୍ତତା କାରଣରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇପାରିନାହାନ୍ତି। ବୈଠକରେ ପଞ୍ଚାୟତ ଓ ପୌର ନିର୍ବାଚନ ସହିତ ଜିଲ୍ଲା ପ୍ରଭାରୀମାନେ ନିର୍ବାଚନ ଗସ୍ତ ସଂପର୍କିତ ଦେଇଥିବା ରିପୋର୍ଟ ଉପରେ ଆଲୋଚନା ହୋଇଛି।
ପୁରନ୍ଦେଶ୍ବେରୀ କହିଛନ୍ତି ଯେ ବ୍ରଜରାଜନଗର ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନମଣ୍ଡଳୀ ଗସ୍ତ କରିବା ସହିତ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା ହେବ। ଦଳ କିଭଳି ଭଲ ପ୍ରଦର୍ଶନ କରିବ ତାହାକୁ ଗୁରୁତ୍ବ ଦିଆଯାଇଛି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସଭାପତି ଯେଉଁ ମନ୍ତବ୍ୟ ରଖିଛନ୍ତି ଦଳ ତାହା ସହ ଏକମତ ବୋଲି ଶ୍ରୀମତୀ ପୁରନ୍ଦେଶ୍ବରୀ କହିଛନ୍ତି। ଏହି ବୈଠକ ପରେ ଅପରାହ୍ଣରେ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ଦଳର ୭ଟି ମୋର୍ଚାର ବୈଠକ ବସିବ। ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତଙ୍କ କିଭଳି ଭୂମିକା ରହିବ ତାହା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/bjp-4.jpg)