ଭୁବନେଶ୍ବର: ଓଡ଼ିଶାର ସର୍ବାଧିକ ପଠିତ ଓ ଲୋକପ୍ରିୟ ଦୈନିକ ‘ସମ୍ବାଦ’କୁ ସରକାରୀ ବିଜ୍ଞାପନ ନଦେବା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ସରକାର ଏକଛତ୍ରବାଦୀ ଓ ତୋଗଲକୀ ଶାସନ ଚଳାଇଛନ୍ତି। ଗଣମାଧ୍ୟମ ସରକାରଙ୍କ ଦୋଷ, ଦୁର୍ବଳତା କଥା ଦେଖାଇଥିବାରୁ ତାଙ୍କ ଉପରେ ରାଗ ଶୁଝାଉଛନ୍ତି। ବିଜ୍ଞାପନ ନୀତି ଅନୁସାରେ ସମସ୍ତଙ୍କୁ ସରକାର ବିଜ୍ଞାପନ ଦେବା ଉଚିତ୍। ହେଲେ କିଛି ଦିନ ହେବ ରାଜ୍ୟର ଏକ ନିର୍ଦ୍ଦିଷ୍ଟ ବଡ଼ଖବରକାଗଜକୁ ସରକାର କାହିଁକି ବିଜ୍ଞାପନ ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ସରକାର ଅନ୍ୟ ଗଣମାଧ୍ୟମକୁ ବିଜ୍ଞାପନ ଦେଉଛନ୍ତି। ହେଲେ ଏକ ନିର୍ଦ୍ଦିଷ୍ଟ ଖବରକାଗଜକୁ ଦେଉ ନାହାନ୍ତି। ଏହା ରାଜ୍ୟରେ ସରକାରଙ୍କ ଏକଛତ୍ରବାଦ ଶାସନକୁ ଦର୍ଶାଉଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଲିଖିତ ସମ୍ପାଦକୀୟ ସ୍ତମ୍ଭ ‘ଆମ ଘରର ହାଲଚାଲ’ରେ ୫-ଟି ସଚିବଙ୍କ ଜିଲ୍ଲାଗସ୍ତ କାଳରେ ସରକାରୀ ଅର୍ଥରେ ହେଲିକପ୍ଟର ବ୍ୟବହାର ପ୍ରସଙ୍ଗ ଉଠାଇବା ପରେ ‘ସମ୍ବାଦ’କୁ ଓଡ଼ିଶା ସରକାରଙ୍କ ବିଜ୍ଞାପନ ଆସୁ ନଥିବା ଦେଖିବାକୁ ମିଳୁଛି। ଗତ ସପ୍ତାହରେ ବିଜୁ ସ୍ବାସ୍ଥ୍ୟ ଯୋଜନାର ପୂରା ପୃଷ୍ଠା ରଙ୍ଗିନ ବିଜ୍ଞାପନ ରାଜ୍ୟର ପ୍ରାୟ ସମସ୍ତ ଖବରକାଗଜକୁ ଦିଆଯାଇଥିବା ବେଳେ ସର୍ବାଧିକ ପଠିତ ‘ସମ୍ବାଦ’କୁ ଦିଆଯାଇନାହିଁ।