ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ପାଇଁ ରାଜ୍ୟ ସରକାରଙ୍କ `ମୋ ଘର´ ଯୋଜନା: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ମୋ ଘର ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ସମାଲୋଚନା କରିଛି। ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, , `ମୋ ଘର´ ଏକ ନୂଆ ଥିଓରି ଏବଂ ପ୍ରହେଳିକା। ଏହା ଏକ ସମ୍ପୂର୍ଣ୍ଣ ପ୍ରହେଳିକା, ଯାହାଦ୍ୱାରା ଲୋକଙ୍କୁ ଠକି ହେବ। ୫ ବର୍ଷ ମଧ୍ୟରେ ମାତ୍ର ୪୮୦ ବିଜୁ ପକ୍କା ଘର ଦେଇଛନ୍ତି। ଆଜି ମୋ ଘର ନାଁ ରେ ନୂଆ ଯୋଜନା କେବଳ ନୂଆ ବୋତଲରେ ପୁରୁଣା ମଦ। ରାଜ୍ୟ ସରକାର ନିମ୍ନ ମଧ୍ୟବିତ୍ତଙ୍କୁ ଠକିବା ଏବଂ ପ୍ରତାରିତ କରିବା ପାଇଁ ଯୋଜନା କରିଛନ୍ତି।

ସେ ଆହୁରି କହିଛନ୍ତି, କେନ୍ଦ୍ର ଘର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି। ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ପୋତିଛନ୍ତି ରାଜ୍ୟ ସରକାର। ମୋ ଘର ଯୋଜନାରେ ଋଣ ତ ରାଜ୍ୟ ସରକାର ଦେବେନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦିଏ ନ ହେଲେ ଘରୋଇ ବ୍ୟାଙ୍କ ଦିଏ। ରାଜ୍ୟ ସରକାର ସବସିଡି ନାଁ ରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ୨୫ ହଜାର ଯିଏ ମାସିକ ଆୟ କରୁଥିବ ତାହାର ବାର୍ଷିକ ଆୟ ହେଉଛି ୩ ଲକ୍ଷ ଟଙ୍କା। ନିୟମ ଅନୁଯାୟୀ ସେ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଋଣ ପାଇ ପାରିବ, ସେ ତୁମ ଟଙ୍କା କାହିଁକି ନେବ। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗରିବ ଲୋକ କୃଷି ଋଣ ଶୁଝି ପାରୁନି ସେ ଘର ଲୋନ କେମିତି ଶୁଝିବ। ଯଦି ସେ ଶୁଝି ନ ପାରିବ ତାର ବାପା ଅଜା ଅମଳର ଜାଗା ଖଣ୍ଡକ ବି ଚାଲିଯିବ।

ରାଜ୍ୟର ପଂଚୟତିରାଜ ମନ୍ତ୍ରୀ କହୁଛନ୍ତି କେନ୍ଦ୍ର ସରକାର କମ ଘର ଦେଇଥିବାରୁ ସେଥିପାଇଁ ଆମେ ମୋ ଘର ଯୋଜନା ଆରମ୍ଭ କରିଛୁ। କେନ୍ଦ୍ର ସରକାର ୨୬ ଲକ୍ଷ ୯୫ ହଜାର ଘର ଦେଇଛନ୍ତି। ସେ ମଧ୍ୟରେ କିଛି ନିର୍ମାଣ ସରିଛି ଆଉ କିଛି ଚାଲିଛି | ସେହିପରି ୯ ଲକ୍ଷ ୫୦ ହଜାର ଆସିଥିଲେ ବି ତାକୁ ବାଣ୍ଟୁ ନାହାନ୍ତି ରାଜ୍ୟ ସରକାର।

ଏବାବଦରେ କେନ୍ଦ୍ର ସରକାର  ରାଜ୍ୟକୁ ୩୪ ହଜାର ୬୩ କୋଟି ଟଙ୍କା ଦେଇ ସାରିଛନ୍ତି। ରାଜ୍ୟ ସରକାର ଯେତିକି ଘର ମାଗିଥିଲେ ସେତିକି ଘର ଦିଆ ଯାଇ ସରିଛି। ରାଜ୍ୟ ସରକାରଙ୍କ ଆଯୋଗ୍ୟତା କାରଣରୁ ଗରିବ ଲୋକ ଝୁମ୍ପୁଡ଼ି ଘରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବସ ଯୋଜନା ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉଛି, ଦଳୀୟ ଭିତ୍ତିରେ ଘର ଦିଆଯାଉଛି।

ଏଣୁ ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ରାଜ୍ୟ ସରକାର ମାଗଣା ଘର ଦେବାକୁ ସେ ଦାବି କରିବା ସହ ଯୋଜନାକୁ ରାଜ୍ୟ ସରକାର ପୁର୍ନବିଚାର କରି ପ୍ରତ୍ୟାହାର କରନ୍ତୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର