ମିଛ ଖବର ପ୍ରଚାରରେ ବିଜେପି ସୀମା ଟପୁଛି: ବିଜେଡି

ଭୁବନେଶ୍ୱର : ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ମିଛ ଖବର ପ୍ରଚାର କରିବାରେ ରାଜ୍ୟ ବିଜେପି ନେତାମାନେ ଏବେ ସବୁ ସୀମା ଟପିଗଲେଣି ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ ଗତ ତିନି ଚାରି ମାସ ଧରି ଆଶା, ଅଙ୍ଗନବାଡ଼ି କର୍ମୀ, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ ଓ ସରକାରୀ କର୍ମଚାରୀମାନେ କରୋନା କବଳରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ଆହା ପଦେ କହିବା ବଦଳରେ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ ଜରିଆରେ ସେମାନଙ୍କ କାର୍ଯ୍ୟକୁ ତାତ୍ସଲ୍ୟ କରିବାରେ ଲାଗିଛନ୍ତି। ଏହା ଦ୍ବାରା ସେମାନଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ଗଞ୍ଜାମରେ ଲୋକମାନେ ପୋକ ମାଛି ପରି ମରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି। ଲୋକଙ୍କୁ ପୋକ ମାଛି ବୋଲି ସମ୍ବୋଧନ କରିବା ଫଳରେ ଗଞ୍ଜାମ ଲୋକଙ୍କ ପ୍ରତି ବିଜେପିର ମନୋଭାବ କ’ଣ ତାହା ପଦାରେ ପଡ଼ିଯାଉଛି। ଗତକାଲି ମଧ୍ୟ ବିରୋଧୀ ଦଳ ନେତା କରୋନା ଲଢ଼େଇରେ ଗଞ୍ଜାମକୁ ସମର୍ଥନ କରି ନ ଥିଲେ। ଦେଶର ପ୍ରତି ଦୁଇ ଦିନରେ ଏକ ଲକ୍ଷ ଲୋକ ସଂକ୍ରମିତ ତାଲିକାରେ ଯୋଡ଼ି ହେଉଛନ୍ତି। ବିଶ୍ବ କରୋନା ତାଲିକାରେ ଭାରତ ଦ୍ବିତୀୟ ସ୍ଥାନରେ ପହଞ୍ଚିବାର ସ୍ଥିତି ସୃଷ୍ଟି ହେଲାଣି। ଏପରି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲାରେ ଲାଗିଥିବା ଯୋଦ୍ଧାମାନଙ୍କ ପ୍ରତି ତାତ୍ସଲ୍ୟ ପ୍ରକାଶ କରିବା ଦୁର୍ଭାଗ୍ୟଜନକ। କରୋନା‌ର ସଫଳ ମୁକାବିଲା ପାଇଁ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହେବା କଥାକୁ ବିଜେପି ନେତାମାନେ ଭୁଲିଯାଉଛନ୍ତି। ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କ ପ୍ରତି ଏପରି ଦାୟିତ୍ବହୀନ ମନ୍ତବ୍ୟ ଦେଇ ସେମାନଙ୍କୁ ହତୋତ୍ସାହିତ ନ କରିବାକୁ ବିଜେଡି ପରାମର୍ଶ ଦେଇଛି। ବିଜେପିର ଏପରି ଆଭିମୁଖ୍ୟକୁ ଗଞ୍ଜାମବାସୀ କେବେ ଭୁଲିବେ ନାହିଁ ଓ ଏଥି ପାଇଁ ରାଜ୍ୟ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଶ୍ରୀ ପାତ୍ର ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର