ନିଜର ହିଂସ୍ର ଆଚରଣ ଲୁଚାଇବାକୁ ବିଜେପିର କୁମ୍ଭୀର କାନ୍ଦଣା: ବିଜେଡି
ଭୁବନେଶ୍ୱର: ବିଜେପି ନିଜର ହିଂସ୍ର ଆଚରଣ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ଆଜି ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ଅଭିଯୋଗର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣିବାପରେ ରାଜ୍ୟ ବିଜେପି ଏବେ ଏ ପ୍ରକାରର ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜନୈତିକ ହିଂସା ଘଟାଇବା ପାଇଁ ବିଜେପି ଅଣ୍ଟା ଭିଡିଛି । ବିଜେପୁର ଉପନିର୍ବାଚନରେ ନିର୍ବାଚନୀ ହିଂସା ହେଉ କିମ୍ବା ଗତ ସାଧାରଣ ନିର୍ବାଚନ ସମୟରେ ହେଉ, ବିଜେପି ହିଂସାର ରାଜନୀତିକୁ ଆପଣେଇ ଓଡିଶା ଭଳି ପବିତ୍ର ଓ ଶାନ୍ତିପ୍ରିୟ ରାଜ୍ୟକୁ କଳୁଷିତ ପାଇଁ ଚେଷ୍ଟା କରିଆସୁଛି ।
ବିଜେପିର ଏଭଳି ହିଂସ୍ର ନିର୍ବାଚନୀ ରାଜନୀତିକୁ ଓଡ଼ିଶାବାସୀ କେବେବି ଗ୍ରହଣ କରିନାହାନ୍ତି ଏବଂ ଏଥିପାଇଁ ବିଗତ ନିର୍ବାଚନଗୁଡିକରେ ଦଳକୁ ପରାସ୍ତର ବାଟ ଦେଖାଇଛନ୍ତି । ଏଥର ପିପିଲିବାସୀ ମଧ୍ୟ ବିଜେପିର ଏହି ନିର୍ବାଚନୀ ହିଂସାକୁ ଗ୍ରହଣ କରିବେ ନାହିଁ । ଏଭଳି ଆଚରଣ ପାଇଁ ବିଜେପିକୁ ଉଚିତ ଜବାବ ଦେବା ସହିତ ହିଂସାକୁ ପ୍ରଶ୍ରୟ ଦେଉଥିବା ଏହି ଦଳକୁ ଓଡିଶାବାସୀ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।