ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ଓଡ଼ିଶାରେ ନ୍ୟାସନାଲ ଫ୍ଲାଗସିପ୍‌ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକ୍ ଢଙ୍ଗରେ କ୍ରିୟାନ୍ୱୟନ କରାଯାଉନାହିଁ। ରାଜ୍ୟର ସବୁ ବ୍ଲକ, ‌େପୗରପାଳିକା ଓ ଏନ୍‌ଏସିଗୁଡ଼ିକରେ ପକ୍କା ଘର ଯୋଗାଇଦେବାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି। ଶାସକ ବିଜେଡିର ବିଧାୟକ ଓ ନେତାମାନେ ହିତାଧିକାରୀମାନଙ୍କ ଠାରୁ ଟଙ୍କା ଆଦାୟ କରୁଛନ୍ତି। ଏମିତି ଅଭିଯୋଗ ଆଣି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଦଳ ପକ୍ଷରୁ ଆହୁରି ଅଭିଯୋଗ ହୋଇଛି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କା ଘର ଆଗରେ ବିଜୁ ପକ୍କା ଘର ଲେଖି ରାଜ୍ୟ ସରକାର ନିଜର ଆତ୍ମପ୍ରଚାର କରୁଛନ୍ତି। ଏହାକୁ ନେଇ ବିଭିନ୍ନ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି ବିରୋଧ‌େର ହସ୍ତକ୍ଷେପ କରିବା ପାଇଁ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଆଗରେ ଦାବି ରଖିଛନ୍ତି। ରାଜଭବନକୁ ଯାଇଥିବା ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ତଥା ବିଧାୟକ ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ଗଣେଶ ରାମ ଖୁଣ୍ଟିଆ, ଭବାନୀ ଭୋଇ, କୁସୁମ ଟେଟେ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ଆଦିତ୍ୟ ମାଢୀ, ସୁକାନ୍ତ ନାୟକ, ପ୍ରକାଶ ସୋରେନ୍‌, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ମୁଖପାତ୍ର ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର