ରାଜ୍ୟ ନିର୍ବାଚନ କମିସନରଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକୁ ଶାସକ ଦଳର ନେତା ଉଲ୍ଲଂଘନ କରୁଛନ୍ତି: ବିଜେପି

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିବା ପରେ ଶାସକ ଦଳର ମନ୍ତ୍ରୀ, ସାଂସଦ, ବିଧାୟକମାନେ ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି। ଏପରି ସ୍ଥିତିରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ରାଜ୍ୟ ନିର୍ବାଚନ କମିସନ ପ୍ରଥମରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପଥ ପ୍ରଶସ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି।

ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନରଙ୍କ ନିକଟରେ ଦାବି କରିଛି ଯେ, ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରାରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏବଂ ଆଜି ଜଗତସିଂହପୁର ଜିଲ୍ଲାର ତିର୍ତୋଲଠାରେ ମନ୍ତ୍ରୀ ସମୀର ଦାଶ, ସାଂସଦ ରାଜଶ୍ରୀ ମଲ୍ଲିକ ଶତାଧିକ ବିଜେଡି ସମର୍ଥକଙ୍କ ଗହଣରେ ନିର୍ବାଚନ ସମ୍ପର୍କିତ ସଭା ଓ ସମ୍ମିଳନୀ କରିଛନ୍ତି। ଉଭୟ ସ୍ଥାନରେ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଥିବାରୁ ଶାସକ ଦଳର ନେତାମାନେ କରୋନା ଗାଇଡଲାଇନକୁ ଅବମାନନା କରିଛନ୍ତି। ଭୃକ୍ଷେପ ନକରି ବିଧି ବ୍ୟବସ୍ଥାର ଖୋଲାଖୋଲି ଅବମାନନା କରିଛନ୍ତି। ତେଣୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସେହିପରି କରୋନା ଗାଇଡଲାଇନକୁ ନେଇ ରାଜ୍ୟ ନିର୍ବାଚନ କମିସନ ଏବଂ ସ୍ୱତନ୍ତ୍ର ରିଲିଫ କମିସନଙ୍କ ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ସାଧାରଣରେ ଦ୍ୱନ୍ଦ୍ବ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିସନ ତୁରନ୍ତ ରାଜ୍ୟବାସୀଙ୍କ ଦ୍ୱନ୍ଦ୍ବ ଦୂର କରିବାକୁ ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ପଞ୍ଚାୟତିରାଜ ପ୍ରକୋଷ୍ଠ ସଂଯୋଜକ ଶଙ୍କର୍ଷଣ ପରିଡ଼ା, ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ କୁମାର ଦାସ ଏବଂ ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର