ବେବିନାଙ୍କ ପରିବାର ସଦସ୍ୟକୁ ଭେଟିଲେ ବିଜେପି ପ୍ରତିନିଧି

ମହାରଥୀଙ୍କ ବହିଷ୍କାର, ସିବିଆଇ ତଦନ୍ତ ଦାବି, ରାଜ୍ୟବ୍ୟାପୀ ମହମବତୀ ଶୋଭାଯାତ୍ରା

ଭୁବନେଶ୍ବର/ପିପିଲି : ପିପିଲି ପୀଡ଼ିତା ବେବିନା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଲା ପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ନ୍ୟାୟ ମିଳିଲା ବୋଲି ଦେଇଥିବା ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ବିଜେପି ମହିଳା ମୋର୍ଚ୍ଚା। ଆଜି ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲା ବେଳେ ରାଜ୍ୟବ୍ୟାପୀ ମହମବତୀ ଶୋଭାଯାତ୍ରା କରାଯାଇଛି। ଏହି ଘଟଣାରେ ମହାରଥୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି।

ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ମୋର୍ଚ୍ଚା ପକ୍ଷରୁ କୁହାଯାଇଛି, ପୀଡ଼ିତାଙ୍କ ମ‌ା’ଙ୍କ କହିବା ଅନୁଯାୟୀ ତାଙ୍କର ଝିଅ ଆଉ ଏକ ଦୁଷ୍କର୍ମ ଘଟଣାର ସାକ୍ଷୀ ଥିଲେ। ହେଲେ ସାକ୍ଷୀ ଦେବା ପୂର୍ବରୁ ଚାରି ଜଣ ମିଶି ବଳାତ୍କାର କରି ତାକୁ ହତ୍ୟା କରିଥିଲେ। ଏହି ସମସ୍ତ ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଥିବାରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ନାହିଁ।

ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି, କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ କରୁଥିଲେ ବି ପ୍ରମାଣ ଅଭାବରୁ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି। ପୀଡ଼ିତାଙ୍କ ପରିବାର ରାଜ୍ୟ ସରକାରଙ୍କୁ ବିଶ୍ବାସ କରୁ ନାହାନ୍ତି। ବେବିନାକୁ ନ୍ୟାୟ ଦରକାର। ତେଣୁ ରାଜ୍ୟ ସରକାର ତୁରନ୍ତ ସିବିଆଇ ଦ୍ବାରା ଏହାର ତଦନ୍ତ କରାନ୍ତୁ। ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ‌େଯାଗାଇ ଦିଆଯିବା ସହ ମନ୍ତ୍ରୀ ଶ୍ରୀ ମହାରଥୀଙ୍କୁ ବହିଷ୍କାର କରିବାକୁ ମହିଳା ମୋର୍ଚ୍ଚ‌ା ଦାବି କରିଛି। ଏହି ପ୍ରତିନିଧି ଦଳରେ ବରିଷ୍ଠ ‌େନତ୍ରୀ ସୁରମା ପାଢ଼ୀ, ଅପରାଜିତା ଷଡ଼ଙ୍ଗୀ, ରିଙ୍କନ ପଟ୍ଟନାୟକ ଓ ପିଙ୍କି ପ୍ରଧାନଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ସେହିପରି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟ, ସମୀର ମହାନ୍ତି, ପ୍ରଭାତୀ ପରିଡ଼ା ଓ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ କ୍ରାଇମ୍‌ବ୍ରାଞ୍ଚ୍‌ର ତଦନ୍ତ ନେଇ ପ୍ରଶ୍ନ ଉଠାଇଥିଲେ।

ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ମୋର୍ଚ୍ଚା ପକ୍ଷରୁ ଏକ ମହମବତୀ ‌େଶାଭାଯାତ୍ରା ଆ‌ୟୋଜନ କରାଯାଇଥିଲା। ମହାରଥୀଙ୍କ ବହିଷ୍କାର ସହ ଦୋଷୀକୁ ଦଣ୍ଡ ଦେବାକୁ କର୍ମକର୍ତ୍ତାମାନେ ଦାବି କରିଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତନୁଶ୍ରୀ ପଟେଲଙ୍କ ନେତୃତ୍ବରେ ଆୟୋଜିତ ଏହି ଶୋଭାଯାତ୍ରାରେ ଭୁବନେଶ୍ବର ଜିଲ୍ଲା ସଭାପତି ହରେକୃ୍ଷ୍ଣ ଖୁଣ୍ଟିଆଙ୍କ ସମେତ ଶତାଧିକ ମହିଳା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର