ବିଜେପି ପ୍ରତିନିଧି ଦଳର କାନପୁର ପ୍ରକଳ୍ପ ପରିଦର୍ଶନ

ଖଣି କମ୍ପାନିଙ୍କ ଚକ୍ରବ୍ୟୂହରେ ସରକାର : ପ୍ରଦୀପ

ଚମକପୁର : ଯୋଡ଼ା ବ୍ଲକ୍‌ ବାସୁଦେବପୁରରେ ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଏହି ପ୍ରତିନିଧି ଦଳ ପ୍ରକଳ୍ପର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରକଳ୍ପ ଅଧିକାରୀଙ୍କ ସହିତ ଆଲେଚନା କରିଛନ୍ତି। ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ପାଇଁ ସ୍ବର୍ଗତ ବିଜୁ ପଟ୍ଟନାୟକ ୧୯୯୩ ମସିହା ଏପ୍ରିଲ ୨୮ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଖଣି କମ୍ପାନିମାନଙ୍କ ଚକ୍ରବ୍ୟୂହରେ ପଡ଼ିଯାଇଛନ୍ତି। ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲୁଥିବାରୁ ଖଣି କମ୍ପାନିମାନେ ବୈତରଣୀ ନଦୀରୁ ମନଇଚ୍ଛା ପାଣି ନେଉଛନ୍ତି। ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେଲେ କମ୍ପାନିଙ୍କୁ ପାଣି ନେବାରେ ଅସୁବିଧା ହେବ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି। ସେହିପରି କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, ମାତ୍ର ୮୬ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କାମ ବର୍ତ୍ତମାନ ୨୪୩୮ କୋଟି ଟଙ୍କାରେ ପହଞ୍ଚିଲାଣି। ତେବେ ୫୨୦ ନମ୍ବର ଜାତୀୟ ରାଜପଥ ଉପରେ ସ୍ପିଲୱେ ନିକଟରେ ଏକ ପୋଲ ନିର୍ମାଣ ଏଯାଏ ଆରମ୍ଭ ହୋଇନି। ପୁଣି ବୈତରଣୀ ନଦୀବନ୍ଧ (ରିଭର ଗ୍ୟାପ) କାର୍ଯ୍ୟ ବାକି ରହିଥିବାବେଳେ ଖଣି କମ୍ପାନିମାନେ ପ୍ରକଳ୍ପ ନ ହେବା ପାଇଁ ଚାପ ପକାଉଥିବାରୁ କାମ ସରିବାରେ ଅହେତୁକ ବିଳମ୍ବ ହେଉଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।

ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରା ନଗଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହାନ୍ତ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଂଜନ କୁମାର ପଟେଲ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର