ଦେବାଶିଷଙ୍କୁ ଗିରଫ କରାଯାଉ: ବିଜେପି

ଭୁବନେଶ୍ବର : ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ପରିବାରକୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ଦୁର୍ଭାଗ୍ୟଜନକ। ଦେଶକୁ ଅପମାନିତ କରିଥିବା ଅପରାଧରେ ଦେବାଶିଷଙ୍କୁ ଗିରଫ କରାଯାଉ ଓ ମୁଖ୍ୟମନ୍ତ୍ରୀ ଯବାନଙ୍କ ପରିବାରକୁ ଭେଟି କ୍ଷମା ମାଗନ୍ତୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି।

ଆଜି ବିଜେପିର ପୂର୍ବତନ ସୈନିକ ପ୍ରକୋଷ୍ଠର ଆବାହକ ଅବସରପ୍ରାପ୍ତ(ଏଲ୍) ଜେନେରାଲ ନାରାୟଣ ମହାନ୍ତି କହିଛନ୍ତି, ଦେଶକୁ ଅପମାନିତ କରିଥିବା ଅପରାଧରେ କ୍ୟାପିଟାଲ ଥାନାରେ ତାଙ୍କ ବିରୋଧରେ ଏତଲା ଦିଆଯାଇଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି। ଯବାନଙ୍କ ପାଇଁ ବିଜେଡିର ଟିକିଏ ମାତ୍ର ସମ୍ମାନ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି। ଶ୍ରୀ ସାମନ୍ତରାୟ ସହିଦଙ୍କ କାକାଙ୍କୁ ଧକ୍କା ମାରୁଥିବାର ଭିଡିଓ ପାକିସ୍ତାନର ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହେଲାଣି। ଏହା ଓଡ଼ିଶା ସମେତ ଦେଶପ୍ରତି ଏକ ଅପମାନଜନକ କଥା। ସେ ଆହୁରି ମଧ୍ୟ କହିଥିଲେ ଯେ ପୁଲୱାମା ଆକ୍ରମଣ ପରେ ବାଲେଶ୍ବର ଜିଲ୍ଲାର ଖଇରା ଅଞ୍ଚଳରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। କାର୍ଯ୍ୟରତ ଜଣେ ଯବାନ ଅମୂଲ୍ୟ ବିନ୍ଧାଣି ଛୁଟିରେ ଘରକୁ ଆସିଥିବା ବେଳେ ନିଜେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମାତ୍ର ସ୍ଥାନୀୟ ସରପଞ୍ଚ ଏହାକୁ ବିରୋଧ କରିବା ସହିତ ଯବାନଙ୍କୁ ମାଡ଼ ମାରିବାକୁ ପଛାଇ ନ ଥିଲେ। ଏହା ବିରୋଧରେ ଶ୍ରୀ ବିନ୍ଧାଣି ଥାନାରେ ଅଭିଯୋଗ କରିଥିଲେ ହେଁ, ପୁଲିସ ମାମଲା ରୁଜୁ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଭିଯୋଗ ପଠାଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଚୁପ୍ ବସିଛି। ଯବାନଙ୍କ ପାଇଁ ଶାସକ ଦଳର ଦରଦ କି ସମ୍ମାନ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅବସରପ୍ରାପ୍ତ କର୍ଣ୍ଣେଲ ଲକ୍ଷ୍ମୀଧର ପରିଡ଼ା ଓ କର୍ଣ୍ଣେଲ ଏମ୍‌ ପି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର