ଭୁବନେଶ୍ବର: ଗତ ୨୮ ତାରିଖରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଷାକ୍ତ ମଦ ପିଇ ୧୨ ଜଣ ପ୍ରାଣ ହରାଇଥିଲା ବେଳେ ୮୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ଏହି ଘଟଣାରେ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କୁ ମୁଖ୍ୟ ଦୋଷୀ ବୋଲି କହିଛି ବିଜେପି। ଆଜି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର କମିସନ୍ଙ୍କୁ ଭେଟି ଏହି ଘଟଣାରେ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଶ୍ରୀ ସାମଲ କହିଛନ୍ତି, ଭୋଟ୍ ହାତେଇବା ପାଇଁ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ବାଣ୍ଟିଥିଲେ। ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ତାଙ୍କ ସହେଯାଗୀ ଅଜୟ କୁମାର ନାୟକ ମଦ ବାଣ୍ଟିଥିବା କଥା ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି। ଘଟଣାର ଦୁଇ ମାସ ବିତିଥିଲେ ମଧ୍ୟ ପୁଲିସ କେବଳ ଜଣଙ୍କୁ ଗିରଫ କରି ଚୁପ୍ ହୋଇ ବସିଛି। ମୁଖ୍ୟ ଅଭିଯୁକ୍ତ ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସହେଯାଗୀଙ୍କୁ ଗିରଫ ନ କରି ସୁରକ୍ଷା ଯୋଗାଉଛି। ମଦ ମୃତ୍ୟୁର ଶିକାର ହୋଇଥିବା ପରିବାରକୁ ନ୍ୟାୟ ମିଳୁ ନାହିଁ। ଏହି ଘଟଣାରେ ମାନବାଧିକାର କମିସନ୍ ତୁରନ୍ତ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ସେହିପରି କେନ୍ଦୁଝର ଚମ୍ପୁଆରେ ଏସାର୍ ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ କିପରି ଜମି ହରାଇଥିବା ସ୍ଥାନୀୟ ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି, ସେ ସମ୍ପର୍କରେ ବିଜେପି ପ୍ରତିନିଧିଦଳ ମାନବାଧିକାର କମିସନ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି କାରଖାନା ଆର୍ ଆଣ୍ଡ୍ ଆର୍ ପଲିସି ଅନୁସାରେ ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେହି ଆକ୍ଟ ଅନୁଯାୟୀ ଯେଉଁମାନେ ଜମି ହରାଇବେ, ସେମାନଙ୍କୁ ସ୍ଥାନୀୟ ନିଯୁକ୍ତି ଯୋଗାଇ ଥଇଥାନ କରିବାକୁ ସରକାର ଓ ଶିଳ୍ପ ସଂସ୍ଥା ବାଧ୍ୟ। କିନ୍ତୁ ଏସାର ପକ୍ଷରୁ ଜମି ହରାଇଥିବା ଲୋକଙ୍କୁ ଥଇଥାନ କରାଯାଉ ନାହିଁ। ଏପରିକି ବୈତରଣୀ ନଦୀକୁ ଏହି ଶିଳ୍ପ ସଂସ୍ଥା ଅତିମାତ୍ରାରେ ପ୍ରଦୂଷିତ କରୁଛି। ତେଣୁ କମ୍ପାନି ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି।
ଏହି ପ୍ରତିନିଧିଦଳରେ ବିଜେପି ଉପସଭାପତି ସମୀର ମହାନ୍ତି, ରାଜ୍ୟ ଯୁବେମାର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ, ଆଇନଜୀବୀ ଜୟନ୍ତ ଜେନା, ସତ୍ୟ ପ୍ରକାଶ ନାୟକ ଓ କେନ୍ଦୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତ ପ୍ରମୁଖ ସାମିଲ ହୋଇଥିଲେ।