ଭକ୍ତଙ୍କ ଭାବନାକୁ କୁଠାରାଘାତ କରୁଛନ୍ତି ରାଜ୍ୟ ସରକାର: ବିଜେପି

ମନ୍ଦିର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ଠୋସ୍ ପଦକ୍ଷେପ ନେବାକୁ ଦାବି

ଭୁବନେଶ୍ୱର : କରୋନା ମହାମାରୀ ଓ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା। ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନଲକ-୧ ଗାଇଡ୍‌ଲାଇନ ଅନୁଯାୟୀ ଜୁନ୍ ୮ ତାରିଖରୁ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । କିନ୍ତୁ ଏ ଯାଏ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ ମନ୍ଦିର ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଦ୍ବାରା ସରକାର ଭକ୍ତଙ୍କ ଆସ୍ଥା ଓ ଭାବନାକୁ କୁଠାରଘାତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମନୁଷ୍ୟ ତା’ର ବିପତ୍ତି ଓ ଅସୁବିଧା ସମୟରେ ଭଗବାନଙ୍କ ଉପରେ ଭରସା ରଖିଥାଏ ଏବଂ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଇଥାଏ। ଓଡ଼ିଶା ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଦୀର୍ଘ ଦିନ ଧରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ବନ୍ଦ ହୋଇ ରହିଛି। ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ତ୍ବେ ବି ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ରହିବା ଅତ୍ୟନ୍ତ ନିନ୍ଦନୀୟ। ଅନ୍ୟ ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନଗୁଡ଼ିକ ଏସ୍‌ଓପି ପାଳନ କରି ଖୋଲା ହୋଇଛି। ଗତ କିଛି ଦିନ ତଳେ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ଖୋଲାଯାଇଛି । ତିରୁପତି ଠାରେ ପ୍ରଭୁ ବାଲାଜୀଙ୍କ ମନ୍ଦିର ଏସ୍‌ଓପି ପାଳନ କରି ଖୋଲାଯାଇଥିବାରୁ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି। ଯଦି ଅନ୍ୟ ରାଜ୍ୟମାନଙ୍କରେ ମନ୍ଦିର ଖୋଲ ଯାଇ ପାରୁଛି ତେବେ ଓଡିଶାରେ ଅସୁବିଧା କେଉଁଠି ରହିଛି ବୋଲି ବିଜେପି ପ୍ରଶ୍ନ କରିଛି।

ଲୋକଙ୍କ ଆସ୍ଥା ସହ ଖେଳିବା ପାଇଁ କୌଣସି ସରକାରର ଅଧିକାର ନାହିଁ । ସେହିପରି ମନ୍ଦିରରେ ପୂଜା କରୁଥିବା ବାହ୍ମଣ ଏବଂ ପୂଜକମାନେ ଏବେ ଅଭାବ ଅନଟନରେ ଅଛନ୍ତି। ମନ୍ଦିର ଖୋଲାଯାଉ ନ ଥିବାରୁ ସେମାନଙ୍କ ପରିବାର ଚଳାଇବା ଏବେ କାଠିକର ପାଠ ହୋଇଛି। ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ କୋଭିଡ ୧୯ ନିୟମ ଅନୁଯାୟୀ ଏସ୍‌ଓପି ପାଳନ କରି ମନ୍ଦିର ଏବଂ ଧର୍ମାନୁଷ୍ଠାନ ଖୋଲନ୍ତୁ। ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ସମ୍ବନ୍ଧିତ ଖବର