ପୌର ନିର୍ବାଚନ ମନେପଡ଼ିଲା

ନିର୍ବାଚନ କମିସନ୍‌ଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ବିଜେପିର ଧମକ

ବିଜେଡିର ଜବାବ: ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପି ଅପମାନିତ କରୁଛି
ନିର୍ବାଚନ ପାଇଁ ଆହୁରି ଲମ୍ବା ପ୍ରକ୍ରିୟା ବାକି ଅଛି

ଭୁବନେଶ୍ବର : ପାଖାପାଖି ତିନି ବର୍ଷ ହେଲା ରାଜ୍ୟର ପୌରପାଳିକାଗୁଡ଼ିକରେ ନିର୍ବାଚିତ ପ୍ରତିନିଧି ନାହାନ୍ତି। ଅଫିସରମାନଙ୍କ ହାତରେ ଶାସନର ଡୋରି ଧରାଇ ଦିଆଯାଇଛି। ନିର୍ବାଚନ କରାଇବାକୁ ସରକାରୀ ସ୍ତରରେ ଆବଶ୍ୟକ ପ୍ରକ୍ରିୟା ତ୍ବରାନ୍ବିତ ହେଉନି। ନିର୍ବାଚନ ବିଳମ୍ବ ହେବାପାଇଁ ସରକାରଙ୍କୁ ଯେତିକି ସମାଲୋଚନା କରାଯାଉଛି, ବିରୋଧୀଙ୍କୁ ମଧ୍ୟ ସେତିକି ସମାଲୋଚିତ ହେବାକୁ ପଡ଼ୁଛି। କାରଣ ନିର୍ବାଚନ କରାଇବା ପାଇଁ ସରକାରଙ୍କ ଉପରେ ବିରୋଧୀଙ୍କ ପଟୁ ଶକ୍ତ ଚାପ କେବେ ସୃଷ୍ଟି ହୋଇନାହିଁ। ବିଳମ୍ବରେ ହେଲେ ବି ଆଜି ବିଜେପି ଏହି ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଦେଖାଇଛି। ତୁରନ୍ତ ନିର୍ବାଚନ କରାଇବାକୁ ବ୍ୟବସ୍ଥା କରା ନ ଗଲେ ଏହି ପ୍ରସଙ୍ଗକୁ କୋର୍ଟକୁ ନେବା ସହ ନିର୍ବାଚନ କମିସନର୍‌ଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବ ବୋଲି ଦଳ ଧମକ ଦେଇଛି। ବିଜେପିର ଏହି ଆଭିମୁଖ୍ୟକୁ ସମାଲୋଚନା କରିଛି ବିଜେଡି। ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପି ଅସମ୍ମାନିତ ନ କରି ନ୍ୟାୟାଳୟର ଦ୍ବାରସ୍ଥ ହୋଇ ନିଜ ମତ ରଖିବାକୁ ବିଜେଡି ଆହ୍ବାନ ଦେଇଛି।

ଏହି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲେ ବି ନିକଟ ଭବିଷ୍ୟତରେ ପୌର ନିର୍ବାଚନ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। କାରଣ ଏଥି ପାଇଁ ସରକାରୀ ସ୍ତରରେ ଲମ୍ବା ପ୍ରକ୍ରିୟା ବାକି ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୫୦% ଭିତରେ ଆସନ ସଂରକ୍ଷଣ ରଖିବାକୁ ହେଲେ ଦୁଇଟି ଆଇନରେ ସଂଶୋଧନ ଆଣିବାର ଆବଶ୍ୟକତା ରହିଛି। ଓଡ଼ିଶା ମ୍ୟୁନିସିପାଲ୍‌ ଆକ୍ଟ,୧୯୫୦ ଓ ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ୍ ଆକ୍ଟ, ୨୦୦୩। କାରଣ ଏହି ଦୁଇଟି ଆଇନରେ ଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥାରେ ୱାର୍ଡ ସଂରକ୍ଷଣ କରାଯାଊଛି। ଏହି ଆଇନରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲେ ବି କ୍ୟାବିନେଟ୍‌କୁ ଆସିନାହିଁ। କ୍ୟାବିନେଟ୍‌ରେ ଗୃହୀତ ହେଲାପରେ ବିଧାନସଭାରେ ଆଗତ କରାଯିବ। ବିଧାନସଭାରେ ପ୍ରସ୍ତାବ ପାରିତ ହେଲାପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯିବ। ତା’ପରେ ସଂଶୋଧିତ ଆଇନ ଅନୁଯାୟୀ ପୌରସଂସ୍ଥାରେ ଆସନ ସଂରକ୍ଷଣ ତାଲିକା ପ୍ରସ୍ତୁତ ହେବ। ସରକାର ଏହି ରିପୋର୍ଟ ନିର୍ବାଚନ କମିସନ୍‌ଙ୍କୁ ଦେଲା ପରେ ହିଁ କମିସନ୍ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ। ଏସବୁ ସମୟସାପେକ୍ଷ। ଆହୁରି ମଧ୍ୟ ନିର୍ବାଚନ ପାଇଁ ରାଜନୈତିକ ସ୍ତରରେ ଆଗ୍ରହ ନ ଥିବାରୁ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବାର ସମ୍ଭାବନା କମ୍। ଏପରିକି ୨୦୨୪ ନିର୍ବାଚନ ଯାଏ ପୌର ନିର୍ବାଚନ ଘୁଞ୍ଚିଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ।

Odisha Sun Times

ବିଜେପି ସଭାପତି ସମୀର ମହାନ୍ତି ଓ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ପୌର ନିର୍ବାଚନ ନ ହେବା ନେଇ ଉଭୟ ରାଜ୍ୟ ସରକାର ଓ ନିର୍ବାଚନ କମିସନ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି। ସେମାନେ କହିଛନ୍ତି, ଦୀର୍ଘ ତିନି ବର୍ଷ ହେଲା ଜନ ପ୍ରତିନିଧି ନ ଥିବାରୁ ସହରାଞ୍ଚଳରେ ବାସ କରୁଥିବା ନାଗରିକମାନେ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ରହୁଛନ୍ତି। ପୌରସଂସ୍ଥାର କାର୍ଯ୍ୟଭାର ଏବେ ସରକାରୀ ବାବୁମାନେ ସମ୍ଭାଳୁଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧିମାନେ ନିର୍ବାଚନ ଲଢ଼ିଥା’ନ୍ତି। ଜନ ପ୍ରତିନିଧି ନ ଥିବାରୁ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। କେନ୍ଦ୍ର ସରକାର ବିଭିନ୍ନ ମୌଳିକ ଭିତ୍ତିଭୂମି ପାଇଁ ବ୍ୟାପକ ଅର୍ଥ ପ୍ରଦାନ କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥ ହରିଲୁଟ୍ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବିପଦ। ତିନି ବର୍ଷ ଭିତରେ ରାଜ୍ୟ ସରକାର ପୌର ନିର୍ବାଚନ କରିପାରିଲେ ନାହିଁ। ରାଜ୍ୟ ନିର୍ବାଚନ କମିସନ୍‌ ନିଜର ସାମ୍ବିଧାନିକ ଦାୟିତ୍ବ ଭୁଲି ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଛନ୍ତି। କମିସନର୍‌ଙ୍କୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ପଦବି ଦେଇଥିବାରୁ ସେ ଗୋଡ଼ାଣିଆ ହୋଇ ରହିଛନ୍ତି। କେଉଁ ପରିପ୍ରେକ୍ଷୀରେ କାହା ଇଙ୍ଗିତରେ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରୁନାହାନ୍ତି ଏବଂ ଜନ ପ୍ରତିନିଧିଙ୍କୁ ସେମାନଙ୍କ ଅଧିକାରରୁ କାହିଁକି ବଞ୍ଚିତ ରଖାଯାଇଛି ? ପାଞ୍ଚ ବର୍ଷ ପୂରିବା ପରେ ଯେପରି ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଉଛି, ଠିକ୍ ସେହିପରି ପୌର ଓ ପଞ୍ଚାୟତ ନିର୍ବାଚନ ଅବଧି ସରିବା ପରେ ରାଜ୍ୟ ନିର୍ବାଚନ କମିସନ୍ ନିର୍ବାଚନ କରିବାକୁ ବାଧ୍ୟ। କିନ୍ତୁ ସରକାରଙ୍କ ଇଙ୍ଗିତରେ ସେ ନିର୍ବାଚନ କରାଉ ନାହାନ୍ତି। ଭାରତର ନିର୍ବାଚନ କମିସନର୍‌ଙ୍କ ପରି ରାଜ୍ୟ ନିର୍ବାଚନ କମିସନର୍‌ଙ୍କୁ ସଂସଦରେ ମହାଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଇପାରିବ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରିବା ପାଇଁ ଯଦି ହାଇକୋର୍ଟ ଦ୍ବାରସ୍ଥ ନ ହୁଅନ୍ତି, ତେବେ ବିଜେପି ସାତ ଦିନ ଭିତରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବ ବୋଲି ଚେତାବନୀ ଦିଆଯାଇଛି।

Sahasa Sahasa

ଜବାବରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରାଜ୍ୟ ନିର୍ବାଚନ କମିସନ୍ ପରି ଏକ ସାମ୍ବିଧାନିକ ପଦ ମର୍ଯ୍ୟାଦା ଥିବା ଅନୁଷ୍ଠାନକୁ ଓଡ଼ିଶା ବିଜେପି ଅସମ୍ମାନ କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। କ୍ରମାଗତ ଭାବେ ନିଜ ଅହଙ୍କାର ଯୋଗୁ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ଓଡ଼ିଶାବାସୀଙ୍କ ଦ୍ବାରା ପରାସ୍ତ ହେବା ପରେ ମଧ୍ୟ କିଛି ଶିଖିପାରିଲା ନାହିଁ। ୨୦୧୯ରୁ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ଓଡ଼ିଶାବାସୀ ବିଜେଡିକୁ ଜୟଯୁକ୍ତ କରାଇଛନ୍ତି। ଓଡ଼ିଶା ବିଜେପି ସୁପ୍ରିମକୋର୍ଟ, ହାଇକୋର୍ଟ, ଜାତୀୟ ନିର୍ବାଚନ କମିସନ୍ ଓ ରାଜ୍ୟ ନିର୍ବାଚନ କମିସନ୍ ପରି ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ସମ୍ମାନ ଦେବା ଶିଖୁ। ଯଦି ସେମାନଙ୍କର କୌଣସି ଅଭିଯୋଗ ଅଛି, ତେବେ ସେମାନେ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ନିଜ ମତ ରଖିପାରିବେ। ତାହା ନ କରି ରାଜ୍ୟ ନିର୍ବାଚନ କମିସନ୍‌ ପରି ଏକ ସାମ୍ବିଧାନିକ ଅନୁଷ୍ଠାନକୁ ଅସମ୍ମାନ କରିବା ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଉଚିତ ନୁହେଁ। ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି, ତାହା ପଞ୍ଚାୟତ, ପୌର କିମ୍ବା ସାଧାରଣ ନିର୍ବାଚନ ହେଉ। କାରଣ ଆମେ ନିର୍ବାଚନ ପାଇଁ ନୁହେଁ, ଲୋକଙ୍କ ପାଇଁ କାମ କରୁ। ଓଡ଼ିଶାବାସୀ ବିଜେଡିର ଭଲ କାମ ପାଇଁ ପ୍ରତ୍ୟେକ ନିର୍ବାଚନରେ ଆଶୀର୍ବାଦ କରି ଜୟଯୁକ୍ତ କରାଉଛନ୍ତି।

ସମ୍ବନ୍ଧିତ ଖବର