ଜୟପୁର : ଗତ ୩ ବର୍ଷ ହେବ ଆବାସ ଯୋଜନାରେ ଘର ଖଣ୍ଡିକ ପାଇବା ପାଇଁ ହିତାଧିକାରୀମାନେ ଆବେଦନ କରିଥିଲେ ମଧ୍ୟ ପାଇ ନଥିଲେ। ଜୟପୁର ବ୍ଲକର ୨୨ଟି ଯାକ ପଞ୍ଚାୟତରେ ଆବେଦନକାରୀଙ୍କ ଘରକୁ ଘର ବୁଲି ଯାଞ୍ଚ କରି ଫଟୋ ଉଠାଇ ଜିଅଟ୍ୟାଗିଂ କାମ ଜାରି ରହିଛି। ତେବେ ଏହି ପ୍ରକ୍ରିୟାକୁ ସଠିକ ଭାବେ କରାଯାଉ ବୋଲି ବିଜେପି ରାଜ୍ୟସ୍ଥାୟୀ ପରିଷଦ ସଭ୍ୟ ଗୌତମ ସାମନ୍ତରାୟ, ନଗର ସଭାପତି ରାଧେଶ୍ୟାମ ପରିଡ଼ା ସହ ଅନ୍ୟ ବିଜେପି ପ୍ରତିନିଧି ଦଳ ଜୟପୁର ବିଡିଓ ରାଜୀବ ଦାସଙ୍କୁ ଭେଟି ଆଲୋଚନା କରିଥିଲେ।
ଏଥିସହିତ ଅନ୍ୟ କେନ୍ଦ୍ର ଯୋଜନା ଗୁଡ଼ିକୁ ମଧ୍ୟ ସଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ବିଜେପି ନେତାମାନେ ଦାବି କରିଥିଲେ। ରାଜନୈତିକ ହସ୍ତକ୍ଷେପ, ଚାପ ଆଦିକୁ ନ ଦେଖି ଗରିବ ଏବଂ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ସହ କେନ୍ଦ୍ରର ଅନ୍ୟ ଯୋଜନା ଗୁଡ଼ିକରେ ସାମିଲ କରିବାକୁ ଏମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବ ବର୍ଷ ଗୁଡ଼ିକରେ କଣ ହୋଇଥିଲା ତାହା ସେ ଜାଣିବାକୁ ଚାହୁଁ ନାହାନ୍ତି। ବର୍ତ୍ତମାନ ସେ ନିଜେ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ସହ କିଭଳି ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ପାଇବେ ସେଥିପାଇଁ ବ୍ୟକ୍ତିଗତ ଯାଞ୍ଚ କରି ସାମିଲ କରିବେ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।