ରାଉରକେଲା: ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଜଣେ କର୍ମୀଙ୍କ ହାତରେ ଛୁଞ୍ଚି ଫୋଡ଼ି ରକ୍ତ ଟାଣିବା ଘଟଣାକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦୃଢ଼ ନିନ୍ଦା କରାଯାଛି। ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ରାଉରକେଲା ଯୁବମୋର୍ଚ୍ଚା ପକ୍ଷରୁ ରଘୁନାଥପାଲି ଥାନା ଘେରଉ କରାଯାଇଥିଲା। ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ଅଙ୍କୁଶ ବର୍ମାଙ୍କ ନେତୃତ୍ବରେ ବିଜେପି ନେତା ଓ କର୍ମୀମାନେ ରଘୁନାଥପାଲି ଥାନା ଆଗରେ ବିକ୍ଷୋଭ କରିବା ସହ ରାଜ୍ୟ ସରକାରୀ ବିରୋଧୀ ନାରା ଦେଇଥିଲେ। ଯଦି ବିନା ପ୍ରମାଣପତ୍ର ଥିବା ନକଲି ଡାକ୍ତରଙ୍କୁ ରାଜ୍ୟ ସରକାର ଗିରଫ କରୁଛନ୍ତି, ତା ହେଲେ ମନ୍ତ୍ରୀ ସାରଦା ନାୟକଙ୍କୁ କ’ଣ ପାଇଁ ନୁହେଁ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରାୟ ପ୍ରଶ୍ନ କରିଛନ୍ତି।
ସାରଦାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ସରକାରୀ ଡାକ୍ତରଖାନାରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶ୍ରମମନ୍ତ୍ରୀ ସାରଦା ନାୟକ ବିନା ଡାକ୍ତରୀ ସାର୍ଟଫିକେଟ୍ରେ ନିଜର ଯୋଗ୍ୟତା ନଥାଇ ଏକ ବ୍ୟକ୍ତିଙ୍କ ରକ୍ତଚାପ ଯାଞ୍ଚ କରିବା ସହ ତାଙ୍କ ହାତରେ ଛୁଞ୍ଚି ଫୋଡ଼ି ରକ୍ତ ସଂଗ୍ରହ କରିଥିଲେ। ଯଦି କିଛି ଅଘଟଣ ହୋଇଥାନ୍ତା, ତା ହେଲେ ସେଥିପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି। ଘଟଣାକୁ ଗୁରୁତର ସହ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ ପ୍ରଶାସନ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ପ୍ରବାଳ ରଞ୍ଜନ ବାରିକ୍, ମନୋରଞ୍ଜନ ମୁନି, ସରୋଜ ଦାସ, ସୁଶାନ୍ତ ବିଶ୍ବାଳ, ବିକାଶ କଚ୍ଛୁଆ, କେଦାର ପ୍ରିୟଦର୍ଶୀ ବାରିକ୍, ଅନୀଲ ମହାନନ୍ଦିଆ, ସୋନୁ କଂସାରୀ ପ୍ରମୁଖ ନେତୃତ୍ବ ନେଇଥିଲେ।