ଭୁବନେଶ୍ବର : ବ୍ରହ୍ମପୁର ନିକଟସ୍ଥ ମେଣ୍ଡରାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଆହତଙ୍କୁ ଆଜି କଟକ ସ୍ଥାନାନ୍ତର କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏସ୍ସିବି ମେଡିକାଲ କଲେଜ ଯାଇ ଆହତଙ୍କୁ ଭେଟି ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଏହା ସହ ଆହତ ବ୍ୟକ୍ତିଙ୍କ ପରିବାରବର୍ଗ ଓ ଡାକ୍ତରଙ୍କ ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ରାଜ୍ୟରେ ଏପରି ମର୍ମନ୍ତୁଦ ଘଟଣା ବାରମ୍ବାର ହେବା ସତ୍ତ୍ବେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ପଦାରେ ପକାଇଛି। କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ବିଜୁଳି ବିତରକ କମ୍ପାନି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାଉଥ୍କୋ ସିଇଓଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଥିଲେ।
ଶ୍ରୀ ମହାନ୍ତି ଆହୁରି କହିଥିଲେ, ବର୍ତ୍ତମାନ ବିଜୁଳି ସେବା ଯୋଗାଉଥିବା ବିତରକ କମ୍ପାନି ପ୍ରତି ରାଜ୍ୟ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ବିଜୁଳି ବିତରକ କମ୍ପାନିଗୁଡ଼ିକ ମନୋମୁଖୀ କାର୍ଯ୍ୟ କରୁଛନ୍ତି। ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅତୀତରେ ଢେଙ୍କାନାଳ ଜିଲ୍ଲା ଭୁବନରେ ଯାତ୍ରୀବାହୀ ବସ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏପରିକି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବହୁତ ହାତୀ ମଧ୍ୟ ଜୀବନ ହରାଇ ସାରିଲେଣି। ଫନି ଓ ହୁଡ୍ହୁଡ୍ ବାତ୍ୟା କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ବହୁ ପରିମାଣର ଅର୍ଥ ଆସିଥିଲା। ମାତ୍ର ଭିତ୍ତିଭୂମି ସଜାଡ଼ିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏପରି ଏକ ସମ୍ବେଦନଶୀଳ ଦୁର୍ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ଶ୍ରୀ ମହାନ୍ତିଙ୍କ ସହ ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ପୂର୍ବତନ ବିଧାୟକ ପ୍ରକାଶ ବେହେରା, ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ ଓ ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ, ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ, କଟକ ଜିଲ୍ଲା ସଭାପତି ଲଲାତେନ୍ଦୁ ବଡ଼ୁଙ୍କ ସମେତ ଜିଲ୍ଲା କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/samir-mohanty.jpg)