ବିଜେଡି ପ୍ରଚାର ମଞ୍ଚରେ ସରକାରୀ ଶିକ୍ଷକ! ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନ ଉଷ୍ମତା ଲାଗି ରହିଛି। ଏବେ ବିଭିନ୍ନ ଦଳ ପକ୍ଷରୁ ମାଲକାନଗିରି ପୌରାଞ୍ଚଳରେ ଜୋରଦାର ପ୍ରଚାର କାର୍ଯ୍ୟ ଚାଲିଛି। ଏହି ପ୍ରଚାର କାର୍ଯ୍ୟରେ ସରକାରୀ ଶିକ୍ଷକମାନଙ୍କ ଉପସ୍ଥିତିକୁ ନେଇ ଏବେ ଚର୍ଚ୍ଚା  ଜୋର ଧରିଛି। ଗତ ପଞ୍ଚାୟତ ନିର୍ବାଚନରେ ମାଲକାନଗିରି ବ୍ଲକର କଚେଲି ସ୍କୁଲର ଶିକ୍ଷକ ବିଜେଡି ପାଇଁ କୋରକୋଣ୍ଡା ବ୍ଲକର ଏମଭି-୩୫ରେ ପ୍ରଚାର କରୁଥିବା ନେଇ ଜଣାପଡିଥିଲା। ଏବେ ପୁଣି ମାଲକାନଗିରି ପୌରାଞ୍ଚଳର ୧୩ ନମ୍ବର ଵାର୍ଡର ଟେକବାଡିସାହିରେ ବିଜେଡି ପ୍ରଚାର କରୁଥିବା ବେଳେ ଜଣେ ଅସିତ ବିଶ୍ବାସ ନାମକ ଶିକ୍ଷକ ବିଜେଡି ମଞ୍ଚରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ତେବେ କେଉଁ ଉଦେଶ୍ୟରେ ସେ ଏହି ପ୍ରଚାର ମଞ୍ଚରେ ଠିଆ ହୋଇଛନ୍ତି ତାହାକୁ ନେଇ ବିଜେପି ଏବେ ପ୍ରଶ୍ନ ଉଠାଇଛି। ବାରମ୍ବାର ସରକାରୀ ଶିକ୍ଷକମାନେ ବିଜେଡିର ପ୍ରଚାର ବେଳେ ସହଯୋଗ କରୁଥିବା ନେଇ ବିଜେପି ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବା ନେଇ ନିନ୍ଦା କରାଯାଇଛି। ଶାସକ ଦଳ ପାଇଁ ସରକାରୀ କର୍ମଚାରୀ ପ୍ରଚାର କାର୍ଯ୍ୟରେ ଯୋଗ ଦେଇ ପ୍ରଚାର କଲେ ସେମାନଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସାଧାରଣରେ ଏକ ପ୍ରକାର ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେପି ମଧ୍ୟ ଏହାକୁ ଘୋର ବିରୋଧ କରିଛି। ସରକାରଙ୍କର ନିର୍ଦେଶକୁ ଫୁ କରି ସରକାରୀ କର୍ମଚାରୀମାନେ ଶାସକ ଦଳ ପାଇଁ ପ୍ରଚାର କାର୍ଯ୍ୟରେ ଜୁଟୁଛନ୍ତି।

ତେବେ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପିର ସାଧାରଣ ସଂପାଦକ ମାଣିକ ଚକ୍ରବର୍ତ୍ତୀ ଦାବି କରିଛନ୍ତି। ଏନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବେ ବୋଲି କହିଛନ୍ତି। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଏନେଇ ଆନ୍ଦୋଳନ ମଧ୍ୟ କରାଯିବ ବୋଲି କୁହାଯାଇଛି। ଏନେଇ ମାଲକାନଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚରାଯିବାରୁ ସେ ଏଭଳି କୌଣସି ସରକାରୀ କର୍ମଚାରୀ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। ଯଦି କେହି ଏଭଳି ଭୁଲ କରିଛନ୍ତି ତେବେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନାଙ୍କୁ ପଚାରିବାରୁ ସେ ମଧ୍ୟ ଏଭଳି ସରକାରୀ ନିର୍ଦେଶକୁ ନମାନି ନିର୍ବାଚନୀ କାର୍ଯ୍ୟରେ ଯୋଗ ଦେଇଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

 

ସମ୍ବନ୍ଧିତ ଖବର