ଓମ୍‌ଙ୍କ ବିରୋଧରେ ରମା

ନାମାଙ୍କନ ଦାଖଲ ପାଇଁ ଆସିଲେନି ରମାଙ୍କ ସମର୍ଥକ

ପୁରୀ : ସତ୍ୟବାଦୀ ନିର୍ବାଚନମଣ୍ଡଳୀ ବିଜେପି ଦୁଇ ଭାଗ। ବିଜେପି ଗତ ଥରର ସ୍ବ‌ାଧୀନ ପ୍ରାର୍ଥୀ ଥିବା ଓମ୍‌ପ୍ରକାଶ ମିଶ୍ରଙ୍କୁ ଦଳୀୟ ଟିକେଟ ଦେବା ପରେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ରମାରଂଜନ ବଳିୟାର ସିଂହ ନିରାଶ ‌ହୋଇଛନ୍ତି। ବିଜେପି ତାଙ୍କ ସହିତ ବିଶ୍ବାସଘାତ କରିଥିବା ରମାଙ୍କ ସମର୍ଥକମାନେ କହିଛନ୍ତି। ବିଜେଡିରୁ ଯାଇ ବିଜେପିରେ ସାମିଲ ହୋଇଥିବା ରମା ସତ୍ୟବାଦୀରେ ବିଜେପି ସଂଗଠନକୁ ସକ୍ରିୟ କରିଥିଲେ। ଦଳ ମଧ୍ୟ ତାଙ୍କୁ ଭରସା କରି ଆସୁଥିଲା। ଏପରିକି ରମାଙ୍କୁ ପ୍ରାର୍ଥୀ କରିବାକୁ ନିର୍ଭର ପ୍ରତିଶ୍ରୁତି ମଧ୍ୟ ମିଳିଥିଲା।

ତେବେ ବିଜେପି ଯୁବନେତା ଓମ୍‌ଙ୍କୁ ପ୍ରାର୍ଥୀ କରିବା ପରେ ରମାଙ୍କ ସମର୍ଥକମାନେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ୪୭ ହଜାର ଭୋଟ ପାଇଥିବା ରମାଙ୍କ ବଦଳରେ ବିଜେପି ମାତ୍ର ୧୮ ହଜାର ଭୋଟ ପାଇଥିବା ଓମ୍‌ଙ୍କୁ କାହିଁକି ଅଧିକ ଭରସା କରିଛି ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ବିଜେପି ଟିକେଟ ବଣ୍ଟନରେ ମଧ୍ୟ ଅର୍ଥବଳ କାମ କରିଥିବା ରମାଙ୍କ ସମର୍ଥକମାନେ ଖୋଲ‌ାଖୋଲି କହିଛନ୍ତି। ସତ୍ୟବାଦୀ ବିଜେପିରେ ଏବେ ଓମ୍‌ଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଛି।

ଆଜି ଓମ୍‌ ପ୍ରକ‌ାଶ ମିଶ୍ର ପୁରୀରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିଲେ। ମାତ୍ର ଏଥିପାଇଁ ଆୟୋଜିତ ଶୋଭାଯାତ୍ରାରେ ରମାଙ୍କ ସମର୍ଥକଙ୍କ ଦେଖା ମିଳିନଥିଲା। ସତ୍ୟବାଦୀରେ ବିଜେପିକୁ ଓମ୍‌ଙ୍କୁ ପ୍ରାର୍ଥୀ କରିବା ପରେ ରମାଙ୍କ ସମର୍ଥକମାନେ ଏବେ ବିଜେପି ବିରୋଧରେ ବିକ୍ଷୋଭ ଆରମ୍ଭ କରିଛନ୍ତି।

ରମାରଂଜନ ସିଧାସଳଖ ଏ ନେଇ ପ୍ରତିକ୍ରିୟା ରଖି ନଥିଲେ ମଧ୍ୟ ସେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ, ରମା ଓମ୍‌ଙ୍କ ହାତ ଛାଡିଲେ ବିଜେପି ପାଇଁ ସତ୍ୟବାଦୀ ସହଜ ହେବ ନାହିଁ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ସତ୍ୟବାଦୀରେ ସଂଗଠନ କରି ଆସିଥିବା ପୁରୀର ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ ବିଜେଡି ଛାଡିବା ପରେ ସେ ଏବେ ବିଜେପିରେ ମିଶିବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଜୟନ୍ତ ପୁରୀ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେଲେ ତାଙ୍କ ସଂଗଠନ ଓମ୍‌ଙ୍କ ଆଡକୁ ଢଳିବ ବୋଲି ଜଣାପଡିଛି।

ଏଭଳି ସ୍ଥିତିରେ ସତ୍ୟବାଦୀରେ ବିଜେପିର ଗୋଳିଆ ସ୍ଥିତିରୁ ଅନ୍ୟ ଦୁଇ ଦଳ ଫାଇଦା ନେବାକୁ ଉଦ୍ୟମ କରିଛି। ଆବଶ୍ୟକ ପଡ଼ିଲେ ରମା ସ୍ବାଧୀନ ପ୍ରାର୍ଥୀ ହେବାର ମଧ୍ୟ ସମ୍ଭାବନା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର