ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟାକୁ ନେଇ ବିଜେପ ରାଜନୀତି କରୁଛି

ବିଜେପିର ଆନ୍ଦୋଳନ ଚେତାବନୀ, ସିବିଆଇ ତଦନ୍ତ ଦାବି କଲା

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ମାମଲା ଆଜି ନୂଆ ମୋଡ଼ ନେଇଛି। ବୁଧବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଥିଲା। ଉଭୟ ବିଜେପି ରାଜ୍ୟ ସଂ ପାଦକ ଟଙ୍କଧର ତ୍ରିପାଠୀ ଓ ଦୀନେଶ ଜୈନ ପୃଥକ୍ ପୃଥକ୍ ଭାବେ ସାମ୍ବାଦିକ ସମ୍ମିଳନୀ ଡାକି ମନ୍ତ୍ରୀ ଶ୍ରୀ ଦାସଙ୍କୁ ଟାର୍ଗେଟ୍‌ କରିଥିଲେ। ଏପଟେ ଆଜି କିନ୍ତୁ ମୃତ ଲଳିତ ସାହୁଙ୍କ ବାପା ବେଲାର୍ସନ ସାହୁ ବିଜେପି ବିରୋଧରେ ଝାରସୁଗୁଡ଼ା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ପୁଅର ଆତ୍ମହତ୍ୟାକୁ ନେଇ ବିଜେପି ରାଜନୀତି କରୁଛି। ଏପରିକି ବିଜେପି ନେତା ଟଙ୍କଧର ତ୍ରିପାଠୀ, ତ୍ରିନାଥ ଗୁଆଲ, ଅଞ୍ଜଳି ବେହେରା ଏବଂ ଅନ୍ୟ ବିଜେପି ନେତାମାନେ ତାଙ୍କୁ ଗଭୀର ମାନସିକ ଚାପ ଦେଉଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଭଳି ମାନସିକ ଚାପ ସମୟରେ ତାଙ୍କ ପରିବାରର ଅନ୍ୟ କେହି ସଦସ୍ୟ ଆତ୍ମହତ୍ୟା କଲେ ଏହି ନେତାମାନେ ଦାୟୀ ରହିବେ କି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

ତାଙ୍କ କହିବା ଅନୁଯାୟୀ ପୁଅ କୌଣସି କର୍ମ ସଂସ୍ଥାନ ପାଉ ନଥିଲା। ସୌଭାଗ୍ୟରୁ ମନ୍ତ୍ରୀ ନବ ଦାସଙ୍କ ଘରେ ରୋଷେୟା ଭାବେ ନିଯୁକ୍ତି ପାଇଥିଲା। କିନ୍ତୁ ଅବାଟରେ ଯାଇ ମାନସିକ ଚାପରେ ରହୁଥିଲା। ଶେଷରେ ଆତ୍ମହତ୍ୟା କରିଦେଲା ବୋଲି ଏତଲାରେ ଲେଖାଯାଇଛି। ଏକ ଆତ୍ମହତ୍ୟାକୁ ବିଜେପି ନେତାମାନେ ବାରମ୍ବାର ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୁଲିସ ପ୍ରଶାସନ ପକ୍ଷରୁ ଆଇନ୍‌ ଅନୁଯାୟୀ ସନ୍ତୋଷଜନକ ଶବ ବ୍ୟବଚ୍ଛେଦ କରାଯାଇଛି। ବଡ଼ପୁଅ ବିରଞ୍ଚି ସାହୁ ଝାରସୁଗୁଡ଼ା ଆସି ପୁଲିସ ଓ ଜିଲ୍ଲା ପ୍ରଶାସନ ନକଟରେ ଅନୁରୋଧ କରି ଶବ ଗ୍ରହଣ କରି ଗାଁକୁ ନେଇଥିଲା। ପରେ ସେଠାରେ ପୁଅର ଅନ୍ତିମ ସଂସ୍କାର କରାଯାଇଥିଲା।

ଏହି ସମୟରେ ବିଜେପିର ନେତା ଶ୍ରୀ ତ୍ରିପାଠୀ, ଶ୍ରୀ ଗୁଆଲ ଓ ନେତ୍ରୀ ଶ୍ରୀମତୀ ବେହେରା ଆମ ଅନୁରୋଧରେ ଜିଲ୍ଲା ପ୍ରଶାସନ କାହିଁକି ମୃତଦେହର ବ୍ୟବଚ୍ଛେଦ କରି ଶବ ହସ୍ତାନ୍ତର କଲା ଏ ନେଇ ପ୍ରଶ୍ନ କରୁଛନ୍ତି। ଆତ୍ମହତ୍ୟା ନୁହେଁ ବୋଲି ପ୍ରଚାର କରି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ବାରା ଆମ ପରିବାରର ସମସ୍ତେ ମାନସିକ ଚାପର ଶିକାର ହେଉଛୁ ବୋଲି ସେ ଦର୍ଶାଇଛନ୍ତି। ଏହି ଅଭିଯୋଗକୁ ସୁଇସାଇଡାଲ୍‌ ନୋଟ୍‌ ଭା‌ବରେ ଗ୍ରହଣ କରି ଅଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି। ସେ ଝାରସୁଗୁଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ଏଭଳି ସ୍ୱାର୍ଥ ସର୍ବସ୍ୱ ନେତାଙ୍କଠାରୁ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ଚିଠିରେ ଅନୁରୋଧ କରିଛନ୍ତି।

ସେପଟେ କାହିଁକି ଲଳିତଙ୍କ ମୃତଦେହକୁ କାହିଁକି ରାତି ଅଧିଆ ବ୍ୟବଚ୍ଛେଦ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ବିଜେପି ପକ୍ଷରୁ ଏକ ଦାବିପତ୍ର ଝାରସୁଗୁଡ଼ା ଏସ୍‌ପିଙ୍କୁ ପ୍ରଦାନ କରାଯାଇଛି। ଏଥିରେ ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଯାଇଛି। ଅପମୃତ୍ୟୁ ମାମଲା ବଦଳରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରାଯାଇଛି। ସେହିପରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗୃହରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଯଦି ଶୀଘ୍ର ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ସିସିଟିଭି ଫୁଟେଜ ନଷ୍ଟ ହୋଇଯିବାର ଆଶାଙ୍କା ରହିଥିବା ବିଜେପି ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ସାକ୍ଷୀ ଓ ପ୍ରମାଣକୁ ନଷ୍ଟ କରିବାକୁ ସହାୟତା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରାଯିବା ସହିତ ଘଟଣାର ସିବିଆଇ ତଦନ୍ତ ଦାବି କରାଇଛି। ନିରପେକ୍ଷ ତଦନ୍ତ କରା ନଗଲେ ପାର୍ଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବିପତ୍ରରେ ଚେତାବନୀ ଦିଆଯାଇଛି। ଏହି ପ୍ରସଙ୍ଗରେ ଝାରସୁଗୁଡ଼ା ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହଛନ୍ତି, ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଦାବିପତ୍ର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦିଆଯାଇଛି।

ଏହି ଅପମୃତ୍ୟୁ ମାମଲା ତଦନ୍ତାଧୀନ ରହିଛି। ତେବେ ରାତିରେ କାହିଁକି ଶବ ବ୍ୟବଚ୍ଛେଦ କରିବାକୁ ଦିଆଗଲା ଏ ବାବଦରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବେହେରା କହିଛନ୍ତି, ମୃତ ଲଳିତଙ୍କ ଭାଇ ବିରଞ୍ଚି ସାହୁ ରାତିରେ ଶବ ବ୍ୟବଚ୍ଛେଦ କରିବାକୁ ଝାରସୁଗୁଡା ପୁଲିସ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଖରାଦିନେ ଶବ ନଷ୍ଟ ହୋଇଯିବା ଆଶଙ୍କା ଥିବାରୁ ରାତାରାତି ଶବ ବ୍ୟବଚ୍ଛେଦ କରାଗଲା ବୋଲି କହିଛନ୍ତି। ପରିବାର ସଦସ୍ୟଙ୍କ ସମ୍ମତି ପରେ ରାତିରେ ବ୍ୟବଚ୍ଛେଦ କରାଯାଇଛି। ସେହିପରି ସମସ୍ତ ନିୟମ ମଧ୍ୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ବିଜେପି ପକ୍ଷରୁ ଏହି ଦାବିପତ୍ରର ନକଲ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ପୁଲିସ ଡିଜି, ବରଗଡ଼ ସାଂସଦ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର