ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ଚୟନ ପୂର୍ବରୁ ଆଜି ୨୩ଜଣ ଜିଲ୍ଲା ସଭାପତିଙ୍କୁ ଦଳ ନିର୍ବାଚିତ କରିଛି। ଦଳର ମୋଟ୍ ୩୭ଟି ସାଙ୍ଗଠନିକ ଜିଲ୍ଲାରୁ ୨୩ଟିରେ ଆଜି ସଭାପତି ନିର୍ବାଚିତ ହୋଇଛନ୍ତି। ବାକି ୧୪ଟି ସ୍ଥାନରେ ଜିଲ୍ଲା ସଭାପତି ପାଇଁ ଏକାଧିକ ଅାଶାୟୀ ଥିବାରୁ ଏବଂ ଦଳୀୟ କନ୍ଦଳ ଯୋଗୁ ନିର୍ବାଚନ ହୋଇପାରିନି। ରାଜ୍ୟ ସଭାପତି ଚୟନ ପାଇଁ ଅତି କମ୍ରେ ୧୯ଟି ଜିଲ୍ଲା ସଭାପତି ନିର୍ବାଚନ ଶେଷ ହେବାକୁ ଥିବାରୁ ଦଳ ଏହାକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରିଛି। ବାକି ୧୪ଟି ସ୍ଥାନରେ ପରବର୍ତ୍ତୀ ସମୟରେ ଜିଲ୍ଲା ସଭାପତି ନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ଆଜି ଦଳର ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଜିଲ୍ଲା ଗସ୍ତ କରି ଜିଲ୍ଲା କାର୍ଯ୍ୟାଳୟରେ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରୁ ଜିଲ୍ଲା ସଭାପତିଙ୍କ ନାମ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା ହେଉଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ଜିଲ୍ଲା ସ୍ତରରେ ସଭାପତିଙ୍କ ନାମ ଘୋଷଣା ହୋଇଛି।
ଏଥିରେ ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଈଶ୍ବର ଚନ୍ଦ୍ର ବେହେରା, ବାଲେଶ୍ବର ଉତ୍ତର- ପ୍ରଦୀପ କୁମାର ପଣ୍ଡା, ବରଗଡ଼- ଅରୁପାନନ୍ଦ ସାହୁ, ବଲାଙ୍ଗୀର- ଶ୍ରୀବତ୍ସ ବେହେରା, ବୌଦ୍ଧ- ପ୍ରେମାନନ୍ଦ ମିଶ୍ର, କଟକ- ସୁକାନ୍ତ ବିଶ୍ବାଳ, କଟକ(ଗ୍ରାମୀଣ)- ରାମ ନାରାୟଣ ମହାନ୍ତି, ଦେବଗଡ଼- ଅରୁଣ କୁମାର ସାହୁ, ଢେଙ୍କାନାଳ- ରାହସ ବିହାରୀ ବେହେରା, ଗଞ୍ଜାମ- ସରୋଜ ସାବତ, ଘୁମୁସାର (ଆସିକା)- ବିଜୟ ସ୍ବାଇଁ, ଘୁମୁସାର (ଭଞ୍ଜନଗର)- ନୀଳମାଧବ ପାତ୍ର, ଜଗତସିଂହପୁର- ପ୍ରତାପ ମିଶ୍ର, କଳାହାଣ୍ଡି- ଯୁଗଳ କିଶୋର ପୋଢ଼, କେନ୍ଦ୍ରାପଡ଼ା- ଶଶାଙ୍କ ଶେଖର ସେଠୀ, କେନ୍ଦୁଝର- ସୁକଦେବ ମହନ୍ତ, ମାଲକାନଗିରି- ଅଶୋକ ପରିଡ଼ା, ମୟୂରଭଞ୍ଜ (ପୂର୍ବ)- ନିହାର ମୋଦୀ, ମୟୂରଭଞ୍ଜ (ପଶ୍ଚିମ)- ଜୁରିଲାଲ ମହନ୍ତ, ନବରଙ୍ଗପୁର- କୁଞ୍ଜବିହାରୀ ଦାଶ, ନୂଆପଡ଼ା- କମଲେଶ ଦିକ୍ଷୀତ, ପୁରୀ- ଦେବେନ୍ଦ୍ରନାଥ ତରେଇ, ସୁନ୍ଦରଗଡ଼- ଗିରିଶ ଚନ୍ଦ୍ର ସାହୁ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।