ବାଇ-ଲ’ଅଡ଼ୁଆରେ ଘାଣ୍ଟି ହେଲାଣି ବିଜେପି, ସାଂସଦ ଅପରାଜିତାଙ୍କୁ ଜବାବ ଦେଲା ବିଜେଡି

ମାନସ କହିଲେ ଓଡ଼ିଶାବାସୀଙ୍କୁ ବୋକା ବନାନ୍ତୁ ନାହିଁ, ରାଜ୍ୟ ନେତାଙ୍କ ମତପାର୍ଥକ୍ୟ ନେଇ ଦ୍ବନ୍ଦ୍ବରେ କର୍ମୀ

ଭୁବନେଶ୍ବର: ବାଇ-ଲ’ ପ୍ରସଙ୍ଗକୁ ନେଇ ବିବାଦ ଧୀରେ ଧୀରେ ଭୀଷଣ ରୂପ ଧାରଣ କଲାଣି। ବାଇ-ଲ’ ପ୍ରତ୍ୟାହାର ହେବ କି ନାହିଁ, ସେ ନେଇ ରାଜ୍ୟ ବିଜେପି ଭିତରେ ତିନି ତିନିଟି ମତ ସାମ୍ନାକୁ ଆସିବା ସହିତ ଦଳୀୟ ନେତାଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ପଦାରେ ପଡ଼ିଛି। ଖୋଦ୍ ବିଜେପି କର୍ମୀମାନେ ବି ଦ୍ବନ୍ଦ୍ବରେ ପଡ଼ିଲେଣି ଯେ କାହା ସହିତ ସେମାନେ ଯିବେ।

ଅନ୍ୟପଟରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି କଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏହି ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ନିବେଦନ କରିବା ପରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୂପ ମତ ରଖିଥିଲେ। କେବଳ ସେତିକି ନୁହେଁ, ଓଡ଼ିଶାର ବିଜେଡି ସାଂସଦମାନେ ମଧ୍ୟ କେନ୍ଦ୍ର ନିକଟରେ ଦାବି ରଖିସାରିଛନ୍ତି। ଏହା ପରେ ବି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟାଳଟୁଳ ନୀତି ଅବଲମ୍ବନ କରିବା ଘଟଣା ରାଜ୍ୟ ରାଜନୀତିରେ ବିଜେପି ପାଇଁ ଅକଳ ପରିସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ନେତାଙ୍କ ମଧ୍ୟରେ କଥାବାର୍ତାରେ ତାଳମେଳ ନ ରହିବା, ସର୍ବୋପରି ବିକାଶ କାମରେ କେନ୍ଦ୍ର ବାଧକ ସାଜୁଛି ବୋଲି ଗୋଟିଏ ମତ ଏବେ ସାମ୍ନାକୁ ଆସିବା ପରିପ୍ରେକ୍ଷୀରେ ବିଜେପି ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।

ଠିକ୍ ଏମିତି ସମୟରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଯେଉଁ ସବୁ ପ୍ରଶ୍ନ ଉଠାଇଥିଲେ, ତାହା ଉପରେ ବିଜେଡି ମୁହଁତୋଡ଼ ଜବାବ ଦେଇଛି। ଆଜି ବିଜେଡି ପକ୍ଷରୁ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ସାମ୍ନାକୁ ଆସି ପଚାରିଛନ୍ତି ଯେ ଅମ୍‌ସର୍ ଆଇନର ଧାରା ୨୦-ଇ ଅନୁଯାୟୀ ଐତିହ୍ୟ ବାଇ-ଲ’ ଯାହା ଏକାମ୍ର କ୍ଷେତ୍ରକୁ ପ୍ରଭାବିତ କରୁଛି, ତାହାକୁ ତିଆରି କରିବା ପାଇଁ ପ୍ରକୃତରେ କିଏ କ୍ଷମତାପ୍ରାପ୍ତ ଅଧିକାରୀ। କାହିଁକି ମିଥ୍ୟା ତଥ୍ୟ ଦେଇ ସାଂସଦ ଓଡ଼ିଶା ଲୋକଙ୍କୁ ବୋକା ବନାଉଛନ୍ତି? ଅମ୍‌ସର୍ ଆଇନ ସାଂସଦ ପଢ଼ୁନାହାନ୍ତି କାହିଁକି?

ଶ୍ରୀ ମଙ୍ଗରାଜ ଆଜି ସାଂସଦଙ୍କ ପ୍ରଶ୍ନର ଜବାବ ଗଣମାଧ୍ୟମ ଜରିଆରେ ଦେଇ କହିଛନ୍ତି, ‘‘ ମୁଁ ଆପଣଙ୍କ ଭଳି ଜଣେ ଆଇଏଏସ୍ ଅଫିସର ନୁହେଁ। କୌଣସି ଗବେଷଣା ବି କରିନାହିଁ। କିନ୍ତୁ ମୁଁ ଜାଣିଛି ଯେ କୌଣସି ବ୍ୟକ୍ତି ୫ମିନିଟ୍‌ରେ ଏହା ପଢ଼ି ଜାଣିପାରିବ ଯେ ଭାରତ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୋଲକାତାରେ ଥିବା ଏଏସ୍‌ଆଇର ଆଞ୍ଚଳିକ ନିର୍ଦେଶକ ହେଉଛନ୍ତି ଅମ୍‌ସର୍ ଆଇନ, ଧାରା ୨୦-ଙ୍କ ଅନୁସାରେଐତିହ୍ୟ ବାଇ-ଲ’ ଚିଠା ପ୍ରସ୍ତୁତର କ୍ଷମତାପ୍ରାପ୍ତ ଅଧିକାରୀ। ସଂସ୍କୃତି ନିର୍ଦେଶକ ଚିଠା ଐତିହ୍ୟ ବାଇ-ଲ’ର କ୍ଷମତାପ୍ରାପ୍ତ ଅଧିକାରୀ ନୁହନ୍ତି। କୋଲକାତା ଠାରେ
ଥିବା ଏଏସ୍‌ଆଇ ଆଞ୍ଚଳିକ ନିର୍ଦେଶକ ହିଁ ଓଡ଼ିଶାର ମନ୍ଦିରଗୁଡ଼ିକ ଲାଗି ଐତିହ୍ୟ ବାଇ-ଲ’ ପ୍ରସ୍ତାବ ପଠାଇଛନ୍ତି। ହେଲେ ଏହାକୁ ଭୁଲ୍ ଭାବେ ଚିତ୍ରଣ କରାଯାଉଛି।’’

ଶ୍ରୀ ମଙ୍ଗରାଜ ଆହୁରି କହିଛନ୍ତି ଯେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାର ସଂସ୍କୃତି ବିଷୟରେ ଅବଗତ ନୁହନ୍ତି। ତେଣୁ ଧାର୍ମିକ ଭାବନା ସହିତ ଜଡ଼ିତ ବିଗ୍ରହ, ସେବାୟତ ଏବଂ ଭକ୍ତଙ୍କର ଯେଉଁ ସଂପର୍କ ରହିଛି, ତାହା ବୁଝିବା ତାଙ୍କ ପକ୍ଷେ କଷ୍ଟକର। ବରଂ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୋଧହୁଏ ଭଲଭାବେ ଏହି ସ୍ପର୍ଶକାତର ପ୍ରସଙ୍ଗକୁ ବୁଝିପାରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଦୀର୍ଘ ଦିନ ଧରି ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ଯାହା ଜଣାପଡ଼ୁଛି, ସେ ଆମ୍‌ସର୍ ଆଇନକୁ ଠିକ୍ ଭାବେ ପଢ଼ିନାହାନ୍ତି। କିମ୍ବା ଜାଣିଶୁଣି ମନଗଢ଼ା କଥା କହୁଛନ୍ତି। ଆଇନକୁ ପଢ଼ି ଉତ୍ତର ଦିଅନ୍ତୁ ବୋଲି ଶ୍ରୀ ମଙ୍ଗରାଜ ଆଜି ସାଂସଦଙ୍କୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର