ଅନୁଗୁଳ : ବିଜେପିର ନିଜ ଗାଁରେ ଫେଲ୍ ମାରିଲା ବିଜେପି। କଣିହାଁ ବ୍ଳକର ଏହି ୮ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଗତ ଜିଲ୍ଲା ପରିଷଦରେ ବିଜେପି ବିଜୟୀ ହୋଇଥିଲା ବେଳେ ଏଥର ଏହାକୁ ବିଜେଡି ଛଡେଇ ନେଇଛି। ଖାଲି ଏତିକି ନୁହେଁ, ଧର୍ମେନ୍ଦ୍ରଙ୍କ ଗଡ଼ କୁହାଯାଉଥିବା ତାଳଚେର, ପାଳଲହଡ଼ା ଓ କଣିହାଁ ବ୍ଳକରେ ବିଜେପିକୁ ଗୋଟିଏ ହେ‌ଲେ ବି ଆସନ ମିଳିପାରିନାହିଁ। ଏପଟେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେପିରେ ମିଶିବା ପରେ ଦଳକୁ ଯେଉଁ ସଫଳତା ମିଳିବ ବୋଲି ଆଶା ରହିଥିଲା ତାହା ବି ମଉଳିଯାଇଛି। ବରଂ, ଗତ ନିର୍ବାଚନରେ କିଶୋରନଗର ବ୍ଲକରେ ବିଜେପି ହାତେଇଥିବା ୩ଟି ଯାକ ଆସନ ଏଥର ହରାଇବସିଛି।

Advertisment

ଅନୁଗୁଳ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଏଥର ବଡ଼ ସଫଳତା ପାଇଛି। ୨୮ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଗୋଟିଏ ଜିତିଥିଲାବେଳେ ଅନ୍ୟ ସମସ୍ତ ଆସନ ବିଜେଡି ଖାତାକୁ ଯିବା ସମ୍ଭାବନା ସୃଷ୍ଟି ହୋଇଛି। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅନୁଗୁଳ ଜିଲ୍ଲା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା। ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ୧୨ଟି ଆସନ ଜିତି ବିଜେଡିକୁ କଡ଼ା ଚାଲେଞ୍ଜ ଦେଇଥିଲା। ଏଥର ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତିରେ ତାଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ପରୋକ୍ଷରେ ନିର୍ବାଚନ ପରିଚାଳନା କରୁଥିଲେ। ସରକାରୀ ବିରୋଧୀ ହାୱାକୁ ଭୋଟରେ ପରିଣତ କରି ଗତ ସଫଳତା ଦୋହରାଇବା ଆଶାରେ ଥିଲା ବିଜେପି। କିନ୍ତୁ ଧର୍ମେନ୍ଦ୍ରଙ୍କ ନିଜ ମାଟିରେ ବିଜେପି ବିଫଳ ହେଲା। ଗତ ନିର୍ବାଚନରେ କଣିହାଁ ବ୍ଲକର ୩ଟି ଯାକ ଆସନ ବିଜେପି ଜିତିଥିଲା ବେଳେ, ତାଳଚେର ବ୍ଲକର ୪ଟିରୁ ୩ଟି ଓ ପାଳଲହଡ଼ାରେ ୩ଟିରୁ ୨ଟି ଆସନ ବିଜେପି ଖାତାକୁ ଯାଇଥିଲା। ଅର୍ଥାତ ତାଳଚେର ଓ ପାଳଲହଡ଼ା ବିଧାନସଭା କ୍ଷେତ୍ର ଅଧୀନରେ ଥିବା ୧୦ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ୮ଟି ଆସନ ହାତେଇ ବିପୁଳ ସଫଳତା ପାଇଥିଲା। କିନ୍ତୁ ଏଥର ଚିତ୍ର ସମ୍ପୂର୍ଣ୍ଣ ଓଲଟା। ବିଜେପି ଏହି ସବୁ ଆସନ ହାତଛଡ଼ା କରିଛି। ୧୦ଟି ଆସନରୁ ବିଜେଡି ୬ଟିରେ ବିଜୟୀ ହୋଇଥିଲାବେଳେ ଆଜି ରାତି ସୁଦ୍ଧା ଅନ୍ୟ ୪ଟିରେ ଆଗୁଆ ରହି ବିଜୟକୁ ସୁନିଶ୍ଚିତ କରିଛନ୍ତି। ଧର୍ମେନ୍ଦ୍ରଙ୍କ ମାଟିରେ ବିଜେପି ଏମିତି ମୂଳପୋଛ ହୋଇଯିବା କେବଳ ବିଜେପି ନୁହେଁ, ରାଜନୈତିକ ପଣ୍ଡିତଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। କଣିହାଁ ବ୍ଲକର ଦୁଇଟି ଯାକ ଜୋନ୍‌ରେ ବିଜୟ ବ୍ୟବଧାନ ୩ ହଜାର ଭୋଟରୁ ଅଧିକ ରହିଛି। ତେବେ ପାଳଲହଡ଼ାରେ ବିଜେଡି ଜିତିଥିବା ଦୁଇଟି ଯାକ ଆସନରେ ୧ ହଜାରରୁ ୧୫ ଶହ ଭୋଟ ଆଗରେ ରହିଛି।

କିଶୋରନଗର ବ୍ଳକରେ ଏଥର ବିଜେପିକୁ ବଡ଼ ବିପର୍ଯ୍ୟୟର ସାମନା କରିବାକୁ ପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ସମସ୍ତ ୩ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ ହୋଇଥିଲା। ବ୍ୟବଧାନ ବି ବଡ଼ ଥିଲା। ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଛାଡ଼ି ବିଜେପିରେ ମିଶିବା ପ‌ରେ ବିଜେପି ଏଠାରେ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଅନୁମାନ କରାଯାଉଥିଲା। ସେହିପରି ଆଠମଲ୍ଲିକ ବ୍ଳକରେ ଦଳ ବିଜେଡି ହାତରୁ କିଛି ଆସନ ଛଡ଼ାଇ ଆଣିବାକୁ ଲକ୍ଷ୍ୟ ରଖିଥିଲା। ଏହି ଯୋଜନା କିନ୍ତୁ ସଫଳ ହୋଇପାରିନାହିଁ। ବରଂ, କିଶୋରନଗରର ୩ଟି ଯାକ ଆସନ ବିଜେପି ହାତଛଡ଼ା କରିଛି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେପି ଖାତା ଖୋଲି ପାରି ନ ଥିଲାବେଳେ କିଛି ଆସନରେ ଆତ୍ମ ସମର୍ପଣ କରିଦେଇଛି। ଏହା ସଂଜୀବ ରାଜନୈତିକ କ୍ୟାରିୟର ପ୍ରତି ଏକ ଝଟକ ବୋଲି ବିବେଚନା କରାଯାଉଛି।
ଏପଟେ ଅନୁଗୁଳ ଜିଲ୍ଲାରେ ଥିବା ସମସ୍ତ ୫ ଜଣ ଯାକ ବିଧାୟକ ଏହି ପଞ୍ଚାୟତ ପରୀକ୍ଷାରେ ପାସ୍‌ କରିଯାଇଛନ୍ତି। ଗଣତିର ଶେଷଦିନର ରାତି ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବିଜେପି କେବଳ ଛେଣ୍ଡିପଦାର ଗୋଟିଏ ଆସନ ହାତେଇଛି। ଅନ୍ୟ କୌଣସି ଆସନରେ ଆଗୁଆ ମଧ୍ୟ ନାହିଁ। ଅବଶ୍ୟ କିଛି ଆସନରେ ବିଜେପି କଡ଼ା ଫାଇଟ୍‌ ଦେଇଛି, ତଥାପି ଏହା ବିଜୟ ପାଇଁ ଯଥେଷ୍ଟ ହୋଇନି। ବିଜେଡି ଓ ବିଜେପି ମଧ୍ୟରେ ଏଥର ମୁହାଁମୁହିଁ ଲଢେଇ ହୋଇଥିଲାବେଳେ କଂଗ୍ରେସ ବିଲକୁଲ ଲଢେଇରେ ସାମିଲ ହୋଇନାହିଁ। ଅଧିକାଂଶ ଆସନରେ ଦଳ ହଜାରେରୁ ମଧ୍ୟ କମ୍‌ ଭୋଟ ପାଇଛି।