ଭୁବନେଶ୍ବର: କେନ୍ଦ୍ରରେ ମୋଦୀ ସରକାର ଶାସନକୁ ଆସିବା ପରେ ଚାଷୀଙ୍କ ସମସ୍ୟା ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଦୀର୍ଘ ୨୩ବର୍ଷର ରାଜ୍ୟ ସରକାର ଚାଷୀଙ୍କୁ ବାରମ୍ବାର ପ୍ରତାରଣା କରୁଛନ୍ତି। ନବୀନ ସରକାର ଚାଷୀଙ୍କ ପାଇଁ ଜଳସେଚନ, ଶୀତଳଭଣ୍ଡାର ଇତ୍ୟାଦିର କୌଣସି ବ୍ୟବସ୍ଥା କରି ନାହାନ୍ତି। ଫଳରେ ଚାଷୀ ନାହିଁ ନ ଥିବା ସମ୍ମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ରାଜ୍ୟରେ ଜଳସେଚନ ଅବ୍ୟବସ୍ଥା କାରଣରୁ ଚାଷ ଓ ଚାଷୀ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାର ଚାଷୀଙ୍କ ଏଭଳି ସଙ୍ଗୀନ ସ୍ଥିତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତୀୟ ଜନତା ପାର୍ଟିର କୃଷକମୋର୍ଚ୍ଚା ଗାଁକୁ ଗାଁ ବୁଲିବ ବୋଲି କହିଛନ୍ତି ବିଜେପି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ। ଆଜି କୃଷକମୋର୍ଚ୍ଚାର ଏକ ବିଶେଷ ବୈଠକ ରାଜ୍ୟ ସଭାପତି ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୨୨ତାରିଖରେ ପ୍ରତ୍ୟେକ ଜିଲ୍ଲାରୁ ୧୦ଜଣ କରି ବିଭିନ୍ନ କ୍ଷେତ୍ରର ଚାଷୀମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର କରାଯିବ। କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଚାଷୀମାନଙ୍କୁ ସମ୍ମାନିତ କରାଯିବା ପାଇଁ ଖସଡ଼ା ପ୍ରସ୍ତୁତି ହେବ। ଏହି କ୍ରମରେ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଗ୍ରାମ୍ୟ ପରିକ୍ରମା କରାଯାଇ କେନ୍ଦ୍ର ସରକାରଙ୍କର ୯ବର୍ଷର କୃଷକମାନଙ୍କ ଲାଗି କରାଯାଇଥିବା ପ୍ରତ୍ୟେକ ଯୋଜନାକୁ ସାଧାରଣ ଲୋକଙ୍କୁ ସୂଚନା ଦିଆଯିବ। ୧୪ ରୁ ୧୮ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକ ଆଗରେ ରାଜ୍ୟ ସରକାରଙ୍କ ବିଫଳତା ତଥା ବିଭିନ୍ନ ବିଷୟକୁ ନେଇ ବିକ୍ଷୋଭ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଏହି ବୈଠକରେ ସମୀର ପାତ୍ର, ଉପେନ୍ଦ୍ର ଭଞ୍ଜ, ଶୁଭ୍ରାଂଶୁ ଶେଖର ପାଢ଼ୀ, ହୃଷିକେଶ ଜେନା, ପ୍ରଦୀପ ପତ୍ରୀ, ବିକ୍ରମ କେଶରୀ ରାଉତରାୟ, ବିଶ୍ୱଜିତ ସ୍ୱାଇଁ, ଅଜୟ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ସତ୍ୟବାଦୀ ଚଇନି, ଅଶୋକ ରଥ, ପୂର୍ଣ୍ଣିମା ଦାସ, ନନ୍ଦିନୀ ଶତପଥୀ, ବିକ୍ରମ ପାଢ଼ୀ, ବିକାଶ କୁମାର ପାଢ଼ୀ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।