ବୈଜୟନ୍ତଙ୍କ ଜିଲ୍ଲାରେ ବିଜେପିର ଫ୍ଲପ୍ ସୋ’, ନିଜେ ରହିଲେନି କି ବିଜୟ ଆସିଲେନି
ଦୁଇ ଶହ କର୍ମୀ, ଶହେ ମିଟର ଯାତ୍ରାରେ ଅଟକିଗଲେ, ଏମିତି ଘର ସଜା଼ଡ଼ୁଛି ବିଜେପି
ଭୁବନେଶ୍ବର/ କେନ୍ଦ୍ରାପଡ଼ା: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ସଚେତନତା ସୃଷ୍ଟି ପାଇଁ ବିଜେପି ସାରା ଦେଶରେ କାର୍ଯ୍ୟକ୍ରମ ହାତକୁ ନେଇଛି। ଜଣେ ପରେ ଜଣେ କେନ୍ଦ୍ରୀୟ ନେତା ଓଡ଼ିଶା ଆସୁଛନ୍ତି। ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲି ଏହା ସପକ୍ଷରେ ଯୁକ୍ତି ରଖୁଛନ୍ତି। ହେଲେ ଶ୍ରୀ ପଣ୍ଡାଙ୍କ ନିଜ ନିର୍ବାଚନମଣ୍ଡଳୀରେ ସିଏଏ ସପକ୍ଷ ସଚେତନତା କାର୍ଯ୍ୟକ୍ରମ ଫ୍ଲପ୍ ସୋ’ ରେ ପରିଣତ ହୋଇଛି। ମାତ୍ର ଦୁଇ ଶହ ପାଖାପାଖି କର୍ମୀଙ୍କୁ ନେଇ ଶୋଭାଯାତ୍ରା ଆୟୋଜନ ହୋଇଥିବା ବେଳେ ଶୋଭାଯାତ୍ରା ମାତ୍ର ଶହେ ମିଟର ଯାଇ ଅଟକି ଯାଇଥିଲା। କେବଳ ସେତିକି ନୁହେଁ, ବିଜେପି ନୂଆ ସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଦଳର ପ୍ରଥମ କାର୍ଯ୍ୟକ୍ରମରେ ପ୍ରଭାବୀ ପ୍ରଦର୍ଶନ ହୋଇପାରିନାହିଁ। ଏହାକୁ ନେଇ ଜିଲ୍ଲା ବିଜେପିରେ ଚର୍ଚ୍ଚା ଯେତିକି, ରାଜ୍ୟ ବିଜେପିସ୍ତରରେ ମଧ୍ୟ ଅନୁରୂପ ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆସନ୍ତା ୧୬ ତାରିଖରେ ବିଜେପି ରାଜ୍ୟ ସଭାପତି ମନୋନୟନ ପତ୍ର ଦାଖଲ ହେବ। ୧୭ ତାରିଖରେ ନୂଆ ସଭାପତିଙ୍କ ନାମ ଘୋଷଣା ହେବ। ରାଜନୀତି ଦୃଷ୍ଟିରୁ ଅତି ସମ୍ବେଦନଶୀଳ କେନ୍ଦ୍ରାପଡା ଜିଲ୍ଲାର ଆଜିର ଏହି କାର୍ଯ୍ୟକ୍ରମ ବିଜେପି ପାଇଁ ଅନେକ ପ୍ରଶ୍ନ ଟାଣି ଆଣିଲାଣି। ଆଜିର ଏହି କାର୍ଯ୍ୟକ୍ରମ ଏକଥା ବି ସୂଚାଇ ଦେଇଛି ଯେ ବିଜେପିରେ କିଛି ଠିକ୍ ଠାକ୍ ନାହିଁ। କାରଣ ଭୁବନେଶ୍ବରରେ ଥିଲେ ବି ଜିଲ୍ଲାର ଅନ୍ୟତମ ପ୍ରଭାବୀ ନେତା ବିଜୟ ମହାପାତ୍ର ପ୍ରମୁଖ ସେ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। ତେବେ ବିଜେପି କିନ୍ତୁ ପୁଲିସ ଅନୁମତି ନଦେବା ଆଳ ଦେଖାଇ ଖସି ଯିବାକୁ ବସିଛି। ଏହା ପୂର୍ବରୁ ମହାକାଳପଡାରେ ବି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ‘ସିଏଏ’କୁ ନେଇ ସାରା ଦେଶରେ ତର୍କ-ବିତର୍କ ଜାରି ରହିଛି। ଏ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବଢାଇବା ପାଇଁ ଜଣେ ପରେ ଜଣେ କେନ୍ଦ୍ରମନ୍ତ୍ରୀ, ଦଳର ବରିଷ୍ଠ ତଥା ପ୍ରଭାବୀ ନେତା ଓଡ଼ିଶା ଆସୁଛନ୍ତି। ଆଜି ଏହି କ୍ରମରେ ଭୁବନେଶ୍ବରରେ ରାମମାଧବ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କ ବିରୋଧରେ ଗର୍ଜନ ତର୍ଜନ କରିଥିଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ଏକାଧିକ ରାଜ୍ୟ ଇତିମଧ୍ୟରେ ଗସ୍ତ କରି ପ୍ରଚାର ଚଳାଇଛନ୍ତି। ହେଲେ ତାଙ୍କ ଜିଲ୍ଲାର ସ୍ଥିତି ଏଠି ଦୟନୀୟ ଅବସ୍ଥାକୁ ଚାଲିଆସିଲାଣି। ରାଜ୍ୟ ବିଜେପି ଘରସଜଡା କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ଚିତ୍ର ସୂଚାଇ ଦେଇଛି, ବିଜେଡି ଓ କଂଗ୍ରେସକୁ ମୁକାବିଲା ଲାଗି ସତରେ ବିଜେପି କେତେ ପ୍ରସ୍ତୁତ। ଗଲା ୫ତାରିଖରେ ସାରା ରାଜ୍ୟରେ ‘ସିଏଏ’କୁ ନେଇ ଆରମ୍ଭ ହୋଇଥିବା ଜନସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ପରିପ୍ରେକ୍ଷୀରେ ମହକାଳପଡ଼ାର ରାମନଗରସ୍ଥିତ ରାମ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଏଥିରେ ଯୋଗ ଦେଇ ସିଏଏ ବିରୋଧରେ ଅପପ୍ରଚାର ଚଳାଇଥିବା ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଥିଲେ। ହେଲେ ସଭାସ୍ଥଳରେ ବହୁତ କମ୍ ଲୋକଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଆଜି ଜିଲ୍ଲା ସଦର ମହକୁମାରେ ‘ସିଏଏ’ ନେଇ ହୋଇଥିବା ସଚେତନତା ପଦଯାତ୍ରାରେ ତା ଠାରୁ ସାଂଘାତିକ ଚିତ୍ର ଦେଖିବାକୁ ମିଳିଲା। ଆୟୋଜନ ତୁଳନାରେ କର୍ମୀଙ୍କ ସଂଖ୍ୟା ନଗଣ୍ୟ ଥିଲା। ଦଳର ଯୋଜନା ଥିଲା, ତିନିମୁହାଣି ରାମ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଗୋପସ୍ଥିତ ରାମ ମନ୍ଦିରରେ ଶେଷ ହେବ। ଏହି କ୍ରମରେ ପୂର୍ବାହ୍ନରେ ତିନିମୁହାଣିସ୍ଥିତ ରାମ ମନ୍ଦିରରେ କର୍ମୀ ପହଞ୍ଚିଥିଲେ। କିନ୍ତୁ ସଂଖ୍ୟା କମ୍ ଏବଂ ରାଜ୍ୟ ସ୍ତରୀୟ ନେତା କେହି ଆସି ନ ଥିବାରୁ ଶୋଭାଯାତ୍ରା ବିଳମ୍ବରେ ବାହାରିଥିଲା। ବିଜେପି ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ପହଞ୍ଚିବା ପରେ ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବରେ ପ୍ରାୟ ଦୁଇ ଶହ କର୍ମୀ ଶୋଭାଯାତ୍ରା ବାହାରି ତିନିମୁହାଣି ଟ୍ରାଫିକ୍ ଛକରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି ସାମିଲ୍ ହୋଇଥିଲେ। ହେଲେ ଶୋଭାଯାତ୍ରା ଆଗକୁ ବଢ଼ିନଥିଲା। ଏପଟେ ଅନୁମତି ଦିଆଯାଇନଥିବାରୁ ପୁଲିସ ପକ୍ଷରୁ ଜ୍ଞାନପୀଠ କଲେଜ ଛକରେ ବାରିକେଡ୍ ବନ୍ଧାଯାଇ ଶୋଭାଯାତ୍ରା ଅଟକାଯିବା ପାଇଁ ତିନିମୁହାଣି-ନୂଆବସ୍ଷ୍ଟାଣ୍ଡ୍ ରାସ୍ତା ଅବରୋଧ କରି ରଖାଯାଇଥିଲା। କିନ୍ତୁ ତିନି ମୁହାଣି ଛକରେ ଦଳୀୟ ନେତାଙ୍କ ଭାଷଣରେ ଶୋଭାଯାତ୍ରା ଶେଷ ହୋଇଯିବାରୁ ଅପରାହ୍ନ ପ୍ରାୟ ୨ଟା ବେଳେ ବାରିକେଡ୍ ଖୋଲି ଦିଆଯାଇଥିଲା। ଆଜିର ଅଭାବନୀୟ ଘଟଣା ନୂଆ ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ପାଇଁ ଚାଲେଞ୍ଜ୍ ହୋଇଛି। ଅନ୍ୟପଟେ ସାରା ଭାରତ ବୁଲି ‘ସିଏଏ’ ସପକ୍ଷରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଉଭୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ବିଜୟ ମହାପାତ୍ର ବି। ଜିଲ୍ଲା ସଭାପତି କିଶୋର ପଣ୍ଡା କହିଛନ୍ତି ଯେ, ବହୁ ଆଗରୁ ଶୋଭାଯାତ୍ରା ପାଇଁ ଅନୁମତି ମାଗିଥିଲୁ। କିନ୍ତୁ ପୁଲିସ ଦେଲା ନାହିଁ। ତା’ଛଡ଼ା ଦଳୀୟ ପତାକା ବଦଳରେ ତ୍ରିରଙ୍ଗା ରାଲି କରିଥିବାରୁ ଶୋଭାଯାତ୍ରା ଆଗକୁ ବଢ଼ିଥିଲେ ପୁଲିସ ଅଟକାଇଥା’ନ୍ତା। ସେଠାରେ ଧସ୍ତାଧସ୍ତି ହୋଇଥିଲେ ପତାକା ତଳେ ପଡ଼ିଥା’ନ୍ତା। ଏହାଦ୍ବାରା ତ୍ରିରଙ୍ଗାକୁ ଅସମ୍ମାନ ହୋଇଥା’ନ୍ତା। ତେଣୁ ଶୋଭାଯାତ୍ରାକୁ ଆଗକୁ ବଢ଼ାଇଲୁ ନାହିଁ ବୋଲି ଶ୍ରୀ ପଣ୍ଡା ଯୁକ୍ତି ବାଢ଼ିଛନ୍ତି।