ଏକାକୀ ଜିଲ୍ଲା ପରିଷଦ ଗଢ଼ିବ ବିଜେପି: ସମୀର ମହାନ୍ତି

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି

ରାଉରକେଲା: ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାକୁ ଶ୍ରୀହୀନ କରିଦେଇଛନ୍ତି। ଜିଲ୍ଲାବାସୀଙ୍କ ମୌଳିକ ସେବା ଯୋଗାଇବାରେ ଶତପ୍ରତିଶତ ବିଫଳ ହୋଇଥିବାବେଳେ କେବଳ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଜିଲ୍ଲାରେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଅନୁଦାନ ବି ଦେଉଛନ୍ତି। କିନ୍ତୁ ବିଜେଡି ସରକାର ଏହାକୁ କାର୍ଯ୍ୟାକରୀ କରୁନଥିବାରୁ ଜନସାଧାରଣ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଜି ଏଭଳି ଭାବରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ସେକ୍ଟର-୩ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ଜନସାଧାରଣଙ୍କ ବିକାଶରେ ବାଧକ ସାଜିଥିବା ନବୀନ ସରକାରଙ୍କ ଅସଲ ମୁଖା ରାଜ୍ୟବାସୀ ଜାଣିସାରିଲେଣି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ। ଗତ ୨୦୧୭ ନିର୍ବାଚନରେ ଜିଲ୍ଲାରେ ବିଜେଡି-କଂଗ୍ରେସର ଅସାଧୁ ମେଣ୍ଟ ଦେଖିବାକୁ ମିଳିଥିଲା। ଏକ ଅପବିତ୍ର ମେଣ୍ଟ ବଳରେ ଉଭୟ ଦଳ ଜିଲ୍ଲା ପରିଷଦ ଗଢ଼ିଥିଲେ। ଏଥର ସେଭଳି କରିବାକୁ ଦଳ ସୁଯୋଗ ଦେବନାହିଁ। ଚଳିତଥର ବିଜେପି ଦଳ ଏକଚାଟିଆ ମ୍ୟାଜିକ୍‌ ଫିଗର୍‌ ହାସଲ କରି ଜିଲ୍ଲା ପରିଷଦ ଗଠନ କରିବବୋଲି କହିଥିଲେ। ଏହାସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଲେ, ଗ୍ରାମାଞ୍ଚଳର ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନରେ ନୀତି ପ୍ରଣୟନ ହୋଇଥିଲା।

ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ମଧ୍ୟ କରାଯାଇଛି ା ମାତ୍ର ରାଜ୍ୟର ଅପାରଗ ବିଜେଡି ସରକାର ଏହାକୁ ଏଯାଏଁ ରାଜ୍ୟରେ କାର୍ଯ୍ୟକାରୀ କରିନାହାନ୍ତି। ଓଲଟା ନିଜ କ୍ଷମତାର ଅପବ୍ୟବହାର କରି କନିଷ୍ଠ ଯନ୍ତ୍ରୀ, ଦଳୀୟ ନେତାଙ୍କୁ ଠିକାଦାର ସଜାଇଛନ୍ତି। ପଞ୍ଚାୟତର ଭିତ୍ତିଭୂମି ବୃଦ୍ଧିରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ପଞ୍ଚାୟତରେ ଆଲୋକ ବ୍ୟବସ୍ଥା, ପାନୀୟ ଜଳ, ଡ୍ରେନ୍ ବ୍ୟବସ୍ଥା, ସଲିଡ ୱେଷ୍ଟ ବ୍ୟବସ୍ଥା, କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ଲକ୍ଷ୍ୟ ଥିଲା, କିନ୍ତୁ ତାହା ସମ୍ଭବ ହେଲାନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ଲକ୍ଷ ୧୭ ହଜାର ଘର ନିର୍ମାଣ ପାଇଁ ଅନୁଦାନ ଆସିଥିବାବେଳେ ଜିଲ୍ଲାରେ ଗୋଟିଏ ବି ପକ୍କାଘର ହୋଇପାରି ନାହିଁ, ଯାହାକି ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ଅନୈତିକ ମେଣ୍ଟ କରି କୃଷକଙ୍କୁ ଶୋଷଣ କରୁଛନ୍ତି। ଯାବତୀୟ ମାନସିକ, ଶାରୀରିକ, ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ଚାଷୀକୂଳ। କୋଭିଡ୍‌ ସହାୟତା ରାଶି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିଲାନି। କେନ୍ଦ୍ର ସରକାର ମିନିମମ ଫରେଷ୍ଟ ପ୍ରଡକ୍ଟ (ଏମ୍‌ଏଫ୍‌ପି) ଯୋଜନାରେ ୧୫ଟି ଜଙ୍ଗଲଜାତ ଦ୍ରବ୍ୟକୁ ୬୦କୁ ବୃଦ୍ଧି କରିଥିବା ବେଳେ ଏଠାରେ କିନ୍ତୁ ଏହାକୁ ଲାଗୁ କରାଯାଇନାହିଁ। ରାଉରକେଲାରେ ୨୦୧୩ ମସିହାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବା କୋଏଲ ବ୍ୟାରେଜ୍‌ କୁଆଡ଼େ ଗଲା? କୁଆଁରମୁଣ୍ଡା ଠାରେ ଥିବା କଳକାରଖାନାର ପର୍ଯ୍ୟାପ୍ତ ସୁଯୋଗଥିଲେ ମଧ୍ୟ କାହିଁ ସୁବିନିଯୋଗ କରାଯାଉନି? ଜଳସେଚନ ପାଇଁ କେନ୍ଦ୍ର ସରକାର ବୃହତ ଜଳ ପ୍ରକଳ୍ପ ପାଇଁ ପର୍ଯ୍ୟାପ୍ତ ପରିମାଣର ସହାୟତା ଯୋଗାଇଥିଲେ ମଧ୍ୟ କାର୍ଯ୍ୟକାରୀ ନ କରିବା ପଛର କାରଣ କ’ଣ? ବୋଲି ପ୍ରଶ୍ନ କରିଥିଲେ ରାଜ୍ୟ ସଭାପତି।

ଏହିଅବସରରେ ଜଣେ ମହିଳାଙ୍କ ପ୍ରତି ସାଂସଦ ଜୁଏଲ ଓରାମ ଓରାମ ଦୁର୍ବବ୍ୟବହାର ପ୍ରଦର୍ଶନ ପ୍ରସଙ୍ଗ ନେଇ ପଚାରିବାରୁ କହିଲେ, ଏସବୁ ଅଭିଯୋଗ ମିଛ ଓ ଭିତ୍ତିହୀନ। ଏଥିରେ ତିଳେମାତ୍ର ସତ୍ୟତା ନାହିଁ। ବିରୋଧୀ ଦଳର ଇଙ୍ଗିତରେ ଦଳର ବରିଷ୍ଠ ଆଦିବାସୀ ନେତାମାନଙ୍କ ଛବିକୁ ମଳିନ କରିବାକୁ ଅପପ୍ରୟାସ କରାଯାଉଛି, ଏଥିରେ ସେମାନେ ସଫଳ ହେବେନାହିଁବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ ଓ ଜଗବନ୍ଧୁ ବେହେରା, ସମ୍ବଲପୁର ଜୋନାଲ ମିଡିଆ ପ୍ରଭାରୀ ମାନସ ବକ୍ସି, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ା

ସମ୍ବନ୍ଧିତ ଖବର