ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ। ମହିଳା ଓ ଶିଶୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି ବୋଲି ଆଜି ପୁଣି ଅଭିଯୋଗ ଆଣିଛି ବିରୋଧୀ ବିଜେଡି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ବିଜେପି ସରକାରଙ୍କ ଉପରେ ବିଜେଡି ବର୍ଷିବା ସହ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ପରେ ପ୍ରଧାନମନ୍ତ୍ରୀ ରାଜ୍ୟ ଗସ୍ତ କରିବା କଥା ବୋଲି ବିଜେଡି ନେତ୍ରୀମାନେ କହିଛନ୍ତି। ରାଜ୍ୟ ସରକାର ମହିଳା ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଅଧିକ ଅପରାଧ ଘଟୁଥିବା ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ଏଥିସହ ଅଧିକ ଅପରାଧ ସଂଗଠିତ ହେଉଥିବା ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ୮ଟି ବିଜେପି ଶାସିତ ରାଜ୍ୟ ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରନ୍ତୁ
ଓଡ଼ିଶା ଏବେ ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ
ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ବିଧାୟିକା ପ୍ରମିଳା ମଲ୍ଲିକ, ସାଧାରଣ ସମ୍ପାଦିକା ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତି ରହି ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଏହି ଅବସରରେ ସେମାନେ କହିଛନ୍ତି, ବିଜେପି ରାଜ୍ୟବାସୀଙ୍କୁ ଅନେକ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ରାଜ୍ୟକୁ ସୁଶାସନ ପ୍ରଦାନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ରାଜ୍ୟରେ ନାରୀ ନିର୍ଯାତନା ଅହେତୁକ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ବାରମ୍ୱାର ରାଜ୍ୟକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ଓ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟରେ ଉପସ୍ଥିତି ସମୟରେ ଜଘନ୍ୟ ଅପରାଧ ମାନ ଘଟୁଛି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସିଥିଲେ ଭଲ ହୋଇଥାନ୍ତା ବୋଲି ବିଜେଡି ନେତ୍ରୀମାନେ କଟାକ୍ଷ କରିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳାର ସ୍ଥିତିକୁ ପ୍ରଧାନମନ୍ତ୍ରୀ ସମୀକ୍ଷା କରନ୍ତୁ।
ଆଇନ ଶୃଙ୍ଖଳା ପରିସ୍ଥିତିରେ କିପରି ସୁଧାର ଆସିବ, ସେଥିପାଇଁ ପଦକ୍ଷେପ ନିଅନ୍ତୁ। ପ୍ରଧାନମନ୍ତ୍ରୀ ଆସିବେ ଆଉ ଯିବେ, କିନ୍ତୁ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଯେଉଁଠିକୁ ସେଇଠି ରହିବ ବୋଲି ସମ୍ମିଳନୀରେ କୁହାଯାଇଛି। ବର୍ଷକରେ ରାଜ୍ୟରେ ଦୁଷ୍କର୍ମ, ଅପହରଣ, ହତ୍ୟା ଇତ୍ୟାଦି ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି। ବିଧାନସଭାରେ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷରେ ରାଜ୍ୟରେ ୩୦୫୪ରୁ ଊର୍ଧ୍ବ ଦୁଷ୍କର୍ମ ହୋଇଛି। ରାଜ୍ୟରେ ମହିଳା ଓ ଶିଶୁ କେତେ ଅସୁରକ୍ଷିତ, ଏହି ତଥ୍ୟରୁ ସ୍ପଷ୍ଟ ଅନୁମେୟ। ଗତ ସରକାରରେ ରାଜ୍ୟର ୬୦୦ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ କରାଯାଇଥିଲା। ସେଗୁଡ଼ିକ ଏବେ କାର୍ଯ୍ୟକ୍ଷମ ନାହିଁ। ଫଳସ୍ୱରୂପ ନିର୍ଯାତନାର ଶିକାର ହୋଇଥିବା ମହିଳାମାନେ ସେମାନଙ୍କ ଅଭିଯୋଗ ଦାଖଲ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତିରେ ସୁଧାର ନ ଆସିଲେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।