ଭୁବନେଶ୍ୱର: ରବିବାର ପ୍ରକାଶ ପାଇଥିବା ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଓଡ଼ିଶା ବିଜେପିକୁ ଉତ୍ସାହିତ କରିଦେଇଛି। ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନାରେ ସରକାର ବଦଳିବା ପରେ ଓଡ଼ିଶାରେ ବିଜେପି ବି କ୍ଷମତାକୁ ଆସିବ ବୋଲି ଆଶାବାଦୀ ହୋଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେବଳ ପ୍ରଚାର ଓ ଘୋଷଣା ସର୍ବସ୍ବ ହେଲେ ଭୋଟ୍ ମିଳିବ ନାହିଁ। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରର କୌଣସି ସ୍ଥାନ ନାହିଁ। ଗରିବଙ୍କ ପାଇଁ ଆସୁଥିବା ଅନୁଦାନ ଲୁଟ୍ କରିବାର ଫଳ କଂଗ୍ରେସ ଓ ବିଆର୍ଏସ୍ ଭଳି ଦଳ ଭୋଗିଛନ୍ତି। ଓଡ଼ିଶାରେ ମଧ୍ୟ ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପ୍ରତାରଣା ସମସ୍ତ ସୀମା ଅତିକ୍ରମ କରିସାରିଛି। ବିଜେଡିର ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଛି। ଆଗାମୀ ସାଧାରଣ ନିର୍ବାଚନରେ ଜୋରଦାର ଲଢ଼େଇ ହେବ। ଆଖି, କାନ, ନାକ ନଥିବା ରାଜ୍ୟ ସରକାରକୁ ରାଜ୍ୟବାସୀ ଦୃଢ଼ ଜବାବ ଦେବେ। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶା ରାଜନୀତିରେ ନିଶ୍ଚିତ ଭାବେ ‘ୟୁ ଟର୍ଣ୍ଣ’ ଆସିବ। ନିର୍ବାଚନ ଫଳାଫଳ ଏକପାଖିଆ ହେବ ଏବଂ ବିଜେପି ଓଡ଼ିଶାରେ ସରକାର ଗଠନ କରିବ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଏହାସହ ଶ୍ରୀ ସାମଲ କହିଛନ୍ତି ଯେ ୨୩ ବର୍ଷର ବିଜେଡି ଶାସନରେ ମହିଳା ବ୍ୟଭିଚାର ଶିଖର ଛୁଇଁଲାଣି। ଦେଢ଼ କୋଟି ଓଡ଼ିଆ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଗରୀବ ଲୋକ ଛାତ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପଟେ ଉତ୍ତରାଧିକାରୀ ବାଛିବାକୁ ଉଡ଼ାଜାହାଜ ବୁଲିବାରେ ୩୦୦ କୋଟି ଟଙ୍କା, ଲୋକଙ୍କୁ ବୋହିବାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଓଡ଼ିଶା ଓ ଓଡ଼ିଆଙ୍କ ଅସ୍ମିତା, ସଂସ୍କୃତି ଓ ଭାବାବେଗ ସହ ଖେଳ ଖେଳାଯାଉଛି । ଜଗନ୍ନାଥ ସଂସ୍କୃତି ପ୍ରତି ଧ୍ୟାନ ନାହିଁ କି, ରତ୍ନଭଣ୍ଡାର ଖୋଲୁନାହାନ୍ତି। ଓଡ଼ିଶାରେ ଯେଉଁ ଭ୍ରଷ୍ଟାଚାର ସରକାର ଚାଲିଛି, ତାକୁ ଓଡ଼ିଶାବାସୀ ନିଶ୍ଚିତ ଭାବେ ପ୍ରତ୍ୟାଖାନ କରିବେ। ୨୦୨୪ରେ ଓଡ଼ିଶାରେ ମୋଦୀ ଗ୍ୟାରେଣ୍ଟିର ସୁଫଳ ନିଶ୍ଚିତ ପ୍ରତିଫଳିତ ହେବ।
ସେହିପରି କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳରୁ ଯେପରି ଜଣେ ହେଲେ ବି ହିତାଧିକାରୀ ବଞ୍ଚିତ ରହିବେନି ସେଥିପାଇଁ ଦେଶବ୍ୟାପୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଆରମ୍ଭ ହୋଇଛି। ଏହି ଯାତ୍ରା ଅବସରରେ କେନ୍ଦ୍ରୀୟ ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବା ସହିତ ବଞ୍ଚିତ ହିତାଧିକାରୀମାନେ ନିଜ ନାମକୁ ସିଧାସଳଖ ଭାବେ ପଞ୍ଜୀକୃତ କରିପାରିବେ। ଏହାର ଲାଭ ଉଠାଇବାକୁ ଶ୍ରୀ ସାମଲ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାସହ ବାତ୍ୟା ‘ମିଗ୍ଜୋର୍’ ପ୍ରଭାବରେ ରାଜ୍ୟର ବିଭିନ୍ନ ଝଡ଼ବର୍ଷା ହେବାର ସମ୍ଭାବନା ଥିବାରୁ ବିଜେପି କାର୍ଯ୍ୟକର୍ତ୍ତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ଶ୍ରୀ ସାମଲ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ମନୋଜ ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।