ଭୁବନେଶ୍ବର: ବିଗତ ୭ମାସ ଧରି ଓଡ଼ିଶାରେ ଫାଶୀବାଦ ଶାସନ ଚାଲିଛି। ବିରୋଧୀ ଦଳଙ୍କ ଗାଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଛଡ଼ାଇ ନେଉଛନ୍ତି। ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତଙ୍କୁ ଛାତ୍ର କଂଗ୍ରେସ ସଭାପତି ଓ ତାଙ୍କ ସାଥୀ କଳା ପତାକା ପ୍ରଦର୍ଶନ କରିବା ଅଗାଣତାନ୍ତ୍ରିକ ନୁହେଁ କିମ୍ବା ଅକ୍ଷମଣୀୟ ଅପରାଧ ନୁହେଁ। କେବଳ ଶ୍ରୀ ଭାଗବତଙ୍କ ତୁଷ୍ଟୀକରଣ ପାଇଁ ଛାତ୍ର କଂଗ୍ରେସ ନେତାଙ୍କୁ ଜେଲ୍ରେ ଭର୍ତ୍ତି କରି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନିଜ ପଦ ବଞ୍ଚାଇବା ପାଇଁ ଏହି କାର୍ଯ୍ୟ କରିଛନ୍ତି। ତୁରନ୍ତ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ବିନା ଦଫାରେ ଖଲାସ କରିବା ଲାଗି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଦାବି କରିଛନ୍ତି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଥିଲେ, ମୋହନ ଭାଗବତ ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଛାତ୍ର ସମାଜକୁ ମର୍ମାହତ କରିଛି। ୨୦୧୪ ମସିହା ପରଠାରୁ ଦେଶ ସ୍ବାଧୀନ ହୋଇଛି, ପୂର୍ବର ସ୍ବାଧୀନତା ଭିକ୍ଷାରେ ମିଳିଛି ଭଳି ମନ୍ତବ୍ୟ ସ୍ବାଧୀନତା ସଂଗ୍ରାମୀମାନଙ୍କ ପାଇଁ ଅପମାନ। ଗାନ୍ଧୀ, ନେହରୁ, ପଟେଲ, ସୁଭାଷ, ଆଜାଦଙ୍କ ତ୍ୟାଗ ଓ ଅବଦାନକୁ ମାନିବାକୁ ଶ୍ରୀ ଭାଗବତ ପ୍ରସ୍ତୁତ ନୁହନ୍ତି। ଓଡ଼ିଶାରେ ଗୋପବନ୍ଧୁଙ୍କଠାରୁ ଆରମ୍ଭ କରି ଫାଶୀ ପାଇଥିବା ଲକ୍ଷ୍ମଣ ନାୟକ ଓ ସହିଦ ହୋଇଥିବା ବାଜି ରାଉତଙ୍କ ପର୍ଯ୍ୟନ୍ତ ତ୍ୟାଗର ମୂଲ୍ୟ କିଛି ନାହିଁ ? ଶ୍ରୀ ଭାଗବତଙ୍କ ଭଳି ଜଣେ ଧର୍ମାନ୍ଧଙ୍କ ପ୍ରତି କଳା ପତାକା ପ୍ରଦର୍ଶନ ଯଥାର୍ଥ। ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିବା ଘଟଣାରେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଘର ନିକଟରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ମିଥ୍ୟା ଧର୍ମାନ୍ତୀକରଣର ଅଭିଯୋଗରେ ଗଛରେ ବାନ୍ଧି ମାଡ଼ ମରାଗଲା। ଖୋର୍ଦ୍ଧାରେ ଜଣେ ସଂଖ୍ୟାଲଘୁ ଯୁବକଙ୍କୁ ହତ୍ୟା, ଭୁବନେଶ୍ବରରେ ଧଳା ଜହର ମାଫିଆଙ୍କୁ ବିରୋଧ କରୁଥିବା ସହଦେବ ନାୟକଙ୍କୁ ହତ୍ୟା କରାଯିବା ଘଟଣାରେ ରାଜ୍ୟ ସରକାର କିଛି ପଦକ୍ଷେପ ନେଇପାରୁ ନାହାନ୍ତି। କେବଳ ଛାତ୍ର କଂଗ୍ରେସ କର୍ମୀଙ୍କୁ ଜେଲରେ ରଖି ନିଜର ପାରିବା ପଣିଆ ପ୍ରଦର୍ଶନ କରୁଛନ୍ତି।
ଅନ୍ୟପକ୍ଷରେ ସୋନିଆ ଗାନ୍ଧୀଙ୍କ ‘ବିଚାରା ମହିଳା’ ଉକ୍ତିକୁ ବିଜେପି କଦର୍ଥ କରୁଛି। କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଶ୍ରୀମତୀ ଗାନ୍ଧୀ ଏହା କହିନାହାନ୍ତି। ମାତ୍ର ରାଷ୍ଟ୍ରପତିଙ୍କୁ ଜଣେ ଆଦିବାସୀ କହି ବିଜେପି ତାଙ୍କୁ ଅପମାନିତ କରିଚାଲିଛି। ସଂସଦର ନୂତନ ଗୃହ ଉଦ୍ଘାଟନ, ରାମମନ୍ଦିର ପ୍ରତିଷ୍ଠାରେ ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ। କୁମ୍ଭମେଳାରେ ହୋଇଥିବା ଅବ୍ୟବସ୍ଥା ଓ ଦଳଚକଟା ମୃତ୍ୟୁକୁ ଲୋକଙ୍କ ନଜର ହଟାଇବା ପାଇଁ ସୋନିଆ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ବିଜେପି ହୀନ ରାଜନୀତି କରୁଛି ବୋଲି ଶ୍ରୀ ଜେନା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ୟାସିର ନୱାଜ, ମନୋରଂଜନ ଦାସ ଓ ଶୁଭମରାଜ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2fRJgX5hzgDrgopuCU2L.jpg)