ଓଡ଼ିଶାରେ ବି ବିଜେପି ସରକାର ଆସିବ: ଅମିତ ଶାହ

ଦୀ@୨୦ ଡ୍ରିମ୍‌ସ ମିଟ୍‌ ଡେଲିଭରି ପୁସ୍ତକ ଓଡ଼ିଶାରେ ଲୋକାର୍ପିତ

ଭୁବନେଶ୍ୱର : ଲୋକ ବିଜେପିକୁ ହିନ୍ଦୀ ଭାଷୀଙ୍କ ଦଳ କହୁଥିଲେ। କିନ୍ତୁ ଏବେ ପୂରା ଉତ୍ତର-ପୂର୍ବ ଭାରତରେ ଆମ ସରକାର ଅଛି। ଗୁଜରାଟ, କର୍ଣ୍ଣାଟକରେ ଆମେ ସରକାର ଗଢ଼ିଛୁ। ଓଡ଼ିଶାରେ ବି ବିଜେପି ସରକାର ଆସିବ।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ଚାରିପଦ କଥା ଆଜି ଓଡ଼ିଶା ବିଜେପିର ନେତା ଓ କର୍ମୀଙ୍କ ମନରେ ସରକାର ଗଢ଼ିବାର ଆତ୍ମବିଶ୍ବାସ ଫେରାଇ ଆଣିଛି। ସୋମବାର ଦିନ ହୋଟେଲ ମେ’ ଫେୟାରରେ ଶାହ ଯେତେବେଳେ କହିଥିଲେ ଯେ ଓଡ଼ିଶାରେ ବି ବିଜେପି ସରକାର ଆସିବ ସେତେବେଳେ ପୂରା ପ୍ରକୋଷ୍ଠ ବିଜେପି ନେତା ଓ କର୍ମୀଙ୍କ ତାଳି ମାଡ଼ରେ କମ୍ପିଥିଲା। ବିଜେପି ନେତା ଓ କର୍ମୀ ଆଶା କରିଥିଲେ ଯେ ଶ୍ରୀ ଶାହ ଏହି ସଭାରେ ରାଜ୍ୟ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବେ, ରାଜ୍ୟ ସରକାରଙ୍କୁ ୨୦୨୪ ପାଇଁ ଖୋଲା ଚାଲେଞ୍ଜ ଦେବେ। ହେଲେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଶାହ ଯୋଗଦେଇଥିଲେ ହେଁ ନା କାହାକୁ କଟାକ୍ଷ କରିଥିଲେ ନା ସରକାରଙ୍କ ବିରୋଧରେ ମୁହଁ ଖୋଲିଥିଲେ। ଦୁଇଟି ସଭାରେ ଶାହ ସମ୍ବୋଧନ କରିଥିଲେ ବି କେଉଁଠି ରାଜ୍ୟ ସରକାରଙ୍କୁ ଅକଳରେ ପକାଇଲା ଭଳି କିଛି ମନ୍ତବ୍ୟ ଦେଇନଥିଲେ। ତେବେ, କର୍ମୀଙ୍କୁ ଉତ୍ସାହିତ କରିବାକୁ ଢେର୍‌ କିଛି କଥା ରଖିଥିଲେ।

୨୦୨୪ରେ ବି ଦୁଇ ତୃତୀୟାଂଶ ଭୋଟ୍‌ ପାଇ କେନ୍ଦ୍ରରେ ସରକାର ଗଢ଼ିବୁ
ମୋଦୀ ରାଜନୀତିରୁ ପରିବାରବାଦ, ତୁଷ୍ଟୀକରଣ, ଭ୍ରଷ୍ଟାଚାର ଶେଷ କରୁଛନ୍ତି

ସୋମବାର ଦିନ ହୋଟେଲ ମେ’ଫେୟାର କନଭେନସନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ବର୍ଷର କ୍ଷମତା (୧୨ ବର୍ଷର ମୁଖ୍ୟମନ୍ତ୍ରୀ ଓ ୮ବର୍ଷର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ)କୁ ନେଇ ରଚିତ ପୁସ୍ତକ ‘ମୋଦୀ@୨୦ ଡ୍ରିମ୍‌ସ ମିଟ୍‌ ଡେଲିଭରି’ର ଓଡ଼ିଶାରେ ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରୀ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏହି ପୁସ୍ତକରେ ମୋଦୀଙ୍କ ବିଷୟରେ ଅଧା ଅଛି। ମୋଦୀ ଏହାଠାରୁ ବହୁତ ବଡ଼ ବ୍ୟକ୍ତିତ୍ବ। ତାଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ଗୋଟିଏ ବହିରେ ବର୍ଣ୍ଣନା କରାଯାଇପାରିବନାହିଁ। ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀଙ୍କର ୫୦ବର୍ଷର ସାଧାରଣ ଜନଜୀବନରୁ ମାତ୍ର ୨୦ବର୍ଷର ବର୍ଣ୍ଣନା ହୋଇଛି। ବାକି ୩୦ବର୍ଷ ମଧ୍ୟ ସମସ୍ତେ ଜାଣିବା ଦରକାର। ତାଙ୍କର ଏହି ଯାତ୍ରା ବହୁତ କଠିନ ଥିଲା। ଯିଏ ସରପଞ୍ଚ ଲଢ଼ିନି ‌ତାଙ୍କୁ ଦଳ ସିଧା ଆଣି ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ କରିବା କୌଣସି ଏକ ସହଜ କଥା ନୁହେଁ। ଏଭଳି ବ୍ୟକ୍ତିଙ୍କର ପୂରା ଜୀବନୀ ଉତ୍ସାହଜନକ। ଯୁବପିଢ଼ି ଜୀବନରେ ବଡ଼ ହେବାର ସ୍ବପ୍ନ ଦେଖୁଥିଲେ ମୋଦୀଙ୍କର ଏହି ପୁସ୍ତକ ପଢ଼ିବା ସହ ତାଙ୍କ ପୂରା ଜୀବନୀକୁ ଅନୁସରଣ କରିବା ଦରକାର।
ଶ୍ରୀ ଶାହ କହିଥିଲେ ଯେ, ମୋଦୀଙ୍କର ଭାରତୀୟ ରାଜନୀତିକୁ ସବୁଠୁ ବଡ଼ ଅବଦାନ ହେଉଛି, ସେ ଲୋକତନ୍ତ୍ରକୁ ସୁଦୃଢ଼ କରିଛନ୍ତି। ସେ ରାଜନୀତିକୁ ପରିବାରବାଦ, ତୁଷ୍ଟୀକରଣ, ଭ୍ରଷ୍ଟାଚାର ମୁକ୍ତ କରୁଛନ୍ତି। ଯେଉଁ ଦଳ ଏହାକୁ ଧରି ବସିଛନ୍ତି ସେ ନିର୍ବାଚନରେ ହାରୁଛନ୍ତି। କଂଗ୍ରେସ ସରକାର ଅମଳରେ ୧୨ଲକ୍ଷ କୋଟିର ଭ୍ରଷ୍ଟାଚାର ହୋଇଥିଲା। ଯାହାକୁ ଆମେ ଲୋକଲୋଚନକୁ ଆଣିଛୁ। ୨୦୧୪ରେ ଭାରତବାସୀ ମୋଦୀଙ୍କ ନେତୃତ୍ବ ଉପରେ ବିଶ୍ବାସ କଲେ; ଆଉ ବଡ଼ ବିଜୟ ଭେଟିଦେଲେ। ୨୦୧୯ରେ ଏହାଠାରୁ ବଡ଼ ବିଜୟ ଦେଲେ। ୨୦୨୪ରେ ବି ଆମେ ଦୁଇ ତୃତୀୟାଂଶ ଭୋଟ୍ ପାଇ ବଡ଼ ବିଜୟ ହାସଲ କରିବୁ।

ମୋଦୀଙ୍କ ଚିନ୍ତାଧାରକୁ ବର୍ଣ୍ଣନା କରିବାକୁ ଯାଇ ଶ୍ରୀ ଶାହ କହିଥିଲେ, ଯେତେବେଳେ କୌଣସି ଯୋଜନା ପ୍ରସ୍ତୁତ ହୁଏ ସେତେବେଳେ ମୋଦୀ ଗରିବରୁ ଅତି ଗରିବ ଲୋକ ପାଖରେ ଯେପରି ଯୋଜନାର ସୁଫଳ ପହଞ୍ଚିବ ସେନେଇ ନିଶ୍ଚିତ କରନ୍ତି। କେବେ ବି କୌଣସି ନି‌ର୍ଦ୍ଦିଷ୍ଟ ବର୍ଗକୁ ସୁହାଇଲା ଭଳି ପଦକ୍ଷେପ ନିଅନ୍ତି ନାହିଁ। ସବୁ ବର୍ଗର ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦେବାଠାରୁ ଆରମ୍ଭ କରି ସରକାରୀ ଯୋଜନାର ସୁଫଳତା ପାଇବା ପର୍ଯ୍ୟନ୍ତ ସବୁକୁ ନିଜେ ନିଶ୍ଚିତ କରନ୍ତି। ଯେଉଁଥିପାଇଁ ଦଳିତ ବର୍ଗରୁ ରାମନାଥ କୋବିନ୍ଦ ଏବଂ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି। ସବୁଠୁ ଅଧିକ ଦଳିତ ଓ ଆଦିବାସୀ ସାଂସଦ ଆମ ଦଳରେ ଅଛନ୍ତି। ରେକର୍ଡ ସଂଖ୍ୟକ ପଛୁଆ ବର୍ଗର ‌ମନ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଛନ୍ତି।

ଶ୍ରୀ ଶାହ କହିଥିଲେ, ମୋଦୀ ସର୍ବଦା ଗୋଟିଏ ସମସ୍ୟାର ପୂରା ସମାଧାନ କରିବାକୁ ଚାହାନ୍ତି। ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ଉପରେ ରଣନୀତି ପ୍ରସ୍ତୁତ କରିବାକୁ ସବୁଦେଶ ପଛଘୁଞ୍ଚା ଦେଉଥିବାବେଳେ ମୋଦୀ ଏନେଇ ପଦକ୍ଷେପ ନେଇଛନ୍ତି। ସାରାବିଶ୍ବରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂରା ବିଶ୍ବ ଯାହାକୁ ନେତା ମାନୁଛି ସିଏ ଭାରତର। ଏହା ଆମ ପାଇଁ ସବୁଠାରୁ ଗୌରବର ବିଷୟ।

ଏହି ଅବସରରେ ଶ୍ରୀ ଶାହ ମୋଦୀଙ୍କ ନେତୃତ୍ବରେ ନିଆଯାଇଥିବା ବିଭିନ୍ନ ନିର୍ଣ୍ଣାୟକ ପଦକ୍ଷେପ ବିଷୟରେ କହିଥିଲେ। ଏହାସହ କହିଥିଲେ, ସେ ଓଡ଼ିଶା ଗସ୍ତରେ ଆସିଲେ ତାଙ୍କ ମନରେ ଶାନ୍ତି ଆସେ। କାରଣ ଏହା ମହାପ୍ରଭୁଙ୍କ ଜାଗା। ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାବେଳେ ଧଉଳିରୁ ସକ୍ରିୟ ସଦସ୍ୟ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ କହିଥିଲେ, ଦେଶରେ ଯେତେ ଜଣ ବିଶିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତଙ୍କର କୀର୍ତ୍ତି ଅଛି। କିନ୍ତୁ ମୋଦୀ ଅଲଗା। ସେ ଗରିବ ଲୋକଙ୍କର ତୃପ୍ତି ସମ୍ପର୍କରେ ସ୍ବପ୍ନ ଦେଖିଲେ ଏବଂ ତାହାକୁ ପୂରଣ ବି କଲେ। ସମସ୍ତଙ୍କ ଭାଗିଦାରୀରେ ଜନଆନ୍ଦୋଳନ ସୃଷ୍ଟି କରିଛନ୍ତି। ସାରା ବିଶ୍ବରେ ଏବେ ମୋଦୀଙ୍କୁ ନେଇ ଚର୍ଚ୍ଚା। ଆମେରିକା ଭଳି ଦେଶ ବି ମୋଦୀଙ୍କ ମଡେଲ୍‌କୁ ଅନୁସରଣ କରୁଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁ‌ରନ୍ଦେଶ୍ବରୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଦେବ ପ୍ରସାଦ ଦାଶ ମଞ୍ଚ ପରିଚାଳନା କରିଥିଲେ।

ହୁଇଲ୍‌ ଚେୟାରରେ ଆସିଲେ ଜୟନାରାୟଣ, ବିଳମ୍ବରେ ଆସିଲେ ବୈଜୟନ୍ତ

ଭୁବନେଶ୍ବର : ଆଜିର କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରାୟ ୧୦ମିନିଟ ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆସି ମଞ୍ଚରେ ବସି ଯାଇଥିଲେ। ଜୟ ନାରାୟଣଙ୍କ ଗୋଡ଼ରେ ଆ‌ଘାତ ଲାଗିଥିବାରୁ ସେ ବ୍ୟାଣ୍ଡେଜ୍‌ ଗୁଡ଼ାଇ ହୁଇଲ୍ ଚେୟାରରେ ମଞ୍ଚକୁ ଆସିଥିଲେ। ଏପରିକି ସେ ତାଙ୍କ ସିଟ୍‌ରେ ବସି ଧନ୍ୟବାଦ ଦେଇଥିଲେ।

ଅପରପକ୍ଷେ କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ଦଳର ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ମଞ୍ଚକୁ ଆସିଥିଲେ। କିନ୍ତୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପଣ୍ଡା କାର୍ଯ୍ୟକ୍ରମ ଆରମ୍ଭ ହେବାର ପ୍ରାୟ ୧୦ମିନିଟ ପରେ ଆସି ମଞ୍ଚରେ ବସିଥିଲେ। ଯାହାକୁ ନେଇ କନଭେନସନ୍ ସେଣ୍ଟରରେ ଚାପା ଗୁଞ୍ଜରଣ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର