ବିଜେପି ସରକାର ଗଢ଼ିବାକୁ ମ୍ୟାଜିକ୍ ନମ୍ବର ପାଇଗଲାଣି: କନକବର୍ଦ୍ଧନ

୨୪ଟି ତଦନ୍ତ କମିସନର ରିପୋର୍ଟ ସାର୍ବଜନୀନ କରାଯିବ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ଏଥିରୁ ଜଣାପଡ଼ୁଛି ଯେ ଏଥର ବିଜେପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବା ସତ୍ୱେ ସରକାର ଗଢ଼ିବା ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ ନମ୍ବର ବିଜେପି ହାସଲ କରିପାରିଛି। ଓଡ଼ିଶାର ସବୁ ବର୍ଗର ଲୋକ ବିଜେପିକୁ ସମର୍ଥନ କରିଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ବିଜେପିର ପୂର୍ବତନ ରାଜ୍ୟ ସଭାପତି କେ.ଭି ସିଂହଦେଓ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ଅନେକ ଦୁର୍ନୀତି କରିଛି। ବିଜେପି ସରକାର ଗଢ଼ିଲେ ଏହାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ୨୫ବର୍ଷରେ ବିଜେଡି ସରକାର ୨୪ଟି କମିସନ ବସାଇଥିଲେ। ମାତ୍ର ଏହାଭିତରୁ କୌଣସି ଗୋଟିଏର ତଦନ୍ତ ରିପୋର୍ଟ ଲୋକଲୋଚନକୁ ଅଣାଗଲାନି। ଏହି କମିସନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରତି କମିସନ୍‌ରେ ୩ରୁ ୪ କୋଟି ଟଙ୍କା ହିସାବରେ ୨୪ଟି କମିସନ ପାଇଁ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହାକୁ ବିଧାନସଭାରେ ଉପସ୍ଥାପନ କରାଗଲାନି। ବିଜେପି ସରକାର ଗଢ଼ିଲେ ଏହାକୁ ସାର୍ବଜନୀନ କରାଯିବ।

୨୪ଟି ତଦନ୍ତ କମିସନର ରିପୋର୍ଟ ସାର୍ବଜନୀନ କରାଯିବ
ରତ୍ନଭଣ୍ଡାର ତଥ୍ୟ ୩ ମାସ ମଧ୍ୟରେ ସାର୍ବଜନୀନ ହେବ
ଚିଟ୍‌ଫଣ୍ଡ ପାଇଁ ହୋଇଥିବା ୩୦୦ କୋଟି କର୍ପସ ଫଣ୍ଡ୍‌ ଗଲା କୁଆଡ଼େ

ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟର ନିର୍ଦ୍ଦେଶ ପରେ ବି ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହିଁ। ବିଜେପି ସରକାର ହେଲେ ରତ୍ନଭଣ୍ଡାର ତଥ୍ୟ ୩ ମାସ ମଧ୍ୟରେ ସାର୍ବଜନୀନ କରାଯିବ। ଏହାର ଚାବି କୁଆଡ଼େ ଗଲା ତାହାର ତଦନ୍ତ କରି ଓଡ଼ିଶାବାସୀଙ୍କୁ ଅବଗତ କରାଯିବ।
ବିଜେଡି ସରକାର ପକ୍ଷରୁ ଚାପି ଦିଆଯାଇଥିବା ଖଣି ଦୁର୍ନୀତି ଘଟଣା ଉପରେ ବିଜେପି ସରକାର ତଦନ୍ତ କରିବ। ୨୦୦୯ ଓ ୨୦୧୦ରେ ଏହି ଦୁର୍ନୀତି ଉପରେ ବିଜେପି ପ୍ରଥମେ ବିଧାନସଭାରେ ଉଠାଇଥିଲା। ମାତ୍ର ରାଜ୍ୟ ସରକାର ସେତେବେଳେ ଏହି ପ୍ରସଙ୍ଗକୁ ଚାପି ଦେବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ। ଶାହ କମିସନ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ଚିଟ୍‌ଫଣ୍ଡ ଦୁର୍ନୀତିରେ ହିତାଧିକାରୀମାନେ ହରାଇଥିବା ଟଙ୍କା କିପରି ସେମାନଙ୍କୁ ମିଳିବ ସେନେଇ ପଦକ୍ଷେପ ନିଆଯିବ। ଚିଟ୍‌ଫଣ୍ଡ ପାଇଁ ଗଠନ ହୋଇଥିବା ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି କୁଆଡ଼େ ଗଲା? ବିଜେପି ସରକାର ସମସ୍ତ ହିତାଧିକାରୀଙ୍କୁ ଟଙ୍କା ଫେରାଇବ। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସଜ୍ଜନ ଶର୍ମା ଓ ଗଣାମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର