ଭୁବନେଶ୍ବର : ସରକାରୀ ଅଫିସର୍ମାନେ ବିଜେଡିର କାର୍ଯ୍ୟକର୍ତ୍ତା ସାଜି ଦଳୀୟ କାମ କରୁଛନ୍ତି। ନିର୍ବାଚନ ସମୟରେ ଶାସକ ବିଜେଡି ପାଇଁ ପ୍ରଚାର କରିବା ସହିତ ତାଙ୍କ ସପକ୍ଷରେ ଭୋଟ୍ କରିବାର ଦାୟିତ୍ବରେ ଲାଗିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିସନର୍ଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛନ୍ତି।
ଅଭିଯୋଗରେ ଦର୍ଶାଯାଇଛି ଯେ ମାଲିକାନଗିରିର କାଲିମେଳା ଦୁଇ ନମ୍ବର ଜୋନ୍ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ରିନା କାବାସିଙ୍କୁ ଅପହରଣ କରିବା ଘଟଣାରେ ହୋମ୍ଗାର୍ଡ ସୁଧୀର ସ୍ବାଇଁ ତାଙ୍କ ନିଜ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ରିନା କବାସିଙ୍କ ପିତାଙ୍କୁ ଦେଇଛନ୍ତି। ହୋମ୍ଗାର୍ଡ ଶ୍ରୀ ସ୍ବାଇଁ ସରକାରୀ କର୍ମଚାରୀ ହୋଇ ମଧ୍ୟରେ ବିଜେଡି ପାଇଁ ପଇସା ଦେଇ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ପ୍ରଭାବିତ କରିବାକୁ ଅପଚେଷ୍ଟା କରିଛନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତର୍ଗତ କିଶୋରନଗର ବ୍ଲକ୍ ଅଧ୍ୟକ୍ଷ ବବିତା ପ୍ରଧାନ ସାଧାରଣତନ୍ତ୍ର ଦିବସରେ ବିଡିଓଙ୍କ ଉପସ୍ଥିତିରେ ବ୍ଲକ୍ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପଞ୍ଚାୟତ ନିର୍ବାଚନ ଆଚରଣ ବିଧିର ଏହା ଖୋଲା ଉଲ୍ଲଂଘନ।
ସେହିପରି ପୋଲସରା ନିର୍ବାଚନମଣ୍ଡଳୀର ବୁଗୁଡ଼ା ବ୍ଲକ୍ ତହସିଲ୍ଦାର ସଂଗ୍ରାମ କେଶରୀ ଜେନା ତାଙ୍କ ଅଫିସକୁ ବିଜେଡି ଅଫିସ୍ କରିଛନ୍ତି। ତହସିଲ୍ଦାର ବିଭିନ୍ନ ବାଟରେ ଲୋକଙ୍କୁ ପ୍ରଭାବିତ କରି ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ହୀନ ଚେଷ୍ଟା କରୁଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟିର ଆଙ୍କୁଲି ପଞ୍ଚାୟତରେ ନମିତା ନାଏକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ଏହି ପ୍ରାର୍ଥିପତ୍ର ଚୋରି ହୋଇଯାଇଛି ବୋଲି ବିଡିଓ କହିବା ସହ ଏତଲା ଦେଲେ। କିନ୍ତୁ ପରବର୍ତ୍ତୀ ସମୟରେ ଷଡ଼ଯନ୍ତ୍ର କରି ସେହି ପଞ୍ଚାୟତରେ ପ୍ରାର୍ଥୀ ନାହାନ୍ତି ବୋଲି କହି ପୁନଃନିର୍ବାଚନ କରାଉଛନ୍ତି। ନମିତା ନାଏକ ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଥିବାର ଆଶଙ୍କା କରି ତାଙ୍କୁ ହଟାଇବା ପାଇଁ ପୁନର୍ବାର ନାମାଙ୍କନ ଦାଖଲ କରିବାର ସୁଯୋଗ ଦିଆଯାଇଛି, ଯାହା କି ସମ୍ପୂର୍ଣ୍ଣ ବେଆଇନ। ଏହି ଚାରିଟି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ପଦକ୍ଷେପ ନେବାକୁ ବିଜେପି ଦାବି କରିଛି। ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ନିର୍ବାଚନ କମିସନର୍ଙ୍କୁ ଭେଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/eco-ffff.jpg)