ମନ୍ତ୍ରୀଙ୍କୁ ବହିଷ୍କାର ନ କଲେ ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ
ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିଜେପି ବିଧାୟକ ଦଳର ପ୍ରତ୍ୟାଖ୍ୟାନ
ଭୁବନେଶ୍ୱର : ମମିତା ମହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ପ୍ରତ୍ୟାଖ୍ୟାନ କରିଛି ବିଜେପି ବିଧାୟକ ଦଳ। ଛଳନାପୂର୍ଣ୍ଣ ଭିଡିଓ ବିବୃତି ମାଧ୍ୟମରେ ମମିତାଙ୍କୁ ନ୍ୟାୟ ନୁହେଁ, ବରଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଅପଚେଷ୍ଟା କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି।
ଶୁକ୍ରବାର ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଥିଲେ ଯେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଲଜ୍ଜାଜନକ ଓ ନିନ୍ଦନୀୟ। ମମିତା ମେହେର ହତ୍ୟା ଅକ୍ଟୋବର ୮ ତାରିଖରେ ହୋଇଥିଲା ବେଳେ ଦୀର୍ଘ ୨ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଓଡ଼ିଶାବାସୀଙ୍କୁ ଦୁଃଖିତ ଓ ବିଚଳିତ କରିଛି। ଏହି ବିଭତ୍ସ ହତ୍ୟାକାଣ୍ଡକୁ ଅଘଟଣ କହି ମୁଖ୍ୟମନ୍ତ୍ରୀ ତାଙ୍କ ଦଳର କର୍ମୀ ଓ ମନ୍ତ୍ରୀଙ୍କ ଦ୍ୱାରା ସୁପରିକଳ୍ପିତ ହତ୍ୟାକାଣ୍ଡକୁ ହାଲ୍କା ଭାବେ ଦର୍ଶାଇବା ପାଇଁ ଅପଚେଷ୍ଟା କରିଛନ୍ତି।
ବିଜେପି ପକ୍ଷରୁ ଆହୁରି ପ୍ରଶ୍ନ କରାଯାଇଛି ଯେ ଯଦି ମମିତା ଭଳି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିବା ‘ରାଜନୀତିକରଣ’, ତା’ହେଲେ ମୁଖ୍ୟମନ୍ତ୍ରୀଙ୍କର ଅଞ୍ଜନା ଗଣଦୁଷ୍କର୍ମରେ ଜାନକୀ ସରକାର ବିରୋଧରେ ଅଗ୍ରଣୀ ଭୂମିକା ରାଜନୀତିକରଣ ଥିଲା କି? ୧୯୯୯ ଜାନୁଆରି ୩ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଏତଲା ଦେବା ପାଇଁ କଟକ ଯାଇଥିଲେ କି ନାହିଁ? ତତ୍କାଧଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ କି ନାହିଁ ? ତାହା କ’ଣ ରାଜନୀତି ନ ଥିଲା ? ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସିଏ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ନିଜେ ବାହାରି ଆସିଛନ୍ତି। ଏବେ ଯାଏଁ ନ୍ୟାୟାଳୟ ଏମିତି କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି, ଯେଉଁଠାରେ ସେ ତଦନ୍ତର ତଦାକରଖ କରିବା ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କୁ ନିଯୁକ୍ତି ଦେଇଛନ୍ତି। ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। କିନ୍ତୁ ପ୍ରଥମ ଦିନରୁ ପୁଲିସ ତଦନ୍ତକୁ ବାଟବଣା କରିବା ସହ ତଥ୍ୟପ୍ରମାଣ ନଷ୍ଟ କରିଛି ଓ ଏତଲା ରୁଜୁ କରିବା ପାଇଁ ପୀଡ଼ିତା ପରିବାରକୁ ଚାରି ଚାରିଟି ଥାନା ବୁଲାଇଛି। ସିଡି ନ ମିଳିବା ଓ ଫୋନ୍ କଲ୍ ଆନାଲିସିସ୍ ନ ହେବା ସ୍ପଷ୍ଟ କରୁଛି ଯେ ତଦନ୍ତ ଦିଗହରା କରିବାକୁ ରାଜ୍ୟ ସରକାର ଅପଚେଷ୍ଟା କରିଛନ୍ତି। ଶୁଣାଣିର ପ୍ରକ୍ରିୟା ଫାଷ୍ଟ ଟ୍ରାକ୍ ସେତେବେଳେ ହୋଇପାରିବ ଯେତେବେଳେ ତଦନ୍ତ ବିନା ଚାପରେ ଓ ସମୟସୀମା ଭିତରେ ସମ୍ପନ୍ନ ହେବ। କିନ୍ତୁ ଗୃହ ରାଷ୍ଟ୍ର ମନ୍ତ୍ରୀ ଭାବରେ ଦିବ୍ୟଶଙ୍କର ମିଶ୍ର ତାଙ୍କର ପଦବିରେ ଥିବା ଯାଏ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ। ତେଣୁ ଗୃହ ରାଷ୍ଟ୍ର ମନ୍ତ୍ରୀ ବହିଷ୍କାରରୁ ତଦନ୍ତ ଆରମ୍ଭ ହେବା ଉଚିତ।
ବିଜେପି ବିଧାୟକମାନେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଦନ୍ତକୁ କୌଣସି ସମୟସୀମା ମଧ୍ୟରେ ସରିବାର କଥା ନ କହି କେବଳ ଫାଷ୍ଟଟ୍ରାକ୍ କଥା କହିବା ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ସଦୃଶ। ଆମ ଦ୍ୱାରା ପଚରାଯାଇଥିବା କୌଣସି ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ରଖି ନପାରିବା ଓ ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ନକହିବା, ପୁଲିସର ପକ୍ଷପାତିତା ଏବଂ ତାଙ୍କ ସରକାରଙ୍କ ମହିଳାଙ୍କ ପ୍ରତି ପ୍ରତିବଦ୍ଧତା ଓ ନ୍ୟାୟ ପ୍ରକ୍ରିୟା ଉପରେ ଥିବା ବିଶ୍ୱାସକୁ ଅବିଶ୍ୱାସରେ ପରିଣତ କରିଛି । ଏ ସବୁ କଥା କହି ଅସଲ ଅପରାଧୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡ଼ାଉଛନ୍ତି।