ଭୁବନେଶ୍ବର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ପ୍ରତିକ୍ରିୟାର ଜବାବ ରଖିଛି ବିଜେପି। ଦଳ ପକ୍ଷରୁ କୁହାଯାଇଛି ଯେ ଦିବ୍ୟଶଙ୍କରଙ୍କ ବିବୃତିରୁ ବିଜେଡି ଓ ତାଙ୍କ ନେତୃତ୍ବର ସମ୍ବେଦନହୀନତା ସ୍ପଷ୍ଟ ବାରି ହୋଇପଡ଼ୁଛି। ପ୍ରମାଣ ନଷ୍ଟ କରିସାରିବା ପରେ ଗୋଟେ ମା’କୁ କନ୍ଦେଇ ମା’ ମାଣିକେଶ୍ବରୀଙ୍କ ନାଁ ନେଇ ସେ ଖସିପାରିବେ ନାହିଁ। ରାଜ୍ୟବାସୀଙ୍କୁ ମନ୍ତ୍ରୀ ଦିନରେ ଲଣ୍ଠନ ଦେଖାନ୍ତୁ ନାହିଁ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ମନ୍ତ୍ରୀଙ୍କ କିପରି ବୃଥା ପ୍ରୟାସ ଓ ଅପଚେଷ୍ଟା କରୁଛନ୍ତି, ତାହା ଏହି ବିବୃତିରୁ ଜଣାପଡ଼ୁଛି। ନିଜ ନିର୍ବାଚନମଣ୍ଡଳୀରେ ଘଟିଥିବା ଘଟଣାର ୨୧ ଦିନ ପରେ ମନ୍ତ୍ରୀ ମୁହଁ ନ ଖୋଲି ଲିଖିତ ବିବୃତି ଦେବା ଯେତିକି ସମ୍ବେଦନହୀନ ସେତିକି ଦୁର୍ଭାଗ୍ୟଜନକ। ନିଜକୁ ବାୟୁସେନାର ପୂର୍ବତନ ସୈନିକ କହି ପ୍ରଶଂସା ସାଉଁଟିବା ପାଇଁ ମନ୍ତ୍ରୀ ଅପଚେଷ୍ଟା କରିଛନ୍ତି। ମନ୍ତ୍ରୀ ଏପରି କଥା କହି ବାୟୁସେନାକୁ ନିନ୍ଦିତ କରନ୍ତୁ ନାହିଁ। ସେହିପରି ନିରପେକ୍ଷ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମକୁ ନାଲି ଆଖି ଦେଖାଇ ମାନହାନି ମକଦ୍ଦମା କରି ଦିବ୍ୟଶଙ୍କର ଏହି ଜଘନ୍ୟ ହତ୍ୟାକାଣ୍ଡରୁ ଖସିପାରିବେ ନାହିଁ। ମନ୍ତ୍ରୀ ଭାବେ ସେ ଏହି ଘଟଣାର ତଥ୍ୟ ପ୍ରମାଣ ନଷ୍ଟ କରିବା ପରେ ଏବେ ମୁକ୍ତ ଓ ନିରପେକ୍ଷପ ତଦନ୍ତ କଥା କହିବା ଦୁର୍ଭାଗ୍ୟଜନକ। ଯଦି ଦିବ୍ୟଶଙ୍କରଙ୍କର ତଦନ୍ତ ପାଇଁ ଭୟ ନାହିଁ ଏବଂ ମନ୍ତ୍ରୀ ପଦ ପାଇଁ ଲୋଭ ନାହିଁ, ତେବେ ପ୍ରଥମେ ସେ ସିବିଆଇ ତଦନ୍ତ ପାଇଁ ସୁପାରିସ କରନ୍ତୁ। ପରବର୍ତ୍ତୀ ପର୍ଯ୍ୟାୟରେ ନିଜେ ଇସ୍ତଫା ଦେଇ ନିରପେକ୍ଷ ତଦନ୍ତ ପାଇଁ ବାଟ ଖୋଲନ୍ତୁ। କଳହାଣ୍ଡିର ଭାବାବେଗର ପ୍ରତୀକ ମା’ ମାଣିକେଶ୍ବରୀଙ୍କ ନାଁ ନେଇ ଜିଲ୍ଲାବାସୀଙ୍କ ଭାବାବେଗକୁ ମନ୍ତ୍ରୀ ଅପମାନିତ ନ କରିବାକୁ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।
ବିଜେପି ପକ୍ଷରୁ ଚାରିଟି ପ୍ରଶ୍ନ ପଚରାଯାଇ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଆହ୍ବାନ କରାଯାଇଛି। ମମିତାଙ୍କ ପାଖରେ ଦିବ୍ୟଶଙ୍କରଙ୍କର କେଉଁ ଭିଡିଓ ଥିଲା, ଯେଉଁଥି ପାଇଁ ତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଗଲା? ରାୟପୁରରେ ସେ ହତ୍ୟାକାରୀ ଗୋବିନ୍ଦ ସାହୁ ସହ କ’ଣ ବୁଝାମଣା କରିବାକୁ ଯାଇଥିଲେ? ଗୋବିନ୍ଦ ସାହୁକୁ ଫେରାର କରାଇବା ଏବଂ ଘଟଣାକୁ ଚାପି ଦେବା ଓ ପ୍ରମାଣ ନଷ୍ଟ କରିବାରେ ଦିବ୍ୟଶଙ୍କର ସଂପୃକ୍ତ ଅଛନ୍ତି ନା ନାହିଁ? ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ କେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଗୋବିନ୍ଦ ସାହୁ ଯାଇଥିଲେ ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/lekhashree.jpg)